କେମିତି ହାତୀ ଜଗିବ ବାଘ? ଶିମିଳିପାଳ ଛାଡ଼ିବାକୁ ନାରାଜ୍ ମହେନ୍ଦ୍ର ଓ ରାଜକୁମାର, ସାତକୋଶିଆ ଆଣିବା ପାଇଁ ବନବିଭାଗ ନାକେଦମ

33

କନକ ବ୍ୟୁରୋ: ମଧ୍ୟପ୍ରଦେଶରୁ ସାତକୋଶିଆ ଆସିଥିବା ମହାବଳ ଉପରେ ନଜର ରଖିବାର ଥିଲା ହାତୀ । ହେଲେ ଶିମିଳିପାଳରୁ ଯିବାକୁ ଅରାଜି ହାତୀ ମହେନ୍ଦ୍ର ଓ ରାଜକୁମାର । ୨୦୦୧ ମସିହାରେ କର୍ଣ୍ଣାଟକ ବନବିଭାଗ ଦ୍ୱାରା ଅଣାଯାଇଥିବା ଏହି ଦୁଇଟି ହାତୀ ଶିମିଳିପାଳରେ ଅତିଥି ହୋଇରହିଥିଲେ । ୫୬ ବର୍ଷିୟା ମହେନ୍ଦ୍ର ଓ ୧୬ ବର୍ଷିୟ ରାଜକୁମାରକୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଯିବା ପାଇଁ ପ୍ରସ୍ତୁତ କରାଯାଉଥିଲା । ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ସାତକୋଶିଆ ଆଣିବା ପାଇଁ ବନବିଭାଗ ଶନିବାର ରାତିରୁ ଉଦ୍ୟମ ଆରମ୍ଭ କରିଛି । ହାତୀ ଦୁହେଁ ଟ୍ରକକୁ ଚଢୁନଥିବାରୁ ଗତ ୨୪ ଘଂଟା ଧରି ବନବିଭାଗ ନାକେଦମ ହୋଇଛି ।

ଉଲ୍ଲେଖ ଯୋଗ୍ୟ, ୨୦୦୧ମସିହାରେ ସୁଦୂର କର୍ଣ୍ଣାଟକରୁ ବନ ବିଭାଗ ବଡ଼ ହାତୀ ମହେନ୍ଦ୍ରକୁ ଆଣିଥିଲା। ସମୟ କ୍ରମେ ମହେନ୍ଦ୍ର ଶିମିଳିପାଳର ଅତିଥି ହୋଇ ପରେ ପାଳିତ ପରିବାର ସଦସ୍ୟ ବନି ଯାଇଛି। ବୟସ ତା’ର ଏବେ ୫୬ବର୍ଷ ହେଲାଣି। କିନ୍ତୁ ଶିମିଳିପାଳ ଛାଡ଼ି ସାତକୋଶିଆ ଆସିବାକୁ ସେ ରାଜି ହେଉନି। କେବଳ ମହେନ୍ଦ୍ର ନୁହେଁ, ସାଙ୍ଗରେ ତା’ର ୧୬ ବର୍ଷିଆ ଯବାନ ପୁଅ ରାଜକୁମାରକୁ ମଧ୍ୟ ସାତକୋଶିଆ ଆସିବାକୁ ନାରାଜ।

ଏଭଳି ପରିସ୍ଥିତିରେ କଂଗ୍ରେସର ପୂର୍ବତନ ସାଂସଦ ସୁଶ୍ରୀ ସୁଶିଳା ତିରିଆଙ୍କ ନେତୃତ୍ୱରେ ୫୦ରୁ ଅଧିକ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯଶିପୁରସ୍ଥିତ ଜାତୀୟ ଉଦ୍ୟାନ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଆଜି ପହଞ୍ଚି ହାତୀ ସ୍ଥାନାନ୍ତରକୁ କଡ଼ା ବିରୋଧ କରିଛନ୍ତି। ସବୁଆଡ଼ୁ ବିଫଳ ହେବା ପରେ ସାମୟିକ ଭାବେ ଶିମିଳିପାଳରୁ ସାତକୋଶିଆକୁ ହାତୀ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିବା ଜଣାପଡ଼ିଛି।