ଜଟିଳ ଚରଣରେ ପହଂଚିଲା ଚନ୍ଦ୍ରଯାନ-୨ । ଆଜି ଚନ୍ଦ୍ର କକ୍ଷ ପଥରେ କରିବ ପ୍ରବେଶ : ବେଗ ନିୟନ୍ତ୍ରଣ ନହେଲେ ଜହ୍ନପୃଷ୍ଠରେ ପିଟି ହୋଇ ଧ୍ୱଂସ ହୋଇପାରେ ଯାନ

658

କନକ ବ୍ୟୁରୋ : ଇସ୍ରୋ ଓ ଭାରତ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୨। ସକାଳ ୮ଟାରୁ ୯ଟା ୩୦ ମିନିଟ ଭିତରେ ଭାରତର ମହାକାଶ ଯାନ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି । ଆଉ ଏହି ସମୟ ଭାରତର ଚନ୍ଦ୍ର ଅଭିଯାନ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ଚନ୍ଦ୍ରଯାନ-୨ ନିଜ ଲକ୍ଷ୍ୟସ୍ଥଳର ଗୋଟିଏ ପାଦ ନିକଟକୁ ଯିବ । ପୃଥିବୀର କକ୍ଷପଥ ଛାଡିଥିବା ଏହି ମହାକାଶଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । ଏଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତିରେ ଲାଗିପଡିଛନ୍ତି ଇସ୍ରୋ ବୈଜ୍ଞାନିକ ।

ଚନ୍ଦ୍ରର ଆକର୍ଷଣ ଶକ୍ତି ଅନୁସାରେ ମହାକାଶଯାନର ବେଗକୁ ନିୟନ୍ତ୍ରଣ ନକରିପାରିଲେ ଏହା ସିଧା ଚନ୍ଦ୍ରର ପୃଷ୍ଠରେ ପିଟି ହୋଇ ଧ୍ୱଂସ ହୋଇଯିବ । ତେଣୁ ଏହି ସମୟ ଉଭୟ ଚନ୍ଦ୍ରଯାନ-୨ ଓ ବୈଜ୍ଞାନିକଙ୍କ ପାଇଁ ପରୀକ୍ଷାର ସମୟ ବୋଲି କୁହାଯାଉଛି । ଆଜି ଚନ୍ଦ୍ର କକ୍ଷପଥରେ ଚନ୍ଦ୍ରଯାନ-୨ ଅବସ୍ଥାପିତ ହେବା ପରେ ଅଗଷ୍ଟ ୩୧ ଯାଏଁ ଚନ୍ଦ୍ରକୁ ପରିକ୍ରମଣ କରିବ । ଏହି ସମୟରେ ଚନ୍ଦ୍ରର ଅତି ନିକଟକୁ ଯିବା ପାଇଁ ୪ ଥର କକ୍ଷପଥ ପରିବର୍ତନ କରିବ ଚନ୍ଦ୍ରଯାନ-୨ । ଏଥିରେ ସଫଳ ହେଲେ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁକୁ ଛୁଇଁବ ଲାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । କିନ୍ତୁ ଅର୍ବିଟର ଚନ୍ଦ୍ର ଚାରିପାଖରେ ଘୁରିବ । ଏକ ବର୍ଷ ପାଇଁ ଏହା କାମ କରିବ ବୋଲି ଆକଳନ କରାଯାଉ ଥିବା ବେଳେ ଏହାର ଇନ୍ଧନ ଯାହା ବଂଚିବ, ସେଥିରେ ଏହା ଆଉ ଏକ ବର୍ଷ କାମ କରି ପାରିବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ ।