ନଦୀ ପଠାରେ ମାଳ ମାଳ ଚିଙ୍ଗୁଡ଼ି ଘେରି, ଶୁଖିଯାଉଛି ହେନ୍ତାଳ ବଣ! ଜିଲ୍ଲାପାଳଙ୍କ ଅଜବ ଉତ୍ତର, ସେମାନେ କରୁଥିବେ ଆମେ ଭାଙ୍ଗୁଥିବୁ

134

କନକ ବ୍ୟୁରୋ : ପୁଣି ସକ୍ରିୟ ଚିଙ୍ଗୁଡି ମାଫିଆ । ବେଆଇନ ଚିଙ୍ଗୁଡି ଘେରିକୁ ବନ ବିଭାଗ ଓ ରାଜସ୍ୱ ବିଭାଗ ଉଚ୍ଛେଦ କରୁଥିଲେ ମଧ୍ୟ ମାଫିଆ ମାନେ ପୁନଃର୍ବାର ସେହିସ୍ଥାନରେ ଘେରି କରି ଦେଉଛନ୍ତି । ଚିଙ୍ଗୁଡ଼ି ମାଫିଆଙ୍କୁ ତଡ଼ିପାର କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଏହା ସଫଳ ହୋଇ ପାରୁନାହିଁ । ନଦୀ ପଠାରେ ମାଳମାଳ ଚିଙ୍ଗୁଡ଼ି ଘେରି କରି ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ  ଦେଉଛନ୍ତି ଚିଙ୍ଗୁଡ଼ି ମାଫିଆ । ସେପଟେ ଜିଲ୍ଲାପାଳଙ୍କ ଉତ୍ତର ଏହା କ୍ରମାନ୍ୱୟ ପ୍ରୋସେସ । ସେମାନେ କରୁଥିବେ ଆମେ ଭାଙ୍ଗୁଥିବୁ ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ବିଭିନ୍ନ ନଦୀ ପଠାର ହଜାର ହଜାର ହେକ୍ଟର ଜମିରେ ହୋଇଛି ବେଆଇନ ଚିଙ୍ଗୁଡି ଘେରି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଉପକୂଳ ନିୟନ୍ତ୍ରଣ ଆଇନକୁ ବେଖାତିର କରି ବେଆଇନ୍ ଭାବେ ଘେରି କରିଛନ୍ତି ମାଫିଆ । ଆଇନ୍ କହୁଛି, ସମୁଦ୍ର ଓ ନଦୀର ଜୁଆର ମାଡୁଥିବା ସ୍ଥାନର ୫ଶହ ମିଟର ମଧ୍ୟରେ ଚିଙ୍ଗୁଡି ଘେରି ହେବ ନାହିଁ । ହେଲେ ଏଠାରେ କିନ୍ତୁ ଜୁଆର ଅଟକାଇ ଘେରି କରି ମାଲାମାଲ ମାଫିଆ ଆଉ ଦୁର୍ବଳ ନଦୀ ବନ୍ଦ । ରାଜସ୍ୱ ବିଭାଗ ନାଁକୁ ମାତ୍ର ବର୍ଷରେ ଗୋଟିଏ ଦୁଇଟି ଘେରି ଭାଙ୍ଗି ଚୂପ ବସୁଥିବାରୁ ଚିଙ୍ଗୁଡି ମାଫିଆ ଓ ପ୍ରାସାଶନିକ ବାବୁଙ୍କ ମଧ୍ୟରେ ସଲାସୁତରା ନେଇ ସନ୍ଦେହ ହେଉଛି ।

ଚିଙ୍ଗୁଡ଼ି ଘେରିରୁ ବାହାରୁଥିବା ରାସାୟନିକ କୀଟନାଷକ ଯୁକ୍ତ ଜଳ ଭିତରକନିକାର ନଦୀ-ନାଳରେ ମିଶିବାରୁ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି । ଫଳରେ ଭିତରକନିକାରରେ ଚଳପ୍ରଚଳ କରୁଥିବା ଜୀବଜନ୍ତୁ ଓ ଜଳଚର ପ୍ରାଣୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିରଳ ହେନ୍ତାଳ ବଣ ଲୁଣା ଜଙ୍ଗଲ ବି ଶୁଖି ଯାଉଛି । ସବୁଠୁ ବଡ଼ କଥା ହେଲା ଏଭଳି ଅଭିଯୋଗକୁ ସ୍ୱୀକାର କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଲୋକେ ପ୍ରତିବର୍ଷ ତିଆରି କରିବେ ପ୍ରଶାସନ ଭାଙ୍ଗିବ,ପୁଲିସ ପ୍ରୋଟେକସନ ଅଭାବରୁ ସବୁ ଘେରି ପାଖରେ ପହଂଚି ହେଉନି ବୋଲି ସେ ସ୍ୱୀକାର କରିଛନ୍ତି । ତେଣୁ ଚିଙ୍ଗୁଡ଼ି ମାଫିଆ ଉକ୍ତ ଅଞ୍ଚଳରେ ରାଜ କରୁଛନ୍ତି । ଏସବୁ ଭିତରେ କେବେ ଚିଙ୍ଗୁଡି ମାଫିଆଙ୍କ କବଳରୁ ମୁକୁଳିବ ନଦୀ ପଠା ଆଉ ଉଚ୍ଛେଦ ହେବ ବେଆଇନ ଚିଙ୍ଗୁଡି ଘେରି ତାକୁ ହିଁ ଦେଖିବାକୁ ବାକି ରହିଲା ।