ସଠିକ ସମୟରେ କର ଦେଉଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବେ ସରକାର । ରେଳ ଷ୍ଟେସନ , ବିମାନବନ୍ଦର ଓ ଜାତୀୟ ରାଜପଥରେ ମିଳିବ କିଛି ଏପରି ସୁବିଧା

42

କନକ ବ୍ୟୁରୋ : ସାରା ଦେଶରେ ନାଗରିକମାନେ ବିଭିନ୍ନ ପ୍ରକାର କର ସରକାରଙ୍କୁ ଦେଇଥାଆନ୍ତି । ତେବେ ସରକାରଙ୍କୁ ଠକିବା ପାଇଁ ଲୋକମାନେ ମଧ୍ୟ ଅନେକ ପ୍ରକାର କୌଶଳ ମଧ୍ୟ ଆପଣାଉଥିବା ନଜର ରହିଛି । ତେଣୁ ସମସ୍ତ ଲୋକ କିପରି ଭାବରେ ନିଜର କର ସଠିକ ସମୟରେ ଓ ଠିକ ଭାବରେ ଦେବେ ସେଥିପାଇଁ ସରକାର ଅନେକ ପ୍ରକାର ବ୍ୟବସ୍ଥା ମଧ୍ୟ ହାତକୁ ନେଇଛନ୍ତି । ବର୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ସରକାର କିଛି ଏପରି ନିଷ୍ପତ୍ତି ନେଇଛନ୍ତି ଯେଉଁଥିଲେ ଲୋକମାନେ କର ଦେବା ସହ ଅନେକ ଅଫର ମଧ୍ୟ ପାଇପାରିବେ । ଯଦି ଆପଣ ସଠିକ ସମୟରେ କର ଭରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର ।

 

ଯେଉଁମାନେ ସଠିକ ସମୟରେ କର ଦେଉଛନ୍ତି ସେମାନଙ୍କୁ ପୁରସ୍କାର କରିବା ସହ ପ୍ରୋତ୍ସହିତ ମଧ୍ୟ କରିବେ ସରକାର । ଏହାସହ ରେଳ ଷ୍ଟେସନ, ବିମାନ ବନ୍ଦର ଓ ଜାତୀୟ ରାଜପଥରେ ମଧ୍ୟ ଏମାନଙ୍କୁ ଅଗ୍ରାଧିକାର ଦିଆଯିବ । କେବଳ ଏତିକି ନୁହେଁ ବରଂ ସମସ୍ତ ସରକାରୀ କ୍ଷେତ୍ରରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ସହ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ସଠିକ କରଦାତାଙ୍କୁ ଅଭିନନ୍ଦନ ଜଣାଇବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଏହାସହ କର ଉପରେ ଏକ କମିଟି ଗଠନ କରିବା ସହ ସମସ୍ତ ତଥ୍ୟ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ମଧ୍ୟ ରିପୋର୍ଟ ଦିଆଯିବ ବୋଲି ସୂଚନା ମିଳିଛି ।