ବନ୍ଧା ପଡିଲେ ଆଇଆଇସି ! ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ଗଂଜାମ ବଡଗଡ ଥାନା ଅଧିକାରୀ ସାରା ରାତି ହଟହଟା

56

କନକ ବ୍ୟୁରୋ : ଆଇଆଇସିଙ୍କୁ ବାନ୍ଧି ରଖିଲେ ଗାଁଲୋକେ । ରାତି ସାରା ଗାଁ ମନ୍ଦିରରେ ଆଇଆଇସିଙ୍କୁ ଗାଁଲୋକେ ବାନ୍ଧି ରଖିଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ବଡଗଡ ଥାନା କରଡାକଣା ଗାଁରେ ଗତ ରାତିରେ ଆଇଆଇସିଙ୍କୁ ଗାଁ ମନ୍ଦିର ଭିତରେ ବାନ୍ଧି ରଖିଥିଲେ ଗାଁଲୋକେ । ବିଜେଡି କର୍ମିଙ୍କ ସୂଚନାକୁ ଭିତ୍ତି କରି ଆଇଆଇସି ଲୋକଙ୍କୁ ଅଟକ କିମ୍ବା ଗିରଫ କରୁଥିଲେ ବୋଲି ଅଭିଯୋଗ କରି ଗାଁଲୋକେ ତାଙ୍କୁ ବାନ୍ଧି ରଖିଥିଲେ ।

ଆଜି ପଂଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଥିବାରୁ ଗତକାଲି ରାତିିରେ ବିଜେଡି କର୍ମୀ ପ୍ରତାପ ପ୍ରଧାନଙ୍କ ଫୋନକଲକୁ ଭିତ୍ତି କରି ଗାଁରେ ପହଂଚିଥିଲେ ବଡଗଡ ଆଇଆଇସି ଜୀବନାନନ୍ଦ ଜେନା । ଏହାପରେ ଗାଁର ସନ୍ତୋଷ କୁମାର ଭଂଜ ନାମକ ଜଣେ ଯୁବକଙ୍କୁ ଆଇଆଇସି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଏଥିରେ ଗାଁଲୋକେ ଉତକ୍ଷିପ୍ତ ହୋଇ ଆଇଆଇସିଙ୍କୁ ଘେରି ରଖିବା ସହ ଗାଁ ମନ୍ଦିରରେ ବାନ୍ଧି ରଖିଥିଲେ । ତେବେ ତାଙ୍କୁ ମୁକୁଳାଇବା ପାଇଁ ପହଂଚିଥିବା ବିଜେଡି କର୍ମୀଙ୍କୁ ମଧ୍ୟ ଗାଁଲୋକେ ଅଟକ ରଖିଥିଲେ । ଆଜି ସକାଳୁ ଶେରଗଡ ତହସିଲଦାର ୧ପ୍ଲାଟୁନ ପୁଲିସ ଫୋର୍ସ ସହ ଗାଁରେ ପହଂଚି ମନ୍ଦିରର କବାଟ ଭାଙ୍ଗି ଆଇଆଇସି ଓ ବିଜେଡି କର୍ମୀଙ୍କୁ ଉଦ୍ଧାର କରିଥିଲେ ।