ପୋଲିସ୍ ଡାଳରେ କୁ ଲୋକ ପତରେ…ଜରିମାନାରୁ ବର୍ତ୍ତିବା ପାଇଁ ଚାଳକଙ୍କ ସ୍ମାର୍ଟ ପ୍ଲାନ୍; ଟ୍ରାଫିକ୍ ଚେକିଂ ଗ୍ରୁପ କରି ହ୍ୱାଟସଆପରେ ଦେଉଛନ୍ତି ସୂଚନା

1,369

କନକ ବ୍ୟୁରୋ: କଥାରେ ଅଛି ପୁଲିସ୍ ଡାଳେ ଡାଳେ ଗଲେ ଚୋର ପତରେ ପତରେ ଯାଏ… ଆଉ ଏହି ଉକ୍ତିଟି ବର୍ତ୍ତମାନ ସାବ୍ୟସ୍ତ ହୋଇଛି ସମ୍ବଲପୁର ସହରରେ । ଟ୍ରାଫିକ ନୂଆ ନିୟମ ଆସିଲା ପରେ ପୁଲିସ ବିଭିନ୍ନ ସ୍ଥାନରେ ହେଲମେଟ୍ ଚେକିଂ ଆରମ୍ଭ କରିଛି । ସହରର ବିଭିନ୍ନ କଳି କନ୍ଦିରେ ପୁଲିସ ବର୍ତ୍ତମାନ ଟ୍ରାଫିକ ଉଲ୍ଲଂଘକାରୀଙ୍କୁ ଧରିବା ପାଇଁ ଜଗିବସିଛି । ଆଉ ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କାର ଫାଇନ ମଧ୍ୟ ଆଦାୟ କରାଯାଉଛି । ହେଲେ ଏହି ଫାଇନଠୁ ବର୍ତ୍ତିବା ପାଇଁ ସହରର କିଛି ଯୁବକ ତିଆରି କରିଛନ୍ତି ଏକ ବେଆଇନ ହ୍ୱାଟସଆପ ଗ୍ରୁପ । ଯେଉଁଥିରେ  କେଉଁ ସ୍ଥାନରେ ପୁଲିସ କେତେବେଳ ଚେକିଂ କରିଛି ସମସ୍ତ ପ୍ରକାରର ତଥ୍ୟ ଏଠାରେ ଦେବା ପାଇଁ ଚାଳକଙ୍କ କୁହାଯାଉଛି ।

 

ଫଳରେ ଗ୍ରୁୁପରେ ଥିବା ସଦସ୍ୟ ମାନେ ନିଜ ନିଜ ଅଂଚଳର ଲୋକଙ୍କୁ ପୁଲିସ ଚେକିଂ ବାବଦରେ ସୂଚନା ଦେଇପାରିବେ । ତେବେ ଟ୍ରାଫିକ ଚେକିଂରୁ ବର୍ତ୍ତିବା ପାଇଁ ସମ୍ବଲପୁରରେ କିଛି ଯୁବକ ତିଆରି କରିଥିବା ଏହି ହ୍ୱାଟସଆପ ଗ୍ରୁପ ନାଁ ଦିଆଯାଇଛି ‘ଟ୍ରାଫିକ୍ ଚେକିଂ ଗ୍ରୁପ’ । ଆଉ ଏହି ଗ୍ରୁପ ଏବେ ପୁଲିସର ସ୍କାନରେ । ଏନେଇ ଏକ ଗୁଇନ୍ଦା ରିପୋର୍ଟ ମଧ୍ୟ ପୁଲିସ ପାଖରେ ରହିଛି । ଏପରିକି ଗ୍ରୁପର ଆକ୍ଟିଭିଟି ଉପରେ ବି ପୁଲିସ ନଜର ରଖିଛି ।

ଏହି ଘଟଣା ଭାଇରାଲ ହେଲାପରେ ଗ୍ରୁପଟିକୁ ଡ଼ିଲିଟ ହୋଇଯାଇଥିଲେ ମଧ୍ୟ ଏହା ଉପରେ ତିକ୍ଷଣ ନଜର ରଖିଛି ପୁଲିସ୍ । ଏସପି ଏହି ଗ୍ରୁପକୁ ନେଇ ମୁହଁ ଖୋଲିବା ସହିତ ଏହା ବେନିୟମ ହୋଇଥିବା ବେଳେ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏଥିସହିତ ହିଁ ଯଦି ଏଭଳି କରାଯିବ ତାହେଲେ ପୁଲିସ ଚେକିଂର ରଣନୀତି ପରିବର୍ତ୍ତନ କରି କାମ କରିବ ବୋଲି ମଧ୍ୟ କହିଛନ୍ତି ସମ୍ବଲପୁର ଏସପି । ତେବେ ଟ୍ରାଫିକର ନୁଆ ନିୟମକୁ ନେଇ ସର୍ବଭାରତୀୟ ସ୍ତରରେ ସମ୍ବଲପୁର ଚର୍ଚ୍ଚିତ ଥିବା ବେଳେ ଏବେ ଏହି ଘଟଣା ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।