ବିଶ୍ୱସ୍ତରରେ ମାସୁଦ ଉପରେ କଟକଣା ଲଗାଇବା ପାଇଁ ଉଠିଲା ସ୍ୱର ! ଚୀନର ଆଭିମୁଖ୍ୟ ଉପରେ ନଜର, ଜାଣନ୍ତୁ କଟକଣା ଲାଗିଲେ କ’ଣ ହେବ ।

642

କନକ ବ୍ୟୁରୋ : ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ଉପରେ ଏବେ ନଜର । ଯଦି ମାସୁଦ ଆଝାର ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବ୍ୟାନ ଲଗାଯାଏ ତେବେ କଣ ହେବ । ଏବେ ଏହି ପ୍ରଶ୍ନ ଉଠିଛି । ତେବେ ଯଦି ମାସୁଦ ଆଝାର ଉପରେ କଟକଣା ଲାଗିବ ତେବେ ସାରା ବିଶ୍ୱ ଭ୍ରମଣ ଉପରେ ଲାଗିବ ଲଗାମ । ସମସ୍ତ ସମ୍ପତିକୁ ଫ୍ରିଜ କରାଯିବା ସହ ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ କଟକଣା ଲାଗିବ ।

ମାସୁଦ ଉପରେ କଟକଣା ଲାଗିଲେ କଣ ହେବ? ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବ୍ୟାନ ଲଗାଇଲେ କଣ ହେବ? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଭାରତ ପାକିସ୍ତାନ ମଧ୍ୟରେ ଲାଗିରହିଛି ଉତ୍ତେଜନା । ପୁଲୱାମା ଆତଙ୍କୀ ହମଲା ପଛରେ ମାସୁଦ ହିଁ ମାଷ୍ଟର ମାଇଣ୍ଡ ବୋଲି ଜଣାପଡିବା ପରେ ଏବେ ବିଶ୍ୱସ୍ତରରେ ମାସୁଦ ଉପରେ କଟକଣା ଲଗାଇବା ପାଇଁ ସ୍ୱର ଉଠିଛି । ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଗ୍ଲୋବାଲ ଟେରରିଷ୍ଟ ବୋଲି ଆଖ୍ୟା ଦିଆଯାଉ । ଆମେରିକା, ଇଂଲଣ୍ଡ ଏବଂ ଫ୍ରାନ୍ସ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଆଗରେ ଏହି ପ୍ରସ୍ତାବ ମଧ୍ୟ ରଖିସାରିଲେଣି ।

ଯଦି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମାସୁଦ ଆଝାର ଉପରେ ଏହି ବ୍ୟାନ ଲଗାଏ ତେବେ ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ବିଭିନ୍ନ ଉପାୟରେ ମାସୁଦ ଉପରେ କଟକଣା ଲଗାଇପାରିବେ । ଆର୍ଥିକ କଟକଣା ଠାରୁ ଆରମ୍ଭ କରି ଭ୍ରମଣ ଏବଂ ଅସ୍ତ୍ରଶସ୍ତ୍ର ରଖିବା ଉପରେ ଲାଗିପାରିବ କଟକଣା । ଜଣେ ବ୍ୟକ୍ତି କିମ୍ବା ଗୋଟିଏ ସଂଗଠନକୁ ଯଦି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଆତଙ୍କବାଦୀ ତାଲିକାରେ ସାମିଲ କରେ ତେବେ ମିଳିତ ଜାତିସଂଘ ସଦସ୍ୟ ରାଷ୍ଟ୍ରମାନେ ତା ଉପରେ ଏହି କଟକଣା ଲଗାଇପାରିବେ ।

ଆର୍ଥିକ କଟକଣା :

• ପାଖରେ ଥିବା ଅର୍ଥ, ସମ୍ପତି, ଆର୍ଥିକ ସମ୍ବଳ ଫ୍ରିଜ ହେବ

• ଉକ୍ତ ବ୍ୟକ୍ତି ବା ସଂଗଠନ ପାଇଁ କାମ କରୁଥିବା ବ୍ୟକ୍ତିର ଅର୍ଥ, ସମ୍ପତି, ଆର୍ଥିକ ସମ୍ବଳ ଫ୍ରିଜ ହେବ

• ସେ ରହୁଥିବା ସ୍ଥାନରେ ଅନ୍ୟ ଲୋକମାନେ ମଧ୍ୟ ଆର୍ଥିକ ସାହାଯ୍ୟ କରିପାରିବେ ନାହିଁ

ଭ୍ରମଣ କଟକଣା :

• ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ସେମାନଙ୍କ ଅଂଚଳରେ ପ୍ରବେଶ ଉପରେ ଲାଗିବ କଟକଣା

ଅସ୍ତ୍ରଶସ୍ତ୍ର କଟକଣା :

ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ସେହି ବ୍ୟକ୍ତିକୁ ନିଜ ଅଂଚଳରୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବେ ନାହିଁ କିମ୍ବା ଟ୍ରାନସଫର କରିପାରିବେ ନାହିଁ । ଏପରିକି ସ୍ପେୟାରପାର୍ଟସ ମଧ୍ୟ ଦିଆଯିବ ନାହିଁ ।

ମାସୁଦ ଆଝାରକୁ ଗ୍ଲୋବାଲ ଟେରରିଷ୍ଟ ଭାବେ ଘୋଷଣା କରାଯିବା ପ୍ରସ୍ତାବ ମିଳିତ ଜାତିସଂଘରେ ଗତ ୧୦ ବର୍ଷ ମଧ୍ୟରେ ଚତୁର୍ଥ ଏପରି ଘଟଣା । ୨୦୦୯ ଏବଂ ୨୦୧୬ ମସିହାରେ ମାସୁଦ ଆଝାରକୁ ଗ୍ଲୋବାଲ ଟେରରିଷ୍ଟ ଭାବେ ଘୋଷଣା କରିବାପାଇଁ ପ୍ରସ୍ତାବ ଦେଇଥିଲା ଭାରତ । ୨୦୧୭ରେ ମଧ୍ୟ ପି-ଥ୍ରୀ ଦେଶ, ଆମେରିକା, ଇଂଲଣ୍ଡ ଏବଂ ଫ୍ରାନ୍ସ ମାସୁଦ ଆଝାରକୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ସବୁବେଳେ ଭୋଟିଂ ବେଳେ ବାଟ ଓଗାଳିଥିଲା ଚାଇନା । ଭାରତ ଦେଇଥିବା ପ୍ରସ୍ତାବ ବିରୋଧରେ ଯାଇଥିଲା ଚାଇନା । ଏବେ ୩ ସଦସ୍ୟ ରାଷ୍ଟ୍ର ଦେଇଥିବା ପ୍ରସ୍ତାବ ଉପରେ ଭୋଟିଂ ବେଳେ କି ଆଭିମୁଖ୍ୟ ଗ୍ରହଣ କରୁଛି ଚାଇନା ତା ଉପରେ ରହିଛି ସମସ୍ତଙ୍କ ନଜର ।