ମହାରଥୀଙ୍କ ମୁହଁରେ ନୂଆ ସଂଳାପ । ‘ମୁଁ ହତାଶ ପ୍ରେମିକ ନୁହେଁ’, ଜାଣନ୍ତୁ କାହିଁକି ଏମିତି କହିଲେ ପିପିଲି ବିଧାୟକ ।

1,158

କନକ ବ୍ୟୁରୋ : ମୁଁ ହତାଶ ପ୍ରେମିକ ନୁହେଁ । ଏହା କୌଣସି ଫିଲ୍ମ କିମ୍ବା ଯାତ୍ରାର ଡାଇଲଗ ନୁହେଁ । ବରଂ ଏଭଳି ସଂଳାପ ଆଜି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଦୀର୍ଘ ଦିନ ଚୁପ୍ ରହିବା ପରେ ଆଜି ପୁଣିଥରେ ପ୍ରଦୀପଙ୍କୁ ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ବିଧାନସଭାରେ ବିଧାୟକ ଭାବେ ଶପଥ ନେବା ପରେ ପ୍ରଦୀପ ଏହିଭଳି କିଛି ଡାଇଲଗ ମାରିଥିଲେ । ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇବା ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହାରଥୀ କହିଥିଲେ, ମୁଁ ହତାଶ ପ୍ରେମିକ ନୁହେଁ । ମୋତେ ଲୋକ ବିଧାୟକ ଭାବେ ବାଛିଛନ୍ତି । ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ବା ନ ଦେବା ତାହା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ।

ଚଳିତ ଥର ପୁରୀ ଜିଲ୍ଲାରୁ ସମୀର ଦାଶ ଓ ନୂଆ କରି ବିଧାୟକ ହୋଇଥିବା ତୁଷାରକାନ୍ତିଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ ମହାରଥୀଙ୍କୁ ନିରାଶ ହେବାକୁ ପଡିଥିଲା । ପୂର୍ବ ସରକାରରେ ମନ୍ତ୍ରୀ ଥିବା ମହାରଥୀ ନିର୍ବାଚନ ପୂର୍ବରୁ ବିବାଦୀୟ ହୋଇପଡିଥିଲେ । ତେଣୁ ତାଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ସାମିଲ କରି ବିରୋଧୀଙ୍କୁ ସମାଲୋଚନା କରିବାକୁ ସୁଯୋଗ ଦେବାକୁ ଚାହୁଁନଥିଲେ ସରକାର । ତେଣୁ ପଞ୍ଚ ମ ପାଳିରେ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଥିଲେ ନବୀନ ।

ସପ୍ତମ ଥର ବିଧାୟକ ହୋଇଥିବା ପ୍ରଦୀପ ମହାରଥୀ ଚଳିତ ନିର୍ବାଚନ ପୂର୍ବରୁ ବିବାଦ ଘେରକୁ ଆସିଥିଲେ । ନିର୍ବାଚନ ସମୟରେ ଫ୍ଲାଇଂ ସ୍କ୍ୱାର୍ଡର ଅଧିକାରୀଙ୍କୁ ମାଡ ମରା ଘଟଣାରେ ବିବାଦୀୟ ହୋଇପଡିଥିଲେ ମହାରଥୀ । ଏପରିକି ଏହି ଘଟଣାରେ ମହାରଥୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ସେହିଭଳି ମନ୍ତ୍ରୀ ଥିବା ସମୟରେ ବେବିନା ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇ ସରକାରକୁ ଅଡୁଆରେ ପକାଇଥିଲେ ମହାରଥୀ । ଯେଉଁଥିପାଇଁ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ । ପରେ ନିଜ ପଦରୁ ମହାରଥୀଙ୍କୁ ଇସ୍ତଫା ମଧ୍ୟ ଦେବାକୁ ପଡିଥିଲା ।

ତେବେ ସପ୍ତମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ପିପିଲି ଓ ଡେଲାଙ୍ଗବାସୀଙ୍କ ଧନ୍ୟବାଦ ଦେଇଛନ୍ତି ମହାରଥୀ । ମନ୍ତ୍ରୀପଦ ମିଳୁ ବା ନ ମିଳୁ ପିପିଲିର ଉନ୍ନତି ଜାରି ରଖିବେ ବୋଲି କହିଛନ୍ତି ମହାରଥୀ ।