ଏଣିକି ୧୦୦ ଟଙ୍କା ଜମା କଲେ ଜମିପଟ୍ଟା ଘରେ ପହଞ୍ଚିବ । ମାତ୍ର ୯୦ଦିନ ମଧ୍ୟରେ ଆବେଦନକାରୀ ପାଇବେ ପଟ୍ଟା

ଜମି କିଣିଲେ ପଟ୍ଟା ପାଇବା ପାଇଁ ତହସିଲ୍ ଅଫିସ କି ଆରଆଇ ଅଫିସକୁ ଦଉଡ଼ିବାକୁ ପଡ଼ିବନି

1,182

କନକ ବ୍ୟୁରୋ : ଏଣିକି ଜମି କିଣିଲେ ପଟ୍ଟା ପାଇବା ପାଇଁ ତହସିଲ୍ ଅଫିସ କି ଆରଆଇ ଅଫିସକୁ ଦଉଡ଼ିବାକୁ ପଡ଼ିବନି। କେବଳ ସେଲ୍ ଡିଡ୍ ନୁହେଁ ଗିଫ୍ଟ ଡିଡ୍, ଏକ୍ସଚେଞ୍ଜ୍ ଡିଡ୍, ପାର୍ଟିସନ୍ ଡିଡ୍ ସମୟରେ ବି ସତ୍ତ୍ବାଧିକାର ପରିବର୍ତ୍ତନ ତଥା ନୂଆ ପଟ୍ଟା ପାଇବା ସହଜ ହେବ। ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରି କରିବା ପରେ ପଟ୍ଟା ପାଇଁ ଜମି କ୍ରେତା ଆବେଦନ କରିବେ। ଗୋଟିଏ ଖାତାରେ ଜମି କିଣିଥିଲେ ଏବଂ ବିବାଦଶୂନ୍ୟ ହୋଇଥିଲେ ମାତ୍ର ୧୦୦ ଟଙ୍କାରେ ଘରେ ପଟ୍ଟା ପହଞ୍ଚିଯିବ। ତାହା ପୁଣି ୯୦ ଦିନ ମଧ୍ୟେର ସ୍ପିଡ୍ ପୋଷ୍ଟ୍ ମାଧ୍ୟମରେ।

 

ରାଜସ୍ବ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଜମି ରେଜିଷ୍ଟ୍ରି ସମୟରେ କ୍ରେତାଙ୍କୁ ଅତିରିକ୍ତ ୧୦୦ଟଙ୍କା ଜମା କରିବାକୁ ପଡ଼ିବ। ଏଥିରୁ ୫୦ଟଙ୍କା ବର୍ତ୍ତମାନର ନିୟମାବଳୀ ଅନୁଯାୟୀ ତହସିଲଦାର୍ ଏହାକୁ ଖର୍ଚ୍ଚ କରିବେ। ୩୦ଟଙ୍କା ୟୁଜର ଚାର୍ଜ/ ଆବେଦନ ପତ୍ର ବାବଦକୁ ଯିବ। ଜମି ଚିହ୍ନଟ ପାଇଁ ୨୦ଟଙ୍କା ଜମା କରିବାକୁ ପଡ଼ିବ। ଯଦି ଏକାଧିକ ଖାତାରେ ଜମି କିଣୁଥିବେ ତେବେ କ୍ରେତାଙ୍କୁ ଖାତା ପିଛା ସେତିକି ୧୦୦ ଟଙ୍କା ଦେବାକୁ ପଡ଼ିବ।

ଜମି ରେଜିଷ୍ଟ୍ରି ସମୟରେ ରେଜିଷ୍ଟରିଂ ଅଧିକାରୀ ଉପରୋକ୍ତ ଫି’ ଆଦାୟ କରିବେ। ଏଥିପାଇଁ ଜମି କ୍ରେତାଙ୍କ କମ୍ପ୍ୟୁଟରରୁ ବାହାରିଥିବା ମନି ରସିଦ୍ ଦେବେ। କ୍ରେତା ପାଇବାକୁ ଥିବା ପଟ୍ଟା ପାଇଁ ଠିକ୍ ଠିକଣା ଦେଇଛନ୍ତି କି ନାହିଁ ତାହାକୁ ବି ନିଶ୍ଚିତ କରିବେ। ଏହାସହ ରେଜିଷ୍ଟରିଂ ଅଧିକାରୀ କ୍ୟାସ୍ ବୁକରେ ଏହାକୁ ରେକର୍ଡ କରିବେ। ପ୍ରତି ସପ୍ତାହରେ ରେଜିଷ୍ଟରିଂ ଅଧିକାରୀଜମି ଚିହ୍ନଟ ପାଇଁ ଆଦାୟ ହୋଇଥିବା ୨୦ଟଙ୍କା ଏବଂ ୟୁଜର ଫି’କୁ ସରକାରୀ ଆକାଉଣ୍ଟରେ ଜମା କରିବେ। ଏଥିପାଇଁ ସ୍ବତନ୍ତ୍ର ଆକାଉଣ୍ଟ ରହିବ। ପ୍ରତି ମାସରେ ରେଜିଷ୍ଟରିଂ ଅଧିକାରୀ ଅର୍ଥ ଜମାର ରିପୋର୍ଟ ତହସିଲଦାରଙ୍କୁ ଦେବେ। ରାଜସ୍ବ ବିଭାଗ ପକ୍ଷରୁ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ସେହିଦିନ ଠାରୁ ଲାଗୁ କରାଯିବ ବୋଲି କୁହାଯାଇଛି।