ଟ୍ରାଫିକ ଜାମକୁ ବାଏ ବାଏ ! ଆକାଶରେ ଉଡ଼ିବାକୁ ଭାରତ ନିର୍ମାଣ କରୁଛି ଉଡ଼ନ୍ତା କାର, ସେନାକୁ ମଧ୍ୟ କରିପାରିବ ସାହାଯ୍ୟ

39

ଦିନକୁ ଦିନ ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହେବାରେ ଲାଗିଛି । ଯେଉଁ ସ୍ଥାନରେ ଦଶ ମିନିଟରେ ପହଞ୍ଚି ହେବ ସେଠାକୁ ଯିବାକୁ ଘଣ୍ଟାଏରୁ ମଧ୍ୟ ଅଧିକ ସମୟ ଲାଗୁଛି । ଦ୍ରୁତ ସହରୀକରଣ, ଆଧୁନିକ ଲାଇଫଷ୍ଟାଇଲ ଯୋଗୁଁ ଏଭଳି ସମସ୍ୟା ବଢ଼ି ବଢ଼ି ଚାଲିଛି । ସହରରେ ଯାନବାହାନ ସଂଖ୍ୟା ବୃଦ୍ଧି ହେତୁ ଟ୍ରାଫିକ ସମସ୍ୟା ଦେଖାଯାଉଛି । ଆଉ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଇଆଇଟି କାନପୁରର ବିଶେଷଜ୍ଞ ଏବେ ଉଡ଼ନ୍ତା କାର ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏହି ଉଡ଼ନ୍ତା କାର ଯେ କୌଣସି ସ୍ଥାନରୁ ଟେକ ଅଫ୍ ଓ ଲ୍ୟାଣ୍ଡିଂ କରିପାରିବ । ଏଥିପାଇଁ କୌଣସି ରନୱେର ଆବଶ୍ୟକତା ପଡ଼ିବ ନାହିଁ ।

ଉଡ଼ନ୍ତା କାର ନିର୍ମାଣ ପାଇଁ ବିଟଲ ଏଭିଏସନ କମ୍ପାନି ଠାରୁ ୧୫ କୋଟି ଟଙ୍କା ଆଣିଛି ଆଇଆଇଟି କାନପୁର । ଏରୋସ୍ପେଶ ଇଞ୍ଜିନିୟରିଙ୍ଗ ବିଭାଗ ଆଗାମୀ ୫ ବର୍ଷ ମଧ୍ୟରେ ୮୦୦ରୁ ୧୦୦୦ କିଲୋଗ୍ରାମର ପ୍ରୋଟୋଟାଇପ ମଡ଼େଲ ପ୍ରସ୍ତୁତ କରିବ । ଏହାର ସଫଳ ପରୀକ୍ଷଣ ପରେ ଏଭଳି ଉଡ଼ନ୍ତା କାରକୁ ମୁ୍ମ୍ବାଇରେ ନିର୍ମାଣ କରାଯିବ । ସବୁଠୁ ବଡ଼ କଥା ହେଲା ଏହି ଉଡ଼ନ୍ତା କାରର ମଡ଼େଲକୁ ମେକ୍ ଇନ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯିବ ।

୧୨ ହାଜର ଫୁଟ୍ ଉପରେ ଉଡ଼ିବ କାର :
ଆଇଆଇଟି କାନପୁରର ଏରୋସ୍ପେଶ ବିଭାଗ ଆକାଶରେ ଉଡ଼ିପାରୁଥିବା ଦୁଇ ସିଟ୍ ବିଶିଷ୍ଟ କାର ନିର୍ମାଣ କରିବ । ଏହି ଉଡ଼ନ୍ତା କାର ସର୍ବାଧିକ ୧୨ ହଜାର ଫୁଟ ଉପର ପର୍ଯ୍ୟନ୍ତ ଉଡ଼ି ପାରିବ । ଏହାଛଡ଼ା ସର୍ବନିମ୍ନ ୧୦୦୦ ଫୁଟ ତଳେ ଏହି କାର ଉଡ଼ିପାରିବ । ଏହାଛଡ଼ା କାରର ଗତି ସେକେଣ୍ଡ ପ୍ରତି ୯୦ରୁ ୧୦୦ ମିଟର ରହିବ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆକାଶରେ ଉଡ଼ି ପାରୁଥିବା ଏହି କାରରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି । ଖାସକରି ଏଥିରେ ବିଭିନ୍ନ ପ୍ରକାର ସେନସର ଲଗାଯିବ । ଏପରିକି କୌଣସି ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ପାରାଚ୍ୟୁଟର ମଧ୍ୟ ସୁବିଧା ରହିବ କି ନାହିଁ ସେନେଇ ବିଚାରବିମର୍ଷ ଚାଲିଛି । ଏହାଛଡ଼ା ଇଞ୍ଜନରୁ କମ ଶବ୍ଦ ଆସିବା ଓ ଏୟାର ଟ୍ରାଫିକରେ ଯେମିତି କୌଣସି ଅସୁବିଧା ନ ଦେଖାଦେବ ତାହା ଉପରେ ମଧ୍ୟ କାମ ଚାଲିଛି ।

ସେନାର ରେସ୍କ୍ୟୁ ଅପରେସନରେ ମଧ୍ୟ କାମ ଦେବ :
ଏହି ଉଡ଼ନ୍ତା କାରକୁ ସେନାର ଉଦ୍ଧାର କାର୍ଯ୍ୟରେ ମଧ୍ୟ ସାମିଲ କରାଯାଇପାରିବ । ଏୟାରକ୍ରାଫ୍ଟ ଓ ହେଲିକପ୍ଟର ଇଞ୍ଜନରୁ ଅଧିକ ଶବ୍ଦ ଆସୁଥିବାରୁ ଅଧିକାଂଶ ସମୟରେ ଶତ୍ରୁପକ୍ଷ ଏହାର ସୂଚନା ହାସଲ କରି ନେଇଥାନ୍ତି । କିନ୍ତୁ ଏହି ଉନନ୍ତା କାର ଶତ୍ରୁପକ୍ଷକୁ ମାତ୍ ଦେଇ ପାହାଡ଼ ଓ ବରଫାବୃତ ଅଞ୍ଚଳରେ ବେଶ ଆରାମରେ ଉଡ଼ିପାରିବ । ଆଇଆଇଟି କାନପୁରର ବିଶେଷଜ୍ଞ ମାନେ ମେ ୧୦ରେ ୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ୟୁଏବିକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ସଫଳତାର ସହ ଉଡ଼ାଇଥିଲେ । ଏରୋସ୍ପେଶ ବିଭାଗର ମୁଖ୍ୟ ଏକେ ଘୋଷଙ୍କ କହିବା ଅନୁଯାୟୀ, ଆଗାମୀ ୫ ବର୍ଷ ମଧ୍ୟରେ ଆକାଶରେ ଉଡ଼ି ପାରୁଥିବା କାରର ମଡ଼େଲ ପ୍ରସ୍ତୁତ କରାଯିବ । ଏହାକୁ ବେଶ ସହଜରେ ଉଡ଼ାଯାଇପାରିବ ଓ ଲ୍ୟାଣ୍ଡିଂ ମଧ୍ୟ କରାଯାଇପାରିବ ।