ଟୁରିଷ୍ଟ ପରମିଟରେ ଗଡୁଛି ଦୂରଗାମୀ ଘରୋଇ ବସ୍ ! ଟିକସ ଫାଙ୍କିବା ପାଇଁ ବେଆଇନ୍ ଭାବେ ଚାଲିଛି ପରିବହନ ସେବା ।

208

କନକ ବ୍ୟୁରୋ : ବେଆଇନ ଭାବେ ଚାଲିଛି ରାଜ୍ୟରେ ଦୂରଗାମି ଯାତ୍ରୀ ପରିବହନ ସେବା । ଦୂର ଯାତ୍ରା ଲାଗି ଲୋକେ ଘରୋଇ ବସ ଉପରେ ନିର୍ଭର କରୁଥିବା ବେଳେ ସରକାରଙ୍କ ଜାଣତରେ ବିନା ପରମିଟରେ ଚାଲିଛି ବସ୍ । ମାଲକାନଗିରି ଜିଲ୍ଲାରୁ ଦୈନିକ ଶହ ଶହ ଯାତ୍ରୀ ପରିବହନ କରୁଛି ଘରୋଇ ବସ । ଆନ୍ଧ୍ର ଦେଇ ଭୁବନେଶ୍ୱର ଆସୁ ଥିବା ଯାତ୍ରୀବାହୀ ଘରୋଇ ବସ୍ ଉପଯୁକ୍ତ ପରିମିଟ୍ ନନେଇ ଟୁରିଷ୍ଟ ପରମିଟରେ ଯାତାୟାତ କରୁଛି । ଆଉ ପରିବହନ ବିଭାଗ ସବୁ ଜାଣି ଶୁଣି ଚୁପ ବସିଛି ।

ଯାତ୍ରୀଙ୍କ ଜୀବନ ସହ ଖେଳ । ଟୁରିଷ୍ଟ ପର୍ମିଟରେ ଗଡୁଛି ଦୂରଗାମୀ ବସ୍ । ମାଲକାନଗିରିରେ ବର୍ଷ ବର୍ଷ ଧରି ଟୁରିଷ୍ଟ ପରମିଟରେ ଚାଲିଛି ଦୂରଗାମୀ ଯାତ୍ରୀ ପରିବହନ ସେବା । ଜିଲ୍ଲାରୁ ପ୍ରତି ଦିନ ୮ଟି ଦୂରଗାମୀ ଘରୋଇ ବସ ଆନ୍ଧ୍ର ଦେଇ ଭୁବନେଶ୍ୱର ଯାଉଥିବା ବେଳେ କୌଣସି ବସର ସ୍ଥାୟୀ ପରମିଟ୍ ନଥିବା ଜଣାପଡିଛି । ଟୁରିଷ୍ଟ ପରମିଟରେ ଯାତ୍ରୀଙ୍କ ଆଖିରେ ଧୂଳି ଦେଇ ବିପଦଗାମି ଯାତ୍ରା କରୁଛି ଘରୋଇ ବସ । ଆଉ ଏନେଇ ପରିବହନ ବିଭାଗ ସବୁ ଜାଣି କେବଳ ଫାଇନ୍ ଆଦାୟ କରି କାମ ସାରିଦେଉଛି । ଏବେ ନିକଟରେ ସାଇ ରାମ୍ ବସକୁ ଫାଇନ୍ କରିଛି ଆରଟିଓ ।

ଏବେ ଆସନ୍ତୁ ନଜର ପକାଇବା ଟୁରିଷ୍ଟ ବସରେ କଣ ସବୁ ନିୟମ ଅଛି । 

ଟୁରିଷ୍ଟ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ନାଁ ଓ ଠିକଣା ନିକଟତମ ଥାନା କି ପରିବହନ ଅଧିକାରୀଙ୍କୁ ଅବଗତ କରାଯିବ । ବସ୍ ରାସ୍ତାରେ କୌଣସି ସ୍ଥାନରେ ନ ଅଟକି ଯାତ୍ରୀଙ୍କୁ ନନଷ୍ଟପ ଗନ୍ତବ୍ୟ ସ୍ଥଳରେ ପହଂଚାଇବ । ବସ୍ ଭିତରେ ଯାତ୍ରୀଙ୍କୁ ପାନୀୟ ଜଳ ଆଦି ଯୋଗାଇ ଦିଆଯିବ । ଏ ସବୁ ନିୟମକୁ ଫୁ କରି ଟିକସ୍ ଫାଙ୍କିବା ପାଇଁ ଯାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ଘରୋଇ ବସ୍ ମାଲିକ । ଏପରି ସ୍ଥିତିରେ କୌଣସି ବସ ଦୁର୍ଘଟଣା ଗ୍ରସ୍ତ ହେଲେ ଇନସ୍ୟୁରାନ୍ସ ଲାଭ ପାଇ ପାରିବେନାହିଁ ଯାତ୍ରୀ । କେବଳ ମାଲକାନଗିରି ନୁହେଁ, ନବରଙ୍ଗପୁର, କୋରାପୁଟ, ରାୟଗଡା ଭଳି ସମସ୍ତ ଦକ୍ଷିଣ ଓଡିଶା ଜିଲ୍ଲାମାନଙ୍କରେ ଏପରି ବେଆଇନ ଯାତ୍ରୀ ପରିବହନ ସେବା ଚାଲିଛି ।