କନକ ବ୍ୟୁରୋ : କାଠୁଆ ଏବଂ ଉନ୍ନାଓ ଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପୀ ଦେଖା ଦେଇଥିବା ଉଦବେଗ କେନ୍ଦ୍ରରେ ସରକାରଙ୍କୁ ଅଡୁଆରେ ପକାଇଥିବାବେଳେ ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି । ମୋଦି ସରକାର ଓ ଭାରତୀୟ କର୍ତ୍ତୃପକ୍ଷ ମହିଳା ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଦରକାର ବୋଲି ଟିପ୍ପଣୀ କରିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ । ଆଇଏମଏଫ ମୁଖ୍ୟ ଖ୍ରୀଷ୍ଟିନା ଲାଗାର୍ଡେ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ଜଣେ ୮ବର୍ଷ ଝିଅକୁ ଦୁଷ୍କର୍ମ ଘଟଣା ଅତ୍ୟନ୍ତ ଘୃଣ୍ୟ ଓ ଚିନ୍ତାଜନକ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିପରି ଆଉଏକ କଡା ଟିପ୍ପଣୀ କରିଛନ୍ତି ଆଇଏମଏଫ ମୁଖ୍ୟ । ଗତ ଡାଭୋସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ଭାରତୀୟ ମହିଳାଙ୍କ ବିଷୟରେ କିଛି ନଥିଲା । ଯେଉଁଥିପାଇଁ ତାଙ୍କୁ ପ୍ରଶ୍ନ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି । ଅବଶ୍ୟ ଏହା ତାଙ୍କର ବ୍ୟକ୍ତିଗତ ମତ ଏବଂ ଭାରତୀୟ ମୁଦ୍ରା ପାଣ୍ଠିର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ଏକ ଅନ୍ତର୍ଜାତୀୟ ସଂସ୍ଥାର ମୁଖ୍ୟଙ୍କ ଏଭଳି ଚିନ୍ତାଜନକ ଟିପ୍ପଣୀ ନିଶ୍ଚିତ ଭାବେ ମୋଦି ସରକାରଙ୍କ ଭାବମୂର୍ତ୍ତି ଉପରେ ଏକ ପ୍ରଶ୍ନଚିହ୍ନ ଲଗାଇଦେଇଛି । ଯାହା କେନ୍ଦ୍ର ସରକାରଙ୍କୁ ସମାଲୋଚନା ପାଇଁ ବିରୋଧୀଙ୍କୁ ଖୋରାକ ଯୋଗାଇଥିବା କୁହାଯାଉଛି ।