ଶିକ୍ଷକତା ପାଇଁ ବାଜିରେ ଲାଗିଛି ଜୀବନ । ପାଠ ପଢାଇବା ଲାଗି ଭରା ନଦୀ ପାର ହେଉଛନ୍ତି ଶିକ୍ଷକ, ଅଂଟାରେ ଲାଉତୁମ୍ବା ବାନ୍ଧି ପାଣିର ସୁଅକୁ କାଟି ପହଁରି ପହଁରି ଯାଉଛନ୍ତି ସ୍କୁଲ ।

590

କନକ ବ୍ୟୁରୋ : ଉଚ୍ଛୁଳା ନଈରେ ଶିକ୍ଷକଙ୍କ ବିପଦପୂର୍ଣ୍ଣ ଜଳଯାତ୍ରା । ପାଣିର ସୁଅକୁ କାଟି ପହଁରି ପହଁରି ନଦୀପାର ହେଉଛନ୍ତି ଶିକ୍ଷକ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବା ପାଇଁ ପ୍ରତିଦିନ ନିଜ ଜୀବନକୁ ବାଜିରେ ଲଗାଇ ଏମିତି କରିବାକୁ ପଡୁଛି । ଲାଉ ତୁମ୍ବାକୁ ଅଂଟାରେ ବାନ୍ଧି ନଦୀ ପାରି ହେଉଛନ୍ତି ଶିକ୍ଷକ । କେବଳ ଏତିକି ନୁହେଁ, ପାଣି ପାରି ହେବା ପରେ ପାହାଡ ଚଢି ଜଙ୍ଗଲ ଅତିକ୍ରମ କରି ଦୁର୍ଗମ ଅଂଚଳର ବିଦ୍ୟାଳୟରେ ପହଂଚୁଛନ୍ତି ଶିକ୍ଷକ । ଆଗରୁ ମଧ୍ୟ ଏମିତି ଅନେକ ଘଟଣା ଆମେ ଆପଣମାନଙ୍କ ସାମ୍ନାକୁ ଆଣିଛୁ ।

ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଂଚଳରେ ପାଣି ପାରି ହୋଇ ଘୋଡାରେ ଯାଇ ବିଦ୍ୟାଳୟରୁ ବିଦ୍ୟାଳୟ ବୁଲି ଶିକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ଶିକ୍ଷା ଅଧିକାରୀ । କେବଳ ଶିକ୍ଷା ଅଧିକାରୀ ନୁହେଁ ସ୍ୱାଭିମାନ ଅଂଚଳର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ବହୁ ଶିକ୍ଷକ ପ୍ରତିଦିନ ଏମିତି ଜଳଯାତ୍ରା କରିଥାନ୍ତି ।

କାରଣ ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଂଚଳର ନାଁ ବଦଳି ସ୍ୱାଭିମାନ ଅଂଚଳ ହୋଇଛି, କିନ୍ତୁ ସବୁ ଅଂଚଳକୁ ସ୍ଥଳପଥରେ ସଂଯୋଗ କରାଯାଇ ପାରିନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜଣେ ଶିକ୍ଷକ । ସ୍ୱାଭିମାନ ଅଂଚଳ ଅଂଡ୍ରାପାଲ୍ଲୀ ପଂଚାୟତ ଧାକଡପଦର ବିଦ୍ୟାଳୟର ଶିକ୍ଷକ ସନ୍ନ୍ୟାସୀ ପାତ୍ର ଓ କୋଡେ ମଙ୍ଗୁଲୁ ପ୍ରତିଦିନ ପାଣି ପାରିହେବା ପରେ ପାହାଡ ଚଢି ବଣ ଜଙ୍ଗଲ ଦେଇ ବିଦ୍ୟାଳୟରେ ପହଂଚୁଛନ୍ତି । ଆଉ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି । ତେବେ ଶିକ୍ଷକଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ପ୍ରଂଶସାର ଶୁଅ ଛୁଟୁଥିବା ବେଳେ ସରକାରୀ ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।