ଶସ୍ତା ହେଲା ଦାମୀ ଇଲିସି । ଦେଢ ହଜାରରୁ ହେଲା ୧୫୦ ଟଙ୍କା, ମାଛ ବୋହି ନେଇ ଯାଉଛନ୍ତି ଗ୍ରାହକ

144

କନକ ବ୍ୟୁରୋ : ଚାକିରି କରିବ ପୁଲିସି, ମାଛ ଖାଇବ ଇଲିସି । ଓଡ଼ିଆରେ ବ୍ୟବହାର ହେଉଥିବା ଏହି ଢ଼ଗ ହିଁ ପ୍ରମାଣ କରିଦିଏ ଇଲିସି ମାଛର ଚାହିଦା କେତେ? ବିଶେଷ କରି ଇଲିସି ମାଛର ସ୍ୱାଦ, ଅନ୍ୟ ମାଛଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଦୁର୍ବଳତା ଥାଏ । ସେଇଥିପାଇଁ ତ’ ଇଲିସି କିଲୋ ପିଛା ହଜାରେ-୧୫ଶହ ଟଙ୍କା ଯାଏଁ ବିକ୍ରି ହୁଏ । ହେଲେ ଏବେ ଧାମରାରେ ଏହି ଦାମିକା ମାଛ ମିଳୁଛି ଶସ୍ତାରେ ।

ଯେଉଁ ମାଛକୁ କିଛି ଦିନ ପୂର୍ବରୁ ଲୋକ ହଜାରେ ଟଙ୍କାରୁ ୧୫ଶହ ଟଙ୍କା ଯାଏଁ କିଣୁଥିଲେ, ଏବେ ଏହା ମିଳୁଛି ମାତ୍ର ୧୫୦ ଟଙ୍କାରେ । ପୂର୍ବ ମୁହାଁ ସିତୁଆ ପବନରେ ଇଲିସି ମାଛ ମୁହାଣ ମୁହାଁ ହେଉଥିବା ବେଳେ ମତ୍ସ୍ରଜୀବୀଙ୍କ ଜାଲରେ ପଡୁଛନ୍ତି ଶହ ଶହ କ୍ୱିଣ୍ଟାଲ ମାଛ । ଧାମରା ଚନ୍ଦିନୀପାଳ ଅଂଚଳରେ ପ୍ରତିଦିନ ମତ୍ସ୍ୟଜୀବୀ ମାନେ ଟନ ଟନ୍ ଇଲିସି ଧରୁଥିବାରୁ ଏବେ ମାଛ ଦର ଶସ୍ତା ହୋଇଛି । ବରଫ ଦେଇ ଏତେ ମାତ୍ରାରେ ମାଛ ରଖିବାରେ ମତ୍ସ୍ୟଜୀବୀ ସକ୍ଷମ ନଥିବାରୁ ଶସ୍ତାରେ ବିକ୍ରି କରି ଦେଉଛନ୍ତି ଇଲିସି ମାଛ ।

ଧାମରା ଅଂଚଳର ବିଦ୍ୟୁତ ସମସ୍ୟା ଯୋଗୁଁ ଆବଶ୍ୟକୀୟ ବରଫ ବି ମିଳୁନାହିଁ । ଫଳରେ ଇଲିସି ମାଛ ଗୁଡିକ ନଷ୍ଟ ହୋଇଯାଉଥିବାରୁ ମତ୍ସ୍ୟଜୀବୀ ଖୁବ୍ କମ୍ ଦରରେ ବିକ୍ରି ଦେଉଛନ୍ତି । ଆଉ ଇଲିସ ମାଛର ଦର କମ ରହିଥିବାରୁ ଧନୀ ଓ ଗରିବ ସମସ୍ତେ ଏହି ମାଛ କିଣି ପାରୁଛନ୍ତି । ଇଲିସିର ଓଜନ ୫ଶହ ଗ୍ରାମରୁ ଅଧିକ ରହୁଥିବା ବେଳେ ସ୍ୱାଦ ବି ବେଶ ଭଲ ରହିଛି ।ବର୍ଷା ପାଗରେ ସୁଆଦିଆ ମାଛ ଶସ୍ତାରେ ମିଳୁଥିବାରୁ ଗ୍ରାହକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।