ମୁଁ ଇଲିସି, ମୋତେ ଛୁଁଅନି ! ମାଛ କେଜି ଅଢେଇ ହଜାର

121

କନକ ବ୍ୟୁରୋ : ଗ୍ରାହକଙ୍କୁ ଇଲିସି ଖାଇବା ମନା । ପକେଟରେ ଅଢେଇ ହଜାର ଅଛି ତ ଇଲିସି ପାଇଁ ମନ ବଳାଅ । ନହେଲେ ଇଲିସି ବଜାରକୁ ଯାଆନ୍ତୁ ନାହିଁ । କାରଣ ଅନ୍ୟ କେଉଁ ବଜାରର ନୁହେଁ ସମଦ୍ର କୂଳିଆ ସହର ପାରାଦୀପ ଇଲିସି ବଜାରରେ ଲାଗିଛି ନିଆଁ । ଉତ୍ପାଦନ କମୁଥିବାର ମାଛ ଦର ରହିଛି ଅଢେଇ ହଜାର । କଥାରେ ଅଛି, ଚାକିରି କରିବ ପୁଲିସ, ମାଛ ଖାଇବ ଇଲିସି । ହେଲେ ଆପଣଙ୍କ ପକେଟରେ ଯଦି ଯଥେଷ୍ଟ ପଇସା ନାହିଁ ତେବେ ଇଲିସି ଖାଇବା ଏବେ ସ୍ୱପ୍ନ ହୋଇଯିବ । କାରଣ, ବଜାରରେ ଏବେ ଇଲିସି କହୁଛି ମୋତେ ଛୁଅଁନି । ଭୁବନେଶ୍ୱର କି କଟକ କଥା ଛାଡନ୍ତୁ ପାରାଦୀପରେ ଏବେ ଏହି ସୁଆଦିଆ ମାଛର ଦର ଆକାଶ ଛୁଆଁ । ସୁନା ଏକ ଗ୍ରାମର ଦର ସହିତ ଇଲିସ ୧ କେଜିର ଦର ଏବେ ପ୍ରାୟ ସମାନ ।

ଶିଳ୍ପ ନଗରୀରେ ଗଢି ଉଠିଥିବା କଳକାରଖାନାର ବିଷାକ୍ତ ପାଣି ଯୋଗୁଁ ଇଲିସି ଉତ୍ପାଦନ କମୁଛି । କଳକାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ପାଣି ସିଧାସଳଖ ସମୁଦ୍ରରେ ମିଶିବା ଯୋଗୁଁ ଜଳ ପ୍ରଦୂଷଣ ହେଉଥିବା ଅଭିଯୋଗ ହେଉଛି । ଯାହାର ପ୍ରଭାବ ଏବେ ବଜାର ଉପରେ ପଡିଛି । କମ୍ ଉତ୍ପାଦନ ସାଙ୍ଗକୁ ମାଛ ଧରିବା ପାଇଁ ମତ୍ସ୍ୟଜୀବୀଙ୍କୁ ଅଧିକ ଖର୍ଚାନ୍ତ ହେବାକୁ ପଡୁଥିବାରୁ ପାରାଦୀପ ବଜାରରେ ଇଲିସି ଦର ଏବେ ୨ ହଜାରରୁ ଅଢେଇ ହଜାର ରହିଛି । ଫଳରେ ସାଧାରଣ ଲୋକଙ୍କ ପାଇଁ ଏ ମାଛ ଖାଇବା ସ୍ୱପ୍ନ ପାଲଟିଛି । ଏବେ ତ ଇଲିସ ଦର ଆକାଶ ଛୁଆଁ ହୋଇଛି, ଜଳ ପ୍ରଦୂଷଣ ଯଦି ଏହିଭଳି ବଢେ ତେବେ ଆଗକୁ ଏ ମାଛ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ପରିବେଶବିତ୍ ।