ପାକିସ୍ତାନ ଆଡକୁ ବନ୍ଧୁତାର ଗୋଟିଏ ପାଦ ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି ।ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଫୋନ କରି ଜଣାଇଲେ ଶୁଭେଚ୍ଛା

41

କନକ ବ୍ୟୁରୋ : ପାକିସ୍ତାନରେ ନୂଆ ସରକାର ଶପଥ ନେବାକୁ ଯାଉଥିବାବେଳେ ଭାରତ ସହିତ ପଡୋଶୀର ସଂପର୍କରେ ସୁଧାର ନେଇ ମିଳିଛି ସଂକେତ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ କରି ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାରଣ ଇମ୍ରାନଙ୍କ ପାର୍ଟି ସବୁଠାରୁ ବଡଦଳ ଭାବେ ଉଭାହେବା ପରେ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନ କହିଥିଲେ ଯେ, ଭାରତ ଗୋଟିଏ ପାଦ ବଢାଇଲେ ଦୁଇପାଦ ବଢାଇବ ପାକିସ୍ତାନ । ଯେଉଁଥିପାଇଁ ଆଗାମୀ ଅଗଷ୍ଟ ୧୧ ତାରିଖରେ ଇମ୍ରାନଙ୍କ ଶପଥ ଉତ୍ସବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରିବାକୁ ଯୋଜନା ଚଳାଇଛି ଇମ୍ରାନଙ୍କ ତେହରିକ-ଏ-ଇନସାଫ ପାର୍ଟି ।

ସୋମବାର ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନ ଜାତୀୟ ପରିଷଦ ନିର୍ବାଚନରେ ଇମ୍ରାନଙ୍କ ଦଳ ତେହରିକ-ଏ-ଇନସାଫ ପାର୍ଟି ସବୁଠାରୁ ବଡଦଳ ଭାବେ ଉଭାହୋଇଛି । ଆଗାମୀ ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଇମ୍ରାନ ଖାନ୍ ।
– ମୋଟ ୨୭୨ ଆସନରୁ ୧୧୬ଟିରେ ଜିତିଛି ଇମ୍ରାନଙ୍କ ପିଟିଆଇ ପାର୍ଟି
– ୧୩୭ ମ୍ୟାଜିକ ନମ୍ବର ପାଇଁ ଇମ୍ରାନଙ୍କୁ ଦରକାର ଆଉ ୨୧ଟି ସିଟ୍
– ଛୋଟଛୋଟ ଦଳ ଓ ସ୍ୱାଧୀନ ସାଂସଦଙ୍କ ସହ ଚାଲିଛି ଆଲୋଚନା
– ଅଗଷ୍ଟ ୧୧ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଇମ୍ରାନ

ଜୁଲାଇ ୨୫ ସାଧାରଣ ନିର୍ବାଚନରେ ପିଟିଆଇ ସବୁଠାରୁ ବଡଦଳ ଭାବେ ଜନମତ ପାଇବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଇମ୍ରାନ କହିଥିଲେ ଯେ, ଭାରତ ମିତ୍ରତା ପାଇଁ ଗୋଟିଏ ପାଦ ବଢାଇଲେ ପାକିସ୍ତାନ ଦୁଇପାଦ ବଢାଇବ । ତେଣୁ ଇମ୍ରାନଙ୍କୁ ଫୋନ କରି ପ୍ରଧାନମନ୍ତ୍ରୀ ପ୍ରଥମ ପାଦ ବଢାଇ ସାରିଛନ୍ତି । ଏବେ ଅପେକ୍ଷା ପାକିସ୍ତାନର ପଦକ୍ଷେପକୁ । ତେଣୁ ହେଉଥିବା ଚର୍ଚ୍ଚା ଅନୁସାରେ ଇମ୍ରାନଙ୍କ ଶପଥ ସମାରୋହକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରିପାରେ ପିଟିଆଇ । ସାର୍କ ଦେଶଗୁଡିକର ମୁଖ୍ୟ ମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରିବା ଉପରେ ଚାଲିଛି ବିଚାର ବିମର୍ଷ ।

ଇମ୍ରାନ ଖାନ ତାଙ୍କ ଅଭିଭାଷଣରେ ଭାରତ ସହ ମିତ୍ରତା କଥା ଉଠାଇବା ସହ କାଶ୍ମୀର ପ୍ରସଙ୍ଗ ଉଠାଇ ବିବାଦୀୟ ହୋଇପଡିଛନ୍ତି । ଶପଥ ନେବା ଆଗରୁ ଭାରତୀୟଙ୍କ ସନ୍ଦେହ ଭିତରକୁ ଚାଲିଆସିଛନ୍ତି । – ଇମ୍ରାନ ଖାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା ବାବଦରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର ଟ୍ୱିଟ କରି ଲେଖିଛନ୍ତି ଯେ- ‘ପ୍ରଧାନମନ୍ତ୍ରୀ ପାକିସ୍ତାନ ତେହରିକ-ଏ-ଇନସାଫ ପାର୍ଟି ନେତା ଇମ୍ରାନ ଖାନଙ୍କ ସହ ଆଲୋଚନା କଲେ ଏବଂ ପାକିସ୍ତାନରେ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଜାତୀୟ ପରିଷଦରେ ତାଙ୍କ ପାର୍ଟି ସବୁଠାରୁ ବଡ ପାର୍ଟି ଭାବରେ ଉଭା ହୋଇଥିବାରୁ ଶୁଭେଚ୍ଛା ଜଣାଇଲେ । ଏବଂ ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କଲେ ଯେ, ପାକିସ୍ତାନରେ ଗଣତନ୍ତ୍ରର ମୂଳଦୁଆ ଆହୁରି ମଜଭୂତ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ସମସ୍ତ ପଡୋଶୀ ଦେଶରେ ଶାନ୍ତି ଓ ବିକାଶ ପ୍ରତିଷ୍ଠା ନେଇ ନିଜର ଆଭିମୁଖ୍ୟକୁ ଦୋହରାଇଲେ ।’

୨୦୧୪ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ସଂପର୍କରେ ତିକ୍ତତା ବଢିଛି । ସାମୀ ଆରପଟୁ ପାକିସ୍ତାନର ପ୍ରବଳ ଗୁଳିବର୍ଷା ଓ ପାକିସ୍ତାନ ମାଟିରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ବିଗାଡି ଦେଇଛି । ହେଲେ ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ, ମୋଦିଙ୍କ ଶପଥ ସମାରୋହକୁ ଆସିବା ଓ ୨୦୧୫ ଡିସେମ୍ବରରେ ସରିଫଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ମୋଦି ଅଚାନକ ଲାହୋରରେ ପହଂଚିବା ସଂପର୍କରେ ସୁଧାର ପାଇଁ ଗୋଟିଏ ଗୋଟିଏ ବଡ ରାଜନୈତିକ ପଦକ୍ଷେପ । ଆଉ ଏବେ ଇମ୍ରାନଙ୍କ ଶାସନରେ ଦୁଇ ଦେଶ ମଧ୍ୟରେ ସଂପର୍କ କି ମୋଡ ନେଉଛି ତା ଉପରେ ନଜର ରହିଛି ।