ପ୍ରବଳ ବର୍ଷିବ, ୬୦ କିଲୋମିଟର ବେଗରେ ପବନ ବହିବ! ଆସନ୍ତା ୨୪ ଘଂଟା ମଧ୍ୟରେ କୁଆପଥର ବର୍ଷା , ଜାଣନ୍ତୁ କେଉଁ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି

43

କନକ ବ୍ୟୁରୋ : ମାଡିଆସୁଛି କୁଆପଥର ବର୍ଷା । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ କୁଆପଥର ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ । ୪୮ ଘଣ୍ଟା ମଧ୍ୟରେ ଉପକୂଳ ଅଂଚଳର କିଛିସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିପାରେ । ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ ଓ ଦୁଇଟି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଏହାଛଡା କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି ଓ ମାଲକାନଗିରି, କୋରାପୁଟ, ନୟାଗଡ ଓ ରାୟଗଡାରେ ବର୍ଷା ସମ୍ଭାବନା ରହିଛି ।

ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶା ଉପରେ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଥିବାରୁ ତାହା ପ୍ରଭାବରେ ଗତ ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି । ସୋନପୁରରେ ସର୍ବାଧିକ ୫.୬ ମି.ମି. ବର୍ଷା ରେକର୍ଡ କରାଯାଇଛି । ଏଥିସହ ଟିଟିଲାଗଡ଼ରେ ୩, ହୀରାକୁଦରେ ୧.୬, ଝାରସୁଗୁଡ଼ା ଓ ସମ୍ବଲପୁରରେ ଝିପିଝିପି ବର୍ଷା ହୋଇଛି । ମଙ୍ଗଳବାର ଅଭ୍ୟନ୍ତରୀଣ ଓଡ଼ିଶାରେ ପାଗ କୋହଲା ରହିବ । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ଆଜି ଠାରୁ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ପବନ ବୋହିବାର ବି ସମ୍ଭାବନା ରହିଛି । ୧୪ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଅପରାହ୍ନରୁ ରାତି ମଧ୍ୟରେ ଝଡ଼ ବର୍ଷା ହେବାର ବହୁ ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, ପ୍ରଭୃତି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୫ ତାରିଖ ବେଳକୁ ଅଭ୍ୟନ୍ତରୀଣ ଓଡ଼ିଶାରେ ପାଗ ସ୍ୱାଭାବିକ ସ୍ଥିତିକୁ ଫେରିବ । କିନ୍ତୁ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ । ୧୬ ତାରିଖରୁ ଦିନର ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି ।