ଖାଲି କଥାରେ ବ୍ୟସ୍ତ ଚାଇନା : ଡୋକଲାମ ବିବାଦ ବଢୁଥିବା ବେଳେ ଜାଣନ୍ତୁ ଭାରତ ସପକ୍ଷରେ ରହିଛନ୍ତି କେଉଁ ସବୁ ରାଷ୍ଟ୍ର

87

କନକ ବ୍ୟୁରୋ : ଡୋକଲାମ ବିବାଦକୁ ନେଇ ଦୁଇ ମାସରୁ ଅଧିକ ସମୟ ଧରି ସୀମାରେ ଭାରତ ଓ ଚୀନ୍ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଏସବୁ ଭିତରେ କିନ୍ତୁ ଚୀନ୍ ସରକାରୀ ଗଣମାଧ୍ୟମ ବାରମ୍ବାର ଭାରତକୁ ଯୁଦ୍ଧ ଧମକ ଦେଉଛି । କେତେବେଳେ ଯୁଦ୍ଧ ପାଇଁ କାଉଣ୍ଟଡାଉନ ଆରମ୍ଭ କରିବାକୁ କହୁଛି ତ ପୁଣି କେତେବେଳେ ଭାରତକୁ ରୁଗଣ୍ ମାନସିକତାର ଦେଶ ବୋଲି କହିବାକୁ ପଛାଉନାହିିଁ । ଏଭଳି ବୟାନବାଜି ଦ୍ୱାରା ଚୀନ୍ ଭାରତକୁ ଯୁଦ୍ଧ ପାଇଁ ସିଧାସଳଖ ଆମନ୍ତ୍ରଣ କରୁଛି । କିନ୍ତୁ ଏଭଳି ସ୍ଥିତିରେ ଯଦି ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୁଏ ତେବେ ବିଶ୍ୱର ଅନେକ ଶକ୍ତିଶାଳୀ ରାଷ୍ଟ୍ର ଯେପରିକି ଆମେରିକା ଓ ଜାପାନ ଭଳି ଦେଶ ଭାରତକୁ ସମର୍ଥନ କରିବେ । ଆସନ୍ତୁ ଜାଣିବା କେଉଁ ଦେଶ କାହାକୁ ସାଥ ଦେବେ ।

ଭାରତ ସପକ୍ଷରେ ଥିବା ଦେଶ:
ଆମେରିକା: ବର୍ତ୍ତମାନ ଆମେରିକା ଭାରତର ଏକ ଉତ୍ତମ ବନ୍ଧୁ ଭାବେ ଉଭା ହୋଇଛି । ଡୋକଲାମ ପ୍ରସଙ୍ଗରେ ଆମେରିକା ପ୍ରଥମରୁ ଭାରତକୁ ସମର୍ଥନ କରିଛି । ଆମେରିକା ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଭାରତ ଆମେରିକାର ଏକ ଉତ୍ତମ ବନ୍ଧୁ । ତେବେ ଡୋକଲାମ ବିବାଦକୁ ଉଭୟ ଭାରତ ଓ ଚୀନ୍ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ୍ ଆମେରିକା କହିଛି । ଏହାପୂର୍ବରୁ ଭାରତରେ ଅବସ୍ଥାପିତ ପୂର୍ବ ଆମେରିକୀୟ ରାଷ୍ଟ୍ରଦୂତ ରିଚାର୍ଡ ବର୍ମା ଡୋକଲାମ ବିବାଦ ପାଇଁ ସିଧାସଳଖ ଚୀନ୍ ଦାୟୀ କରିବା ଭାରତ ପ୍ରତି ଆମେରିକାର ଆଭିମୁଖ୍ୟକୁ ସ୍ପଷ୍ଟ କରି ସାରିଛନ୍ତି । କିଛିଦିନ ପୂର୍ବେ ଆମେରିକାର ଏକ ପ୍ରତିରକ୍ଷା ବିଶେଷଜ୍ଞ କହିଥିଲେ ଯେ, ସୀମାରେ ଯଦି କିଛି ଅପ୍ରିତୀକର ପରିସ୍ଥିତି ଦେଖାଦିଏ ତେବେ ଆମେରିକା ଭାରତକୁ ସାହାଯ୍ୟ କରିବାକୁ ଆଗକୁ ଆସିବା ଉଚିତ । ଆମେରିକା ଭାରତକୁ ସମର୍ଥନ କରିବାର ଅନ୍ୟ ଏକ କାରଣ ହେଉଛି, ଆମେରିକାର ପରମ ଶତ୍ରୁ ଉତ୍ତର କୋରିଆ ପ୍ରତି ଚୀନର ନରମ ମନୋଭାବ ।

ଜାପାନ: ଡୋକଲାମ ପ୍ରସଙ୍ଗରେ ଜାପାନ ଖୋଲାଖୋଲି ଭାବେ ଭାରତକୁ ସମର୍ଥନ ଘୋଷଣା କରି ଏକ ପ୍ରକୃତ ବନ୍ଧୁର ପରିଚୟ ଦେଇଛି । କିନ୍ତୁ ଜାପାନ ଭାରତକୁ ସମର୍ଥନ ଘୋଷଣା ପରେ ଚୀନ୍ ବିଚଳିତ ହୋଇଯାଇଛି । ଜପାନ କହିଛି ଯେ, ସୀମାରେ ଚୀନର ଦାଦାଗିରି ଯୋଗୁଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ।

ଅଷ୍ଟ୍ରେଲିଆ: ଡୋକଲାମ ବିବାଦରେ ଭାରତକୁ ସମର୍ଥନ ଘୋଷଣା କରିବାକୁ ଅଷ୍ଟ୍ରେଲିଆ ମଧ୍ୟ ପଛାଇ ନାହିଁ । କିଛିଦିନ ପୂର୍ବେ ଅଷ୍ଟ୍ରେିଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାରତ ଗସ୍ତରେ ଆସିଥିବା ବେଳେ ଡୋକଲାମ ବିବାଦ ପାଇଁ ଚୀନକୁ ଦାୟୀ କରିବା ସହ ସଂଯମତା ରକ୍ଷା କରିବାକୁ କହିଥିଲେ । ଏହି ପ୍ରସଙ୍ଗରେ ଭାରତ ସହ ଆଲୋଚନା କରିବାକୁ ଅଷ୍ଟ୍ରେଲିଆ ଚୀନକୁ ପରାମର୍ଶ ଦେଇଛି ।ଏହାପୂର୍ବରୁ ଦକ୍ଷିଣ ଚୀନ ସାଗରରେ ଦାଦାଗିରିକୁ ନେଇ ଅଷ୍ଟ୍ରେଲିଆ ଚୀନକୁ ଚେତାବନୀ ଦେଇଛି ।

ଭିଏତନାମ: ୨୦୧୬ରେ ମୋଦି ଭିଏତନାମ ଗସ୍ତ କରିବା ପରେ ଦୁଇ ଦେଶ ମଧ୍ୟରେ ସର୍ମ୍ପକ ସୁଦୃଢ ହୋଇଥିଲା । ତେବେ ଦକ୍ଷିଶ ଚୀନ୍ ସାଗରରେ ଚୀନର ଦାଦାଗିରି ପାଇଁ ଭିଏତନାମ ଓ ଚୀନ ମଧ୍ୟରେ ସର୍ମ୍ପକ ତିକ୍ତ ରହିଥିବା ବେଳେ ଭାରତ ଏହି ସୁଯୋଗର ଫାଇଦା ନେଇଛି ।

ତାଛଡା ୟୁରୋପୀୟ ଦେଶ ଯେପରିକି ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ ସହ ଭାରତର ସର୍ମ୍ପକ ଭଲ ରହିଛି । ଏପରିକି ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତାକୁ ଏହି ସବୁ ଦେଶ ସମର୍ଥନ କରିଛନ୍ତି । ତେଣୁ ଚୀନ୍ ପ୍ରସଙ୍ଗରେ ଭାରତ ଏହି ସବୁ ଦେଶ ସମର୍ଥନ ଦେଇପାରନ୍ତି ।

ଚୀନ ସପକ୍ଷରେ ଥିବା ଦେଶ:
ପାକିସ୍ତାନ: ଭାରତର ଚିରଶତ୍ରୁ ପାକିସ୍ତାନ ଓ ଚୀନ ମଧ୍ୟରେ ଥିବା ସର୍ମ୍ପକକୁ କିଏ ବା ନ ଜାଣେ । ଦୁଇଦେଶ ଏବେ ଭାରତକୁ ନିଜର ପ୍ରଥମ ଶତ୍ରୁ ବୋଲି ଭାବୁଛନ୍ତି । ଏପରିକି ବିଭିନ୍ନ କ୍ଷେତ୍ରରେ ପାକିସ୍ତାନକୁ ସାହାଯ୍ୟ କରିଛି ଚୀନ୍ । କେବଳ ଏତିକି ନୁହେଁ କାଶ୍ମୀର ପ୍ରସଙ୍ଗରେ ମଧ୍ୟ ମୁଣ୍ଡ ଖେଳାଇବାକୁ ଧମକ ଦେଇଛି ଚୀନ୍ ।ତେଣୁ ପାକିସ୍ତାନ ବିନା ଦ୍ୱିଧାରେ ଚୀନ୍ କଥା ମାନିବ ଏଥିରେ ସନ୍ଦେହ ନାହିଁ ।

ଉତ୍ତର କୋରିଆ: ଗତ କିଛିଦିନ ଧରି ଆମେରିକାକୁ ବାରମ୍ବାର ଯୁଦ୍ଧ ଧମକ ଦେଉଥିବା ଉତ୍ତର କୋରିଆର ଚୀନ ସହ ଉତ୍ତମ ସର୍ମ୍ପକ ରହିଛି । ତ୍ତର କୋରିଆର ବାରମ୍ବାର ପରମାଣୁ ପରୀକ୍ଷଣକୁ ୁ ନେଇ ଚିନ୍ତିତ ଥିବା ଆମେରିକା ଏଥିପାଇଁ ଉତ୍ତରକୋରିଆକୁ ଚେତାବନୀ ଦେଉଛି । କିନ୍ତୁ ଚୀନ୍ ଏହି ମାମଲାରେ ଅଯଥା ମୁଣ୍ଡ ଖେଳାଇବା ସହ ଆମେରିକାକୁ ବୟାନବାଜିରୁ ଦୂରେଇ ରହିବାକୁ କହୁଛି । ତେଣୁ ଆମେରିକା ପ୍ରତି ଥିବା ଚୀନର କଠୋର ମନୋଭାବ ପାଇଁ ଉତ୍ତର କୋରିଆ ଚୀନକୁ ସମର୍ଥନ କରିପାରେ ।

ତେବେ ଏସବୁ ଭିତରେ ଏବେ ସମସ୍ତଙ୍କ ନଜର ରହିଛି ଋଷ ଉପରେ । କାରଣ ଏ ପର୍ଯ୍ୟନ୍ତ ଡୋକଲାମ ବିବାଦକୁ ନେଇ ୠଷ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । କିନ୍ତୁ ଯଦି ଆମେ ଇତିହାସର ପୃଷ୍ଠା ଲେଉଟାଇବା ତେବେ ଋଷ ସବୁବେଳେ ଭାରତ ସହ ରହିଥିବାର ପ୍ରମାଣ ରହିଛି । କିନ୍ତୁ ଡୋକଲାମ ଭଳି ବଡ଼ ପ୍ରସଙ୍ଗରେ ୠଷ ମୌନ ରହିବା ଭାରତ ପାଇଁ ଚିନ୍ତା ବଢାଇ ଦେଇଛି ।
.