ରାଜ୍ୟର ଏହି ସବୁ ସ୍ଥାନରେ ଘଟେ ଅଧିକ ସଡକ ଦୁର୍ଘଟଣା ! ଗାଡି ଚଳାଇବା ଆଗରୁ ତାଲିକା ଜାଣିନିଅନ୍ତୁ ।

97
ଭଦ୍ରକ ସହର ନିକଟସ୍ଥ ଜାତୀୟ ରାଜପଥ ଉପରେ ଥିବା ରାଣିପାଲ୍ (ଅସୁରା)ଛକରେ ରାସ୍ତା ଦୁର୍ଘଟଣା ଘଟି ୮ ଜଣ ନିରୀହ ଛାତ୍ରଛାତ୍ରୀଙ୍କର ପ୍ରାଣ ଚାଲିଯାଇଥିଲା। ସୂଚନାଯୋଗ୍ୟ, ଭଦ୍ରକ ସହର ନିକଟ ଏହି ରାଣିପାଲଠାରେ ବର୍ଷର ସବୁ ସମୟରେ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହୋଇଥାଏ। ସେହିଭଳି ଭୁବନେଶ୍ବରର ଖଣ୍ଡଗିରି ଛକ ମଧ୍ୟ ରାଜ୍ୟର ଅନ୍ୟ ଏକ ଦୁର୍ଘଟଣାପ୍ରବଣ ସ୍ଥାନ ଭାବେ ପରିଚିତ। କେବଳ ଏହି ଦୁଇଟି ଦୁର୍ଘଟଣାପ୍ରବଣ ସ୍ଥାନ ନୁହେଁ, ବରଂ ରାଜ୍ୟରେ ଏଭଳି ମୋଟ ୨୫୯ଟି ଦୁର୍ଘଟଣାପ୍ରବଣ ସ୍ଥାନ (ବ୍ଲାକ୍ ସ୍ପଟ୍) ଚିହ୍ନଟ କରାଯାଇଛି। ଏଭଳି ନିର୍ଦ୍ଦିଷ୍ଟ ସ୍ଥାନରେ କାହିଁକି ବାରମ୍ବାର ଦୁର୍ଘଟଣା ଘଟୁଛି ତାହାର କାରଣ ଖୋଜିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏସବୁ ‘ବ୍ଲାକ୍ ସ୍ପଟ୍’ର କାରଣ, ନିରାକରଣ ଓ ସୃଷ୍ଟିର ରହସ୍ୟ ସଂପର୍କରେ ତନାଘନା କରିବା ଉଦ୍ଦେଶ୍ୟରେ ବିଶେଜ୍ଞମାନଙ୍କୁ ନେଇ ଏକ ବ୍ଲାକ୍ ସ୍ପଟ୍ କମିଟି (ବିଏସ୍ସି) ଗଠନ କରାଯାଇଛି।
ଓଡ଼ିଶାର ବିଭିନ୍ନ ରାଜ୍ୟ ରାଜପଥ ଓ ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଥିବା ରାସ୍ତାର କେତେକ ନିଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ଲକ୍ଷ୍ୟ କରି ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯାଇଛି। ଓଡ଼ିଶାର ଦୁର୍ଘଟଣାପ୍ରବଣ ରାସ୍ତାମାନଙ୍କରେ ଏଭଳି ୨୫୯ଟି ‘ବ୍ଲାକ୍ ସ୍ପଟ୍’ ଚିହ୍ନଟ କରାଯାଇ ତୁରନ୍ତ ଏହାର ପ୍ରତିକାର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଚିହ୍ନଟ କରାଯାଇଥିବା ଏହିସବୁ ବ୍ଲାକ୍ ସ୍ପଟ୍ର ପ୍ରତିକାର କରିବା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ବାଣିଜ୍ୟ କମିଶନରଙ୍କ ନିକଟକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ରାସ୍ତାମାନଙ୍କରେ କେତେକ ନିର୍ଦ୍ଦଷ୍ଟ ସ୍ଥାନରେ ପ୍ରତିବର୍ଷ ରାସ୍ତା ଦୁର୍ଘଟଣା ଘଟୁଛି। କାହିଁକି ଏସବୁ ସ୍ଥାନରେ ଦୁର୍ଘଟଣା ଘଟୁଛି ଏହା ଉପରେ ଅଧିକ ଗବେଷଣା କରି ବିସ୍ତୃ୍ତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟଯନ୍ତ୍ରୀ ରାଜ୍ୟର ସମସ୍ତ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହିସବୁ ବ୍ଲାକ୍ ସ୍ପଟର କାରଣ, ଲକ୍ଷଣ ଓ ପ୍ରତିକାର ନେଇ ସରକାରଙ୍କ ପକ୍ଷରୁ ଏକ ‘ବ୍ଲାକ୍ ସ୍ପଟ୍ କମିଟି’ ଗଠନ କରାଯାଇଛି। ଜଣେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ନେତୃତ୍ବରେ ଗଢ଼ାଯାଇଥିବା ବ୍ଲାକ୍ ସ୍ପଟ୍ କମିଟିରେ ନିର୍ବାହୀ ଯନ୍ତ୍ରୀ, ଜଣେ ରୋଡ୍ ସେଫଟି ଅଡିଟର୍ ସଦସ୍ୟ ଅଛନ୍ତି। ଏହି ବ୍ଲାକ୍ ସ୍ପଟ୍ କମିଟି ବ୍ଲାକ୍ ସ୍ପଟ୍ ସଂପର୍କରେ ଯାଞ୍ଚ କଲାବେଳେ ସ୍ଥାନୀୟ ପୁଲିସର ସହାୟତା ନେବାକୁ ପଡ଼ିବ ବୋଲି ମୁଖ୍ୟଯନ୍ତ୍ରୀଙ୍କ ଚିଠିରେ ଉଲ୍ଲେଖ କରାଯାଇଛି। ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଭଳି ଜିଲ୍ଲାରେ ସର୍ବାଧିକ ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯାଇଥିବାବେଳେ ଏସବୁ ବ୍ଲାକ୍ ସ୍ପଟ୍ କାରଣରୁ ପ୍ରତିବର୍ଷ ଦୁର୍ଘଟଣାରେ ବହୁ ଧନଜୀବନ କ୍ଷତି ଘଟୁଛି ବୋଲି ନିର୍ବାହୀ ଯନ୍ତ୍ରୀମାନେ ପ୍ରଦାନ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସଂପୃକ୍ତ ସ୍ଥାନରେ ରାସ୍ତା ନିର୍ମାଣରେ କିଛି ତ୍ରୁଟି ରହିଛି କି ନାହିଁ ଏହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି।
ଅପରପକ୍ଷେ, ପ୍ରତିବର୍ଷ ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଚିନ୍ତା ବଢ଼ାଇ ଦେଇଛି। ସଡ଼କ ନିରାପତ୍ତା ସମ୍ବନ୍ଧିତ ସୁପ୍ରିମ୍ କୋର୍ଟର ଏକ ସ୍ବତନ୍ତ୍ର କମିଟିର ରିପୋର୍ଟ ଅନୁସାରେ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ଓଡ଼ିଶା ସମଗ୍ର ଦେଶରେ ସପ୍ତମ ସ୍ଥାନରେ ରହିଛି। ୨୦୧୬ ମସିହାରେ ଓଡ଼ିଶାରେ ମୋଟ ୪,୪୬୩ ଜଣ ଲୋକ କେବଳ ସଡ଼କ ଦୁର୍ଘଟଣାରେ ମରିଥିବାବେଳେ ୨୦୧୭ ମସିହାରେ ୪,୭୯୦ ଜଣ ମରିଛନ୍ତି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ଅଧିକ।