ସଠିକ ସମୟରେ ଷ୍ଟାଣ୍ଡରୁ ବସ ଛାଡ ନଚେତ ରଦ୍ଧ ହେବ ପରମିଟ : ରାଜ୍ୟ ସଡକ ପରିବହନ ବିଭାଗ

95

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ଯାତ୍ରାବାହୀ ବସ ସଂଖ୍ୟା ବଢିବାରେ ଲାଗିଛି । ତେବେ ଯେଉଁ ପରିମାଣରେ ଲୋକମାନଙ୍କ ସଂଖା ବଢିବାରେ ଲାଗିଛି ସେହି ପରିମାଣରେ ବସ ସଂଖ୍ୟା ବଢିବାରେ ଲାଗିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତ୍ୟେକ ସମୟରେ ଲୋକମାନେ କ୍ରମାଗତ ଭାବରେ ଅଭିଯୋଗ କରିଆସୁଛନ୍ତି ଯେ, ନିର୍ଦ୍ଧାରିତ ସମୟରେ ବସ ଯାଉନାହିଁ ତେଣୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସଠିକ ସମୟରେ ବସ ଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ବସଷ୍ଟାଣ୍ଡରେ ବସ ଚଳାଚଳ ଟାଇମିଂ ଠିକ ନ ରହିଲେ ରଦ୍ଦ ହେବ ବସର ସ୍ଥାୟୀ ପରମିଟ ।

ଆବଶ୍ୟକସ୍ଥଳେ ନିୟମ ମାନୁ ନ ଥିବା ବସ ଗୁଡିକଠାରୁ ଜରିମାନା ମଧ୍ୟ ଆଦାୟ ହେବ । ଖୁବଶୀଘ୍ର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ଏ ନେଇ ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡଗୁଡିକରେ ବସଗୁଡିକର ଗତିବିଧି ଜଗିବାକୁ ସିିସିଟିଭି ଲଗାଇବାକୁ ବିଭାଗ ନିଷ୍ପତ୍ତି ନେଇଛି ପରିବହନ ବିଭାଗ ।  ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ବିଭିନ୍ନ ଜଳଗହଳିପୂର୍ଣ୍ଣ ବସଷ୍ଟାଣ୍ଡଗୁଡିକରୁ ଯାତ୍ରୀବାହୀ ବସଗୁଡିକ ଠିକ ସମୟରେ ଯାତ୍ରା କରୁଛି କି ନାହିଁ, ତାହା ଉପରେ ନଜର ରଖିବାକୁ ରାଜ୍ୟ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ବସଷ୍ଟାଣ୍ଡଗୁଡିକରେ ସିସିଟିଭି ଲଗାଇବାକୁ ବିଭାଗ ନିଷ୍ପତ୍ତି ନେଇଛି ।

 

ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ବର, ପୁରୀରେ ଏପରି କ୍ୟାମେରା ଲଗାଯିବାକୁ ସ୍ଥିର ହୋଇଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ବସଷ୍ଟାଣ୍ଡରେ ଏହାକୁ ଲାଗୁ କରାଯିବା। ଆସନ୍ତା ଏକ ମାସ ମଧ୍ୟରେ ଏହି ଯୋଜନା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି । ସିସିଟିଭି ଦ୍ବାରା ବସର ଟାଇମିଂ ଜଣାପଡିବା ସହ ଯାତ୍ରୀମାନଙ୍କ ସୁରକ୍ଷା ଉପରେ ମଧ୍ୟ ନଜର ରଖାଯାଇ ପାରିବ। ଅନଲାଇନ ଜରିଆରେ ଜିଲ୍ଲା ପରିବହନ କାର୍ଯ୍ୟଳୟ, ରାଜ୍ୟ ପରିବହନ କାର୍ଯ୍ୟଳୟ ସହ ଏହି ସିସିଟିଭିକୁ ସଂଯୋଗ କରାଯିବା ସହ ନିୟମ ଖିଲାପ ହେଲେ ତତକ୍ଷଣାତ ଜରିମାନା କଟାଯିବ । ଏପରି ବ୍ୟବସ୍ଥା ଦ୍ବାରା ରାଜ୍ୟର ୧୬ ହଜାର ଘରୋଇ ଏବଂ ସରକାରୀ ବସ ସିସିଟିଭି ସ୍କାନରରେ ରହିବ ବୋଲି ବିଭାଗ ସୂଚନା ଦେଇଛି।

 

ଦିଲ୍ଲୀ, ମୁମ୍ବଇ ପରି ସହରରେ ଏପରି ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାବେେଳ ଏହା ଓଡିଶାରେ ପ୍ରଥମ। ସେହିପରି ରାଜପଥଗୁଡିକରେ ଦୁର୍ଘଟଣା ରୋକିବା ପାଇଁ ସିସିଟିଭି ଲଗାଇବାକୁ ବିଭାଗ ନିଷ୍ପତ୍ତି ନେଇଛି। ପ୍ରଥମ ଦଫାରେ ୧୬ ନଂ ଜାତୀୟ ରାଜପଥରେ ଖୋର୍ଦ୍ଧାଠାରୁ ଚଣ୍ଡୀଖୋଲ ପର୍ଯ୍ୟନ୍ତ ୨୦ଟି ସ୍ଥାନରେ ସିସିଟିଭି ଲଗାଇବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏହାପରେ ଅନ୍ୟାନ୍ୟ ରାସ୍ତାରେ ମଧ୍ୟ ଏପରି ସିସିଟିଭି କ୍ୟାମେରା ଲଗାଯିବାକୁ ବିଭାଗ ସୂଚନା ଦେଇଛି ।