ବ୍ୟାଟସମ୍ୟାନଙ୍କ ମୁଣ୍ଡରେ ପୁଣି ବାଜିଲା ବାଉନ୍ସର ! ପଡିଆ ମଝିରେ ଚିତ୍ ହୋଇ ପଡିଗଲେ ଏହି ଖେଳାଳୀ, ଷ୍ଟ୍ରେଚରରେ ଗଲେ ଡାକ୍ତରଖାନା

ବଲ ବାଜିବା କ୍ଷଣି ତଳେ ପଡି ଯାଇଥିଲେ ଇମାମ । ବଲଟି ଏତେ ଜୋରରେ ବାଜିଥିଲା ଯେ, ଇମାମ ଠିକରେ ଛିଡା ମଧ୍ୟ ହୋଇପାରୁନଥିଲେ । ତେଣୁ ତାଙ୍କୁ ଷ୍ଟ୍ରେଚରରେ ପଡିଆ ବାହାରକୁ ନିଆଯାଇଥିଲା

345

କ୍ରିକେଟ ଖେଳରେ ବାଉନ୍ସର ବଲକୁ ନେଇ ପୁଣି ଚର୍ଚ୍ଚା ।ପୂର୍ବରୁ ବାଉନ୍ସର ବଲ ମୁଣ୍ଡରେ ବାଜିବା ଫଳରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଫିଲିଫ୍ ହ୍ୟୁଗସଙ୍କର ମୃତ୍ୟୁ ହୋଇଥିଲା । ଏହି କଥା କ୍ରିକେଟ ପ୍ରେମୀଙ୍କ ମନରୁ ନ ଲିଭୁଣୁ ପୁଣିଥରେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ଯେଉଁଥିପାଇଁ ପାକିସ୍ତାନ ବ୍ୟାଟସମ୍ୟାନଙ୍କୁ ଅଧାରୁ ପଡିଆ ଛାଡିବାକୁ ପଡିଥିଲା ।

ପାକିସ୍ତାନ ପାଳିର  ୧୩ ତମ ଓଭରରେ ଏଭଳି ଅଘଟଣ ଦେଖିବାକୁ ମିଳିଥିଲା ।  ୨୧୦ ରନର ଟାର୍ଗେଟକୁ ପିଛା କରୁଥିବା ପାକିସ୍ତାନ ୧୨ ତମ ଓଭର ଶେଷ ସୁଦ୍ଧା ୫୪ ରନ ସଂଗ୍ରହ କରି ନେଇଥିଲା । ତେବେ ୧୩ ତମ ଓଭର ନେଇ ଆସିଥିବା ନ୍ୟୁଜିଲାଣ୍ଡ ବୋଲର ଲୋସକେଇ ଫରଗ୍ୟୁସନ ବୋଲିଂ କରୁଥିବା ବେଳେ ଷ୍ଟ୍ରାଇକରେ ଥିଲେ ଇମାମ ଉଲ ହକ୍ । କିନ୍ତୁ ଲୋସକେଇଙ୍କ ବାଉନ୍ସର ବଲକୁ ବୁଝି ପାରିନଥିଲେ ଇମାମ । ବଲ ସିଧା ଯାଇ ଇମାମଙ୍କ ହେଲମେଟରେ ବାଜିଥିଲା ।


ବଲ ବାଜିବା କ୍ଷଣି ତଳେ ପଡି ଯାଇଥିଲେ ଇମାମ । ବଲଟି ଏତେ ଜୋରରେ ବାଜିଥିଲା ଯେ, ଇମାମ ଠିକରେ ଛିଡା ମଧ୍ୟ ହୋଇପାରୁନଥିଲେ । ତେଣୁ ତାଙ୍କୁ ଷ୍ଟ୍ରେଚରରେ ପଡିଆ ବାହାରକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଛି । ପାକିସ୍ତାନ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ସ୍କାନ ପରେ ଇମାମଙ୍କୁ ସେଭଳି ଜୋରରେ ଆଘାତ ଲାଗିନଥିବା ସ୍ପଷ୍ଟ ହୋଇଛି ।

ମାତ୍ର ୪୦.୩ ବଲରେ ୪ ୱିକେଟ ହରାଇ ଏହି ମ୍ୟାଚକୁ ଜିତି ନେଇଥିଲା ପାକିସ୍ତାନ । ପାକିସ୍ତାନ ପକ୍ଷରୁ ଜମାନ ସର୍ବାଧିକ ୮୮ ରନର ଇନିଂସ ଖେଳିଥିଲେ ।  ଏହି ବିଜୟ ସହ ପାକିସ୍ତାନ ୧-୧ରେ ସିରିଜ ବରାବର କରିଛି  । ମ୍ୟାଚ ପରେ ସୋଏବ ମାଲିକ ଛାଡିଥିବା ଫଟୋରେ ଇମାମ ଉଲ ହକଙ୍କୁ ଦେଖିବାକୁ ମିଳିଛି । ଯେଉଁଥିରେ ସୋଏବ କହିଛନ୍ତି, ଇମାମ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ।