ଏକ ଜବରଦଖଲର ବିରଳ କାହାଣୀ ! ୩୦ ବର୍ଷ ଧରି ଜବରଦଖଲ ହୋଇଥିବା ବିଶାଳ ବିଲ୍ଡିଂ ଉପରେ ଚାଲିଲା ବୁଲଡ଼ୋଜର, ୧୧ ଘଣ୍ଟାରେ ମଧ୍ୟରେ ମାଟିରେ ହୋଇଗଲା ଧୂଳିସାତ

48

କନକ ବ୍ୟୁରୋ : ରାଜଧାନୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଏଜି ଛକ ନିକଟରେ ପାଖାପାଖି ଦେଢ ଏକର ଜମିକୁ ୩୦ ବର୍ଷ ଧରି ନିଜ କବଜାରେ ରଖିଥିଲେ ରଘୁ ରାୟ ନାମକ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ଜାଲ କାଗଜପତ୍ର କରି ଏହି ଜାଗାରେ ସ୍କୁଲ ନିର୍ମାଣ କରିଥିଲେ । ସାଧାରଣ ପ୍ରଶାସନର ଉଦ୍ୟମ ପରେ ବି ହଟିନଥିଲା ଜବରଦଖଲ । ବର୍ଷ, ବର୍ଷର ନ୍ୟାୟିକ ଲଢେଇ ପରେ ହାଇକୋର୍ଟର ନିର୍ଦ୍ଦେଶ ପରେ କୋଟି କୋଟି ଟଙ୍କାର ଏହି ଜମିକୁ ଦଖଲକୁ ନେଇଛନ୍ତି ରାଜ୍ୟ ସରକାର । ଜବରଦଖଲ ହଟିବା ପରେ ସେହି ସ୍ଥାନରେ ମ୍ୟୁଜିୟମ ଅଫ୍ ଅର୍ବାନ ହିଷ୍ଟ୍ରୀ ପାଇଁ ବାଟ ଫିଟିଛି ।

ସରକାର ଭାଙ୍ଗି ଦେଇଥିବା ବିଶାଳ ବିଲ୍ଡିଂ ସହ ମାଟିରେ ମିଶିଯାଇଛି ଜବରଦଖଲର ଏହି ବିରଳ କାହାଣୀ । ରାଜଧାନୀର ହୃଦୟ ଉପରେ ହୋଇଥିଲା ଜବରଦଖଲ । ପାଖରେ ସଚିବାଳୟ, ଟିକେ ଦୂରରେ ବିଧାନସଭା । ମାତ୍ର ଜବରଦଖଲ ହଟାଇବାକୁ ଲାଗିଥିଲା ୩୦ ବର୍ଷ । ଜୁନ୍ ୧, ସକାଳ ୬ଟା । ଭୁବନେଶ୍ୱରର ଏଜି ଛକ । ଇନ୍ଦିରାଗାନ୍ଧୀ ଇଙ୍ଗଲିସ୍ ମିଡିୟମ ସ୍କୁଲ ଉପରେ ଚାଲିଥିଲା ବୁଲଡୋଜର । ଖଣ୍ଡ ଖଣ୍ଡ ହୋଇ ଭୁଶୁଡି ଯାଇଥିଲା ଏହି ବିଶାଳ ବିଲ୍ଡିଂ । ୧୧ ଘଂଟାର କସରତ ପରେ ସ୍କୁଲ ନାଁରେ ମାଡ଼ି ବସିଥିବା ପାଖାପାଖି ଦେଢ ଏକର ଜାଗାକୁ ନିଜ ଦଖଲକୁ ନେଇଥିଲେ ରାଜ୍ୟ ସରକାର ।

ଏଜି ଛକ ନିକଟରେ ୧୯୮୮ ମସିହାରେ ଜୈନିକ ସାମ୍ବାଦିକ ରଘୁ ରାୟ, ୧ ଦଶମିକ୍ ୩ ଏକର ଜମିକୁ ମାଡ଼ି ବସି ସ୍ଥାପନ କରିଥିଲେ ଇନ୍ଦିରାଗାନ୍ଧୀ ଇଲିଂସ୍ ମିଡିୟମ ସ୍କୁଲ । ସଂପୃକ୍ତ ବ୍ୟକ୍ତି ନିଜ ପ୍ରଭାବ ବିସ୍ତାର କରି ଜାଲ ଲ୍ୟାଣ୍ଡ ରେକର୍ଡ ପ୍ରସ୍ତୁତ କରିଥିଲେ ଏବଂ ସିବିଏସଇ ସହ ଅନୁବନ୍ଧିତ କରି ସ୍କୁଲ ଚଳାଉଥିଲେ । ସରକାର ତାଙ୍କଠାରୁ ଜମି ଛଡ଼ାଇବାକୁ ଉଦ୍ୟମ କରିଥିଲେ ବି ଏହା ଏତେ ସହଜ ନଥିଲା । ଏହି ଜାଲିଆତି ମାମଲା କୋର୍ଟକୁ ଯିବା ପରେ ସିବିଏସଇ ଆଫିଲିଏସନ ପ୍ରତ୍ୟାହାର କରି ନେଇଥିଲା । ଏବଂ ୨୦୦୭ ମସିହାରୁ ସ୍କୁଲ ବନ୍ଦ ହୋଇଯାଇଥିଲା । ହେଲେ ଜାଗା ରହିଥିଲା ଜବରଦଖଲରେ । ଜବରଦଖଲକାରୀ ରଘୁ ରାୟଙ୍କ ବିରୋଧରେ ମାମଲା ଦାୟର କରିଥିଲା ସାଧାରଣ ପ୍ରଶାସନ ବିଭାଗ, ଏହାକୁ ସେ ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ । ଦୀର୍ଘ ବର୍ଷର ନ୍ୟାୟିକ ଲଢେଇ ପରେ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଏହା ସାଧାରଣ ଜବରଦଖଲ ନ ଥିଲା । ଏହା ପ୍ରମାଣ କରିଥିଲା ପ୍ରଭାବଶାଳୀଙ୍କ କବଜାରୁ ଜବରଦଖଲ ହଟାଇବା କେତେ କଷ୍ଟ, କେତେ କସରତ କରିବାକୁ ପଡ଼େ । ବସ୍ତିବାସିନ୍ଦା ମୁଣ୍ଡ ଗୁଂଜିବାକୁ ଜାଗା ପାଉନଥିବା ବେଳେ ଜଣେ ଲୋକ ହଡ଼ପ କରି ନେଇଥିଲେ ଏତେ ବଡ଼ ଅଂଚଳ । ଜବରଦଖଲର ଏହି କାହାଣୀ ଯେତିକି ଚମକପ୍ରଦ, ସେତିକି ଚିନ୍ତାଜନକ । ପୂରା ପ୍ରଶାସନର ଆଖି ଆଗରେ ହୋଇଥିଲା ଏତେ ବଡ଼ ଜବରଦଖଲ । ପ୍ରତିଦିନ ଏହି ଜମିର ପାଖ ରାସ୍ତା ଦେଇ ମନ୍ତ୍ରୀଠାରୁ ବରିଷ୍ଠ ଆଇଏଏସ୍ ଅଧିକାରୀ ପର୍ଯ୍ୟନ୍ତ ଯିବା ଆସିବା କରିଥାନ୍ତି । ଏହାରି ଭିତରେ ଅନେକ ସରକାର ବଦଳିଛି, ମୁଖ୍ୟମନ୍ତ୍ରୀ ବି ବଦଳିଛନ୍ତି । ହେଲେ ଏହି ଜମିରୁ ଜବରଦଖଲକୁ ହଟାଇବା ପାଇଁ ଲାଗିଯାଇଛି ୩୦ ବର୍ଷ ।