ବଦଳିଯିବ ନଦୀର ଗତିପଥ, ଚିନ୍ତାରେ ନଈକୂଳିଆ ଲୋକ ! ସୁବର୍ଣ୍ଣପୁର ନଦୀ ଉପରେ ବାଲି ମାଫିଆଙ୍କ ଆଖି

41

କନକ ବ୍ୟୁରୋ : ଦଲାଲଙ୍କ କବଜାରେ ନଈପଠା । ବେଆଇନ ଭାବେ ଖୁଲମଖୁଲା ନଦୀ ଗର୍ଭକୁ ଖୋଳି ପକାଉଛନ୍ତି ଦଲାଲ । ବାଲି ମାଫିଆ ମାନେ ଡ୍ରୋଜର ସାହାଯ୍ୟରେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀର ୪୦ ଫୁଟ ଗର୍ଭ ଖୋଳି ବାଲି ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି । ବେଆଇନ ବାଲି ଚାଲାଣ ହେଉଥିବା ବେଳେ ନଦୀର ଗତିପଥ ପରବର୍ତନକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ନଦୀ ଭିତରେ ଗଣ୍ଡାଗଣ୍ଡା ଡ୍ରୋଜରକୁ ମାଳ ମାଳ ୧୦ ଚକିଆ ଡ୍ରମ୍ଫର । ଦିନ ରାତି ଚାଲିଛି ନଦୀ ଖୋଳା । ରୀତିମତ ବେଆଇନ ଭାବେ ଚାଲାଣ ହେଉଛି ଶହଶହ ଟ୍ରକ ବାଲି । ଏଭଳି ଘଟଣା ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ଦେଖିବାକୁ ମିଳୁଛି । ଜଳେଶ୍ୱର ତହସିଲର ୧୩ଟି ଓ ବସ୍ତା ଅଂଚଳର ୨ଟି ଖାଦାନ ଲିଜରେ ଦିଆଯାଇଛି । ହେଲେ ନଦୀର ୩୦ରୁ ଅଧିକ ସ୍ଥାନରେ ଡ୍ରୋଜ ପଶି ନଦୀଖୋଳି ପକାଉଥିବା ଅଭିଯୋଗ ହୋଇଛି ।

ଲିଜ ନିୟମ ଅନୁସାରେ, ସବୁର୍ଣ୍ଣରେଖା ନଦୀରୁ ଦିନକୁ ୮ ଘଂଟା ଭିତରେ ୩ ଫୁଟର ଗଭୀରରୁ ବାଲି ଖନନ କରାଯାଇପାରିବ । ହେଲେ ଏଠାରେ ୨୪ ଘଂଟା ୪୦ ଫୁଟ ଗଭୀର ଓ ଶହେ ଫୁଟ ଓସାରରେ ବାଲି ଖନନ ଚାଲିଛି । ସରକାରୀ ନିୟମକୁ ଉଲଂଘନ କରି ସୁବର୍ଣ୍ଣରେଖାରୁ ବାଲି ଖୋଳି ଚାଲିଛନ୍ତି ବାଲି ମାଫିଆ । ଏଭଳି ସ୍ଥିତିରେ ନଦୀର ଗତିପଥ ପରିବର୍ତନର ଆଶଙ୍କା ରହିଛି । ଫଳରେ ଚିନ୍ତାରେ ପଡିଯାଇଛନ୍ତି ନଇଳୂଳିଆ ବାସିନ୍ଦା ।ସୁବର୍ଣ୍ଣରେଖାରୁ ବାଲି ଲୁଟି ମାଫିଆମାନେ ମାଲାମାଲ ହେଉଥିବା ବେଳେ ନଦୀ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀ ଚାଷ ପାଇଁ ପାଣି ପାଉନାହିଁ । ଏଭଳି ସ୍ଥିତିରେ ସରକାର ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।