ଫେସବୁକ ପେଜରେ ଲାଇକ୍ ଓ ଟ୍ୱିଟରରେ ଫଲୋଅର୍ସ ଅଛନ୍ତି କି ? ଆପଣ ବି ପାଇପାରିବେ କଂଗ୍ରେସ ଟିକେଟ, ପଢନ୍ତୁ ପୂରା ଖବର

27

ନିର୍ବାଚନରେ ପ୍ରାର୍ଥୀ ବାଛିବା ପାଇଁ କଂଗ୍ରେସର ନୂଆ ଫର୍ମୂଲା । ବିଜେପି ଭଳି କଂଗ୍ରେସ ଏଣିକି ସୋସିଆଲ ମିଡିଆ ସାହାର୍ଯ୍ୟରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛି । ଏଣିକି ସଙ୍ଗଠନ ସହ ସୋସିଆଲ ମିଡିଆରେ ସକ୍ରିୟ ରହିଲେ ହିଁ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ଟିକେଟ ମିଳିବ ସ୍ପଷ୍ଟ କରିଛି କଂଗ୍ରେସ । ତେବେ ଏହି ନିୟମ ଓଡିଶାରେ ନୁହେଁ ମଧ୍ୟପ୍ରଦେଶ ପାଇଁ ଲାଗୁ କରିଛି କଂଗ୍ରେସ । ଆଗକୁ ଆସୁଛି ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ । ତେବେ ଚଳିତ ଥର ସୋସିଆଲ ମିଡିଆ ସାହାର୍ଯ୍ୟରେ ନିର୍ବାଚନ ଲଢିବାକୁ ସ୍ଥିର କରିଛି କଂଗ୍ରେସ । ଆଉ ଏହାସହ ଟିକେଟ ଆଶାୟୀଙ୍କ ପାଇଁ ନୂଆ ଟାସ୍କ ଆଣିଛି କଂଗ୍ରେସ । ଯେଉଁମାନଙ୍କର ସୋସିଆଲ ମିଡିଆରେ ଅଧିକ ସଂଖ୍ୟକ ଫଲୋଅର୍ସ ଥିବେ ସେମାନଙ୍କୁ ହିଁ ଦଳୀୟ ଟିକେଟ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାଛଡା ଫେସବୁକ ଓ ଟ୍ୱିଟରରେ ଆଶାୟୀ ପ୍ରାର୍ଥୀ ମାନଙ୍କର ଆକାଉଣ୍ଟ ରହିବା ବାଧ୍ୟତାମୂଳକ ବୋଲି ଦଳ ପକ୍ଷରୁ କୁହାଯାଇଛି ।

କେବଳ ସେତିକି ନୁହେଁ, ଦଳୀୟ ନେତାଙ୍କୁ ଏକଥା ମଧ୍ୟ କୁହାଯାଇଛି ଯେ ପ୍ରାର୍ଥୀଙ୍କର ଫେସବୁକ ପେଜରେ ଅତିକମରେ ୧୫,୦୦୦ରୁ ଅଧିକ ଲାଇକସ ଥିବା ସହ ୫୦୦୦ ଫଲୋଅର୍ସ ଟୁଇଟରରେ ରହିବା ଜରୁରୀ। ଏଥିସହ ସେମାନେ ବହୁ ସଂଖ୍ୟକ ହ୍ଵାଟସଆପ୍ ଗ୍ରୁପ ସହ ଜଡ଼ିତ ଥିବା ମଧ୍ୟ ଦରକାର।ମଧ୍ୟପ୍ରଦେଶ କଂଗ୍ରେସ ତା’ର ନେତାଙ୍କୁ ଜଣାଇଛି କି ପିସିସି ପକ୍ଷରୁ ଜାରି ସମସ୍ତ ଟୁଇଟକୁ ସେମାନେ ରି-ଟୁଇଟ୍ କରିବା ସହ ଫେସବୁକରେ ସେୟାର୍ କରିବେ। ଏଥିସହ ନେତାମାନଙ୍କୁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ସେମାନଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ୍ ସଂପର୍କରେ ସମସ୍ତ ତଥ୍ୟ ପାର୍ଟିକୁ ଦେବାକୁ ହେବ। ଏହାପରେ ଯାଇ ପ୍ରାର୍ଥୀ ହେବା ଲାଗି ସେମାନଙ୍କ ଆବେଦନକୁ ବିଚାରକୁ ନିଆଯିବ।

ଏହି ଫର୍ମୂଲା ପୂର୍ବରୁ ବିଜେପି ଆପଣାଇବା ସହ ସଫଳତା ମଧ୍ୟ ପାଇଥିଲା । ଉତ୍ତର ପ୍ରଦେଶ ନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀ ଚୟନର ମୁଖ୍ୟ ଆଧାର ଥିଲା ସୋସିଆଲ ମିଡିଆ । ସୋସିଆଲ ମିଡିଆରେ ଲୋକପ୍ରିୟ ଥିବା ପ୍ରାର୍ଥୀ ମାନଙ୍କୁ ସେତେବେଳେ ବିଜେପି ପକ୍ଷରୁ ଟିକେଟ ଦିଆଯାଇଥିଲା । ସେତେବେଳେ ବିଜେପି ଆଶାୟୀ ପ୍ରାର୍ଥୀ ମାନଙ୍କୁ ଫେସବୁକରେ ୨୫,୦୦୦ ଲାଇକ ମାଗିଥିଲା । ଆଉ ଏସବୁ ଭିତରେ ପୁଣିଥରେ ସେହି ସମାନ ଉପାୟକୁ ମଧ୍ୟପ୍ରଦେଶରେ ଆପଣାଇବାକୁ ଯାଉଛି ବିଜେପି ।

ବିଜେପିର ସାଇବର ୱାରିୟର୍ସ ବନାମ କଂଗ୍ରେସର ରାଜୀବଙ୍କ ସିପାହୀ:
ମଧ୍ୟପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ କଂଗ୍ରେସ ଓ ବିଜେପି ଏବେ ସୋସିଆଲ ମଡିଆର ବ୍ୟବହାର ଉପରେ ଜୋର ଦେଉଛନ୍ତି । ଉଭୟ ଦଳ ସୋସିଆଲ ମିଡିଆ ମାଧ୍ୟମରେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଖାସକରି ଯୁବବର୍ଗକଙ୍କୁ ଆକୃଷ୍ଟ କରିବାକୁ ବିଜେପିର ସାଇବର ୱାରିୟର୍ସ ଓ କଂଗ୍ରେସର ରାଜୀବଙ୍କ ସିପାହୀ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଆଉ ଏହି କ୍ରମରେ ବିଜେପି ପକ୍ଷରୁ ଗତ ତିନି ମାସ ମଧ୍ୟରେ ୬୫ ହଜାର ସାଇବର ୱାରିୟର୍ସଙ୍କୁ ଟ୍ରେନିଂ ଦେଇଛି । ଅନ୍ୟପକ୍ଷରେ ଏହି ସୋସିଆଲ ମିଡିଆ ପ୍ରଚାର ଦୌଡରେ ପଛରେ ପଡିନାହିଁ କଂଗ୍ରେସ । ବିଜେପି ସୋସିଆଲ ମିଡିଆ ଟିମକୁ ଟକ୍କର ଦେବାକୁ ୪୦୦୦ ରାଜୀବ କି ସିପାହୀ ଟିମ୍ ପ୍ରସ୍ତୁତ କରିଛି କଂଗ୍ରେସ । ଏପରିକି ମଧ୍ୟପ୍ରଦେଶ ନିବାର୍ଚନ ପାଇଁ ଆହୁରି ୫୦୦୦ ରାଜୀବ କି ସିପାହୀଙ୍କୁ ଟ୍ରେନିଂ ଦେଉଛି ଦଳ । ଆଉ ଏହା ସ୍ପଷ୍ଟ ସୂଚନା ଦେଉଛି ଯେ, ଆଗାମୀ ନିର୍ବାଚନ ଗୁଡିକରେ ସୋସିଆଲ୍ ମିଡ଼ିଆ ଜନମତ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।