ଡାକ୍ତର ସାଜିଛନ୍ତି ଦେବଦୂତ ! ଦିଲ୍ଲୀରେ ଘର, ଗାଁରେ ମନ । ଦିଲ୍ଲୀରେ ଥାଇ ବି ଜନ୍ମଭୂମି ପାଇଁ ଦେଖୁଛନ୍ତି ବିକାଶର ସ୍ୱପ୍ନ

44

କନକ ବ୍ୟୁରୋ : ପାଠସାଠ ପଢି ଉଚ୍ଚଶିକ୍ଷିତ ହେବା ପରେ ଗାଁରୁ ଯାଇ ସହରରେ ବସବାସ କରୁଥିବା ଲୋକ ଭୁଲି ଯାଆନ୍ତି ଧୂଳି ଧୂସରିତ ଗାଁକୁ । ସମସ୍ୟା ବହୁଳ ଗାଁକୁ ଆଉ ଫେରିବାକୁ ଚାହାଁନ୍ତି ନାହିଁ ତଥାକଥିତ ଏହି ଶିକ୍ଷିତ ଆଉ ସୁଯୋଗ୍ୟ ମଣିଷମାନେ । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ରାଜ୍ୟ ବାହାରେ ଉଚ୍ଚ ପ୍ରତିଷ୍ଠିତ ହେଲେ ମଧ୍ୟ ଝୁରି ହୁଅନ୍ତି ନିଜ ଗାଁକୁ । ଜନ୍ମଭୂମି ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ବାରମ୍ବାର ଟାଣି ଆଣୁଥାଏ ନିଜ ଜନ୍ମମାଟିକୁ । ଏମିତି ଜଣେ ମଣିଷ ହେଉଛନ୍ତି ଡାକ୍ତର ପ୍ରଦୀପ ସେଠୀ । ଯିଏ କି ଦିଲ୍ଲୀରେ ବସବାସ କରୁଥିଲେ ମଧ୍ୟ ନିଜ ଗାଁର ବିକାଶ ପାଇଁ ସବୁବେଳେ କରି ଆସୁଛନ୍ତି ଉଦ୍ୟମ ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଂଚାୟତ ବେରୁଣପଦି ଗାଁ । ଯେଉଁଠି ବାସ କରନ୍ତି ୩୦୦ରୁ ଉଦ୍ଧ୍ୱର୍ ପରିବାର । ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ ଗାଁରେ ରହିଛି ଆହୁରି ଅନେକ ସମସ୍ୟା । ହେଲେ ନିଜ ଗାଁର ସମସ୍ୟା ଦୂର କରିବାକୁ ଦେବଦୂତ ସାଜି ଆସନ୍ତି ସୂଦୁର ଦିଲ୍ଲୀରେ ରହୁଥିବା ଡାକ୍ତର ପ୍ରଦୀପ ସେଠୀ । ନିଜେ ଆର୍ଥିକ ସହାୟତା ଦେବା ସହ ଗାଁର କିଛି ଯୁବକଙ୍କୁ ସାଥୀ କରି ପ୍ରଥମେ ସାହିର ରାସ୍ତା ନିର୍ମାଣ କରନ୍ତି । ଆଉ ପରେ ସାଂସଦ ଦିଲ୍ଲିପ ତିର୍କୀ, ଅନଙ୍ଗ ଉଦୟ ସିଂଦେଓଙ୍କ ସହାୟତାରେ ଗାଁକୁ ପକ୍କାରାସ୍ତା ନିର୍ମାଣ କରିବାରେ ମଧ୍ୟ ସଫଳ ହୁଅନ୍ତି ଡାକ୍ତର ପ୍ରଦୀପ ।

ଖାଲି ରାସ୍ତାଘାଟ ନୁହେଁ, ଗାଁର ଛାତ୍ରଛାତ୍ରୀ ମାନଙ୍କୁ ଉଚିତ୍ ଶିକ୍ଷାଦାନ କରି ସେମାନଙ୍କୁ କର୍ମ ନିୟୋଜନ ଯୋଗାଇବାକୁ ମଧ୍ୟ ଉଦ୍ୟମ କରିଛନ୍ତି ଡାକ୍ତର ପ୍ରଦୀପ ସେଠୀ । ଯେଉଁଥି ପାଇଁ ନିଜ ଗାଁ ବେରୁଣପଦିରେ ଉକ୍ରଳ ଗୌରବ ସେଂଟର ଅଫ ଏକସେଲେନ୍ସ ନାମକ ମାଗଣା କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ମଧ୍ୟ ସ୍ଥାପନ କରିଛନ୍ତି । ଏଠାରୁ କମ୍ପ୍ୟୁଟର ଶିକ୍ଷା ନେଇ ଗାଁର ଅନେକ ଶିକ୍ଷିତ ଯୁବକ ଏବେ ସୁଦୂର ଦିଲ୍ଲୀ ଓ ମୁମ୍ବାଇରେ ବିଭିନ୍ନ ସଂସ୍ଥାରେ ନିୟୋଜିତ ଅଛନ୍ତି ।

ଗାଁ ଲୋକଙ୍କ ଆର୍ôଥକ ମାନଦଣ୍ଡ କିପରି ସୁଦୃଢ଼ ହେବ, ଶିକ୍ଷା, ସ୍ୱାସ୍ଥ୍ୟ ସବୁ ଦିଗରେ ତାଙ୍କ ଗାଁ କିପରି ଉନ୍ନତ ହୋଇପାରିବ ବୋଲି ସେ ନେଇ ସମସ୍ତ ସହାୟତା ପାଇଁ ସଦାସର୍ବଦା ପ୍ରସ୍ତୁତ ଡାକ୍ତର ପ୍ରଦୀପ ସେଠୀ । ସୁଦୂର ଦିଲ୍ଲୀରେ ରହୁଥିଲେ ବି ନିଜ ମାତୃଭୂମି ପ୍ରତି ଭଲପାଇବା ଓ କର୍ତବ୍ୟ ନିଷ୍ଠା ଯୋଗୁ ଅନ୍ୟ ମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ । ନିଜ ମା’ ମାଟିକୁ ଭଲପାଉଥିବା ଡାକ୍ତର ପ୍ରଦୀପ ସେଠୀଙ୍କ ଭଳି ମଣିଷ ଆଜିର ସମାଜରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ ।