ଶ୍ରେଷ୍ଠ ପ୍ରଶାସକ ପରେ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣେରେ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ସମ୍ମାନ । ନବୀନ କହିଲେ, ଲୋକଙ୍କୁ ଭଲ ପାଇବା ହିଁ ଭଲ ରାଜନୀତି

70

କନକ ବ୍ୟୁରୋ : ଶ୍ରେଷ୍ଠ ପ୍ରଶାସକ ପରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ । ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଇଡଲ ସିଏମ ବା ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ପୁଣେ କଥାରୁଡସ୍ଥିତ ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ- ବିଶ୍ୱଶାନ୍ତି ବିଶ୍ୱବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ।

ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ୟୁନେସ୍କୋ ମାନବାଧିକାର ବେଂଚ ଓ ଏମଆଇଟି ସ୍କୁଲ ଅଫ ଗଭର୍ଣ୍ଣାନ୍ସ ପକ୍ଷରୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ଉତ୍ସବରେ ଉପସ୍ଥିତ ୧୦ ହଜାରରୁ ଅଧିକ ଛାତ୍ର ପ୍ରତିନିଧିଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି, ଲୋକଙ୍କୁ ଜୀବନର ପରିବର୍ତନ ଆଣିବାର ସବୁଠୁ ବଳିଷ୍ଠ ମାଧ୍ୟମ ହେଉଛି ରାଜନୀତି । ତେଣୁ ନେତାଙ୍କ ମନୋବୃତି ଓ ଉଦ୍ୟମ ଯଦି ଜନସାଧାରଣ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଲେ ରାଜନୀତି ସରଳ ହୋଇଯାଏ ବୋଲି ନବୀନ କହିଛନ୍ତି । ଏହା ସହ ଲୋକଙ୍କୁ ପ୍ରାଥମିକତା ଦେଲେ ଭଲ ରାଜନୀତି ହୋଇପାରିବ ବୋଲି ସେ କହିଛନ୍ତି । ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉଟଲୁକ ମାଗାଜିନ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପ୍ରଦାନ କରାଯାଇଥିଲା ।

ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ନବୀନ ପଟ୍ଟନାୟକ ପାଇଥିବା ବେଳେ ଏହାକୁ ନେଇ ରାଜ୍ୟରେ ରାଜନୀତି ମଧ୍ୟ ଜୋରଦାର ହୋଇଛି । କଂଗ୍ରେସ ଏହାକୁ ପ୍ରାୟୋଜିତ ବୋଲି କହିଛି । ବରିଷ୍ଠ ନେତା ସୁରେଶ ରାଉତରାୟ ଏମଆଇଟିକୁ ରାଜ୍ୟ ସରକାର ୧୨୦ କୋଟି ଟଙ୍କାର ଅନୁକମ୍ପା ଦେଇଥିବା ବେଳେ ଏହି ପୁରସ୍କାର ଦେବାରେ ସେହି ଅନୁଷ୍ଠାନ ପାଇଁ ଅସୁବିଧା କେଉଠି ବୋଲି ସେ ପ୍ରଶ୍ନ କରିଛନ୍ତି । ଆରପଟେ ବିଜେପି ଏପ୍ରକାର ସାର୍ଟିଫିକେଟର ମାନେ କଣ ବୋଲି ପ୍ରଶ୍ନ କରିଛି ।

ମୁଖ୍ୟମନ୍ତ୍ରୀଙ୍କୁ ନଗଡା, ଦାନ ମାଝି, ଦଶରଥପୁର ମହିଳା ସାର୍ଟିଫିକେଟ ଦେଇସାରିଛନ୍ତି ବୋଲି ଉପସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । କିନ୍ତୁ ରାଜ୍ୟରେ କଣ ବିକାଶ ହୋଇନାହିଁ ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛି ବିଜେଡି । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସମ୍ମାନ ମିଳିବା ନେଇ ବେଶ ଉତ୍ସାହିତ ବିଜେଡି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଫେରିବାବେଳେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଆୟୋଜନ କରିଛି ଦଳ । ଭୁବନେଶ୍ୱର ବିମାନବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିଠାରୁ ନବୀନ ନିବାସ ପର୍ଯ୍ୟନ୍ତ ହୋଡିଂ ଓ ଷ୍ଟେଜ ତିଆରି କାର୍ଯ୍ୟକ୍ରମ ଯୋରସୋରରେ ଛାଲିଛି । କର୍ମୀମାନଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବାରିକେଡ ମଧ୍ୟ କରାଯାଇଛି ।