ମାଫିଆଙ୍କ କବଜାରେ ମହାନଦୀ : ଜେସିବି ଲଗାଇ ବେଧଡକଭାବେ ଚାଲିଛି ବାଲି ଚୋରା ଚାଲାଣ

89

କନକ ବ୍ୟୁରୋ: ଶୁଖିଲା ପଡିଛି ମହାନଦୀ ଓ କାଠଯୋଡ଼ି। ଜୁଆଡେ ଚାହିଁଲେ ବିସ୍ତୀର୍ଣ୍ଣ ବାଲି ଶଯ୍ୟା। ଯାହାର ଭରପୁର ଫାଇଦା ନେଉଛନ୍ତି ବାଲି ମାଫିଆ। ଘାଟ ନଥିବା ସ୍ଥାନରେ ତିଆରି ହେଉଛି ରାସ୍ତା। ପ୍ଲୋକ୍ଲିନ୍, ଜେସିବି ଲଗାଇ ବେଧଡକଭାବେ ଚାଲିଛି ବାଲି ଚୋରା ଚାଲାଣ। ରୋକିବାକୁ କେହି ନାହିଁ। କେବଳ ରାଜ୍ୟ ନୁହେଁ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି ବାଲି। କଟକ ଜିଲ୍ଲାରେ ସରକାରୀଭାବେ ୩୦ଟି ବାଲିଘାଟ ଥିବାବେଳେ ବେସରକାରୀ ବାଲିଘାଟ ସଂଖ୍ୟା ଦେଢଶହରୁ ଅଧିକ ହେବ। ରାତି ହେଲେ ବଢୁଛି ଚାଲାଣ। ବାଲି ଗାଡ଼ି କବଜାରେ ରହୁଛି ରାସ୍ତା। କେବଳ ମହାନଦୀ କାଠଯୋଡି ନୁହେଁ ପ୍ରାଚୀ, ଦେବୀ-କନ୍ଦଳ ତଥା ବିଭିନ୍ନ ନଦୀରୁ ଉଠାଯାଉଛି ବାଲି। ତ୍ରିଶୂଳିଆ, ବାଙ୍କୀ, ଆଠଗଡ, କିଶନନଗର, କଣ୍ଟାପଡା, ନିଆଳି, ତିଗିରିଆ, ବଡମ୍ବା, ନରସିଂହପୁର ଅଂଚଳର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଚାଲିଛି ଏହି ବେଆଇନ ବାଲି ଘାଟ।

କଟକ ଜିଲ୍ଲାରେ ମାଫିଆମାନେ ସକ୍ରିୟ ରହୁଥିବାବେଳେ ଏହାକୁ ନେଇ ଗୁଳିକାଣ୍ଡଠାରୁ ଆରମ୍ଭ କରି ହେଉଛି ହତ୍ୟା ଭଳି ଅନେକ ସଙ୍ଗୀନ ଘଟଣା। ଏଭଳିସ୍ଥିତିରେ ବାଲି ଚାଲାଣ ଉପରେ ଅଙ୍କୁଶ ଲାଗାଇବା ପାଇଁ ହାଇକୋର୍ଟରେ ମଧ୍ୟ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ତା’ ସତ୍ୱେ ଏହା ଉପରେ ଅଙ୍କୁଶ ଲାଗିପାରୁନି। କଟକ ସଦର ତହସିଲ, ଆଠଗଡ, ବାରଙ୍ଗ, ବାଙ୍କୀ, ଡମପଡାରେ ପ୍ରାୟ ୨୦ରୁ ଅଧିକ ବାଲି ଘାଟ ନିଲାମ ଦିଆଯାଇଛି। ହେଲେ ନିଲାମ ଦିଆଯାଇଥିବା ସ୍ଥାନ ବଦଳରେ ଅନ୍ୟସ୍ଥାନରୁ ଚାଲିଛି ବାଲିଉଠାଣ। କାରଣ ନିଲାମ ଦିଆଯାଉଥିବା ସ୍ଥାନରେ ବାଲି ଘାଟର ଦୂରତ୍ୱ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଯାଫଳରେ ନିଲାମ ଆଳରେ ଚୋରା ଘାଟରୁ ଉଠୁଛି ବାଲି। କେବଳ ସେତିକି ନୁହେଁ, ବାଲି ଉଠାଣ ପାଇଁ ନିଲାମ ସମୟରେ ପରିମାଣ ଧାର୍ୟ୍ୟ କରାଯାଇଥାଏ। କିନ୍ତୁ ସେହି ଧାର୍ଯ୍ୟ ପରିମାଣଠାରୁ ଢେର ଅଧିକ ଉଠାଉ ଛନ୍ତି ନିଲାମଧାରୀ। ତା’ସହିତ ମେସିନ୍ ଦ୍ୱାରା ବାଲି ଉତ୍ତୋଳନ କରାଯାଉଥିବାରୁ ନଦୀବନ୍ଧରେ ଖାଲ ସୃଷ୍ଟି ହେଉଛି। ବାରଙ୍ଗ ବ୍ଲକ୍ରେ ୨ଟି ବାଲିଘାଟ ପାଇଁ ନିଲାମ ଦିଆଯାଉଥିବାବେଳେ ବାଙ୍କୀରେ ୪ଟି ବାଲିଘାଟ ମଧ୍ୟରୁ ୩ଟି କୋର୍ଟ ମାମଲା ଚାଲିଥିବାରୁ ନିଲାମ୍ ବନ୍ଦ ରହିଥିବାବେଳେ ଗୋଟିଏ ଘାଟ ଚାଲିଛି। ସେହିପରି ଡମପଡାରେ ୨ଟି, କଟକ ସଦର ତହସିଲରେ ୯ଟି ବାଲିଘାଟ ନିଲାମ ଦିଆଯାଇଛି।

ତେବେ ନିଲାମ ନେଇଥିବା ବ୍ୟକ୍ତିମାନେ ବାଲି ଚାଲାଣ ପାଇଁ ତହସିଲରୁ ଟ୍ରାନ୍ଜିଟ୍ ପାସ୍ ବହି ନେଇଥାନ୍ତି। ଯେଉଁ ବହିରେ ସଂପୃକ୍ତ ତହସିଲ ପକ୍ଷରୁ କେବଳ ଦସ୍ତଖତ ଓ ମୋହର ମରାଯାଇ ସଂପୃକ୍ତ ନିଲାମଧାରୀଙ୍କୁ ଟ୍ରାନଜିଟ୍ ବହି ଦିଆଯାଇଥାଏ। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ତହସିଲପକ୍ଷରୁ ପ୍ରଦାନ କରାଯାଉଥିବା ଟ୍ରାନଜିଟ୍ ଫର୍ମର କେଉଁସ୍ଥାନକୁ ଯିବ (ଡେଷ୍ଟିନେସନ ପଏଣ୍ଟ)କୁ ଫାଙ୍କା ଛଡାଯାଇଥିଲା। ଯେଉଁ ଖାଲିସ୍ଥାନକୁ ବାଲି ଚାଲାଣ ସମୟରେ ନିଲାମଧାରୀ ପୂରଣ କରିଥାନ୍ତି। କିନ୍ତୁ ଏହାର ଯାଂଚ କରିବା ପାଇଁ କେହି ନଥାନ୍ତି। ମନଇଚ୍ଛା ଡେଷ୍ଟିନେସନ୍ ପଏଣ୍ଟର ନାଁ ପକାଇ ଚାଲାଣକାରୀମାନେ ବାଲି ପଠାଇଥାନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା କଟକ ସଦର, ବାଙ୍କୀ ହେଉ କି ବାରଙ୍ଗ ତହସିଲ୍ ହେଉ କୌଣସି ତହସିଲରେ ଦାଖଲ ହେଉଥିବା ଫର୍ମରେ ରାଜ୍ୟ ବାହାରକୁ ବାଲି ପଠାଯାଉଥିବା ସଂପର୍କିତ ସରକାରୀ ତଥ୍ୟ ନାହିଁ। ଓଡିଶା ମାଇନର ମିନେରାଲ ଆକ୍ଟ ବଳରେ ଏହି ବାଲି ସେମାନେ ରାଜ୍ୟ ଭିତରେ କି ବାହାରେ ହେଉ ଯେକୌଣସି ସ୍ଥାନକୁ ନେଇପାରିବେ। ଏନେଇ ଆଇନରେ କୌଣସି ପ୍ରତିବନ୍ଧକ ନାହିଁ।

କିନ୍ତୁ ଗତ କିଛିଦିନ ତଳେ ଟ୍ରେନ୍ରେ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ବାଲିକୁ ଯଦି ପ୍ରଶାସନ ଧରିପାରିଲା, ତେବେ ବର୍ତ୍ତମାନ ଯେଉଁ ଆନ୍ଧ୍ରକୁ ଟ୍ରକ୍ ଟ୍ରକ୍ ବାଲ ଚାଲାଣ ହେଉଛି ତା ଆଇନ ସମ୍ମତ କି ନା ତାହାକୁ ନେଇ ପ୍ରଶ୍ନ ଉଠୁଛି। ବିନା କାଗଜପତ୍ରରେ ପ୍ରତ୍ୟହ ଶହଶହ ଟ୍ରିପ୍ ବାଲି ଉତ୍ତରପ୍ରଦେଶ, ଆନ୍ଧ୍ର, ଶ୍ରୀକାକୁଲମ୍ ତଥା ଅନ୍ୟ ଅଞ୍ଚଳକୁ ଚାଲାଣ ହେଉଛି। ବାରଙ୍ଗର ନରଣପୁର, ମୁଣ୍ଡମୁହାଣ ବାଲିଘାଟ ସରକାରୀଭାବରେ ନିଲାମ ହୋଇଥିବାବେଳେ ବେଲଗୋଚ୍ଛିଆ ତଥା ବିଭିନ୍ନ ସ୍ଥାନରେ ଚାଲିଛି ଚୋରା ଘାଟ। କିଶନନଗର ତହସିଲ ଅଧୀନରେ ଥାନାଗଡା ବାଲିଘାଟ, ତିପୁର, ବାବୁଜଙ୍ଗ, କୁରୁଳି, ଖେଣ୍ଟାଳ ଆଦି ସରକାରୀଭାବେ ନିଲାମ ହୋଇଥିବାବେଳେ ଚୋରାରେ ଚାଲିଛି ସୋଗଲ ବାଲିଘାଟ। ଜିଲ୍ଲାର ସବୁସ୍ଥାନରେ ବାଲିଘାଟର ଅବସ୍ଥା ଏଭଳି। କିନ୍ତୁ ବାଲିଘାଟ ନେଇ ସେଭଳି କଡା ଆଇନଗତ ପଦେକ୍ଷ ନିଆଯାଉନଥିବାରୁ ଆଇନର ଫାଙ୍କରେ ଖସିଯାଉଛନ୍ତି ମାଫିଆ। ଓଡିଶା ମାଇନର ମିନେରାଲ ଆକ୍ଟର ତର୍ଜମା ଠିକ୍ ଭାବରେ କରାଯାଉନାହିଁ। ଏହି ଆଇନର ଗଳାବାଟ ଦେଇ ଖସିଯାଉଛନ୍ତି ମାଫିଆ।