ରାଜଧାନୀର ଘର ମାଲିକ ସାବଧାନ ! ଏଣିକି ଛାତ ଉପରେ ଲଗାଇପାରିବେ ନାହିଁ ହୋଡିଂ, ବିଜ୍ଞାପନ ଲଗାଇଥିବା କମ୍ପାନୀକୁ ବିଏମସି ପକ୍ଷରୁ ଯିବ ନୋଟିସ

67

କନକ ବ୍ୟୁରୋ : ରାଜଧାନୀର ୪୦ କିମି ପ୍ରମୁଖ ରାସ୍ତା କଟକ ରୋଡ୍, ଜନପଥ, ସଚିବାଳୟ ମାର୍ଗ ଏବଂ ବିଦ୍ୟୁତ ମାର୍ଗରେ କୌଣସି ଛାତ ଉପରେ ହୋର୍ଡିଂ ଲାଗିବନି। ବିଏମସିର ବିଜ୍ଞାପନ ନୀତି ଅନୁଯାୟୀ, ଛାତ ଉପରେ ଲାଗିଥିବା ସମସ୍ତ ହୋର୍ଡିଂ ବେଆଇନ। ତେଣୁ ରାଜଧାନୀବାସୀଙ୍କ ସୁରକ୍ଷା ଓ ସହରର ସୌନ୍ଦର୍ଯ୍ୟକରଣକୁ ଦୃଷ୍ଟିରେ ରଖି ଏହି ସବୁ ବେଆଇନ ହୋର୍ଡିଂକୁ ଉଚ୍ଛେଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ କେତେକ ସ୍ଥାନରେ ହୋର୍ଡିଂ ଉଚ୍ଛେଦକୁ ବିଜ୍ଞାପନ ଏଜେନ୍ସିମାନେ ବିରୋଧ କରୁଥିବା ବେଳେ ଆଉ କେତେକ ସ୍ଥାନରେ ଘର ମାଲିକମାନେ ବିରୋଧ କରୁଛନ୍ତି। ତେଣୁ ଏହାର ସମାଧାନ ବାଟ ବାହାର କରିଛି ବିଏମସି।

 

ବିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀର ପ୍ରମୁଖ ୪୦କିମି ରାସ୍ତାରେ ଯଦି କୌଣସି ସ୍ଥାନରେ ବେଆଇନ ହୋର୍ଡିଂ ଲାଗିଥିବ, ତେବେ ତାକୁ ତୁରନ୍ତ ହଟାଇବାକୁ ଜୋନାଲ ଡେପୁଟି କମିଶନରମାନଙ୍କୁ କୁହାଯାଇଛି। ସେମାନଙ୍କ ଅଧୀନରେ ଗଠନ ହୋଇଥିବା ଏନଫୋର୍ସମେଣ୍ଟ ଟିମ୍ ଏହାକୁ ବିନା ନୋଟିସର ଉଚ୍ଛେଦ କରିବେ। ଏହାସହ ହୋର୍ଡିଂ ଲାଗିଥିବା ଫ୍ରେମ୍କୁ କାଟି ଛାତ ଉପରେ ରଖିଦେବେ। ଏହି ଫ୍ରେମଗୁଡ଼ିକୁ ଗ୍ୟାସ କଟର ସହାୟତାରେ କାଟିବାକୁ ଅଧିକ ସମୟ ଲାଗୁଥିବାରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି। ଏସବୁ ବାଦ୍ ଯେଉଁମାନେ ଛାତ ଉପରେ ହୋର୍ଡିଂ ଲଗାଇଥିବେ, ସେହି ସଂସ୍ଥାର ମୁଖ୍ୟାଳୟକୁ ନୋଟିସ୍ କରାଯିବ।

 

ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସଂସ୍ଥା ହୋଇଥିଲେ ବି ସେମାନଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ନୋଟିସ୍ ପଠାଯିବ। କାହିଁକି ବେଆଇନ ହୋର୍ଡିଂ ଲଗାଇଛନ୍ତି, ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ଏହାକୁ ତୁରନ୍ତ ହଟାଇବାକୁ କୁହାଯିବ। ଏହାପରେ ଯଦି ସେମାେନ ହୋର୍ଡିଂ ନ ହଟାନ୍ତି, ତେବେ ଖବରକାଗଜରେ ଏନେଇ ବିଜ୍ଞାପନ ଦିଆଯିବ। କେବଳ ଏତିକି ନୁହେଁ, ଯେଉଁ ଘର ମାଲିକମାନେ ଛାତ ଉପରେ ବେଆଇନ ଭାବେ ହୋର୍ଡିଂ ଲଗାଇଥିବେ, ସେମାନଙ୍କଠାରୁ ଯେବେଠୁ ଏହାକୁ ଲଗାଇଛନ୍ତି, ସେବେଠାରୁ ବ୍ୟବସାୟିକ ମୂଲ୍ୟରେ ହୋଲଡିଂ ଟିକସ ଆଦାୟ ହେବ।

 

ଏହାବାଦ୍ ଘରର ବିଲ୍ଡିଂ ପ୍ଲାନ୍ ଆବାସିକ ନା ବ୍ୟବସାୟିକ ଉଦ୍ଦେଶ୍ୟରେ ନିଆଯାଇଛି, ଘର ପ୍ଲାନ୍ ଅନୁଯାୟୀ ନିର୍ମାଣ ହୋଇଛି କି ନାହିଁ ସେସବୁ ଯାଞ୍ଚ କରାଯିବ। ଏଥିରେ ଯଦି ଘର ମାଲିକ ଖିଲାପକାରୀ ଥିବା ପ୍ରମାଣ ମିଳେ, ତେବେ ଜରିମାନା ଆଦାୟ ସହ ଘର ଭାଙ୍ଗିବା ଭଳି ପଦକ୍ଷେପ ନିଆଯିବ ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି। ହକି ବିଶ୍ବକପ୍ ପୂର୍ବରୁ ବିଏମସି ପକ୍ଷରୁ ବେଆଇନ ହୋର୍ଡିଂ ହଟାଇବା ନେଇ କାର୍ଯ୍ୟାନୁଷ୍ଠାନ ଜୋରଦାର୍ କରିବାକୁ ନିଷ୍ପତ୍ତି ହୋଇଛି।