ଆଇସିୟୁରୁ ଡେଇଁ ଆତ୍ମହତ୍ୟା ! କିମ୍ସ ହସ୍ପିଟାଲର ପଂଚମ ମହଲାରେ କାଚ ଭାଙ୍ଗି ତଳେ ପଡିଲେ ରୋଗୀ

33

କନକ ବ୍ୟୁରୋ : ଆଇସିୟୁରେ ଆତ୍ମହତ୍ୟା । ବିଷ ପିଈ ଗୁରୁତର ହୋଇପଡ଼ିଥିବା ଜଣେ ରୋଗୀ, ଭୁବନେଶ୍ୱର କିମ୍ସ ହସ୍ପିଟାଲ ଆଇସିୟୁରେ ଡେଇଁ ଆତ୍ମହତ୍ୟା କରିବା, ଅନେକ ଆଶଙ୍କା ସୃଷ୍ଟି କରିଛି । ଇନ୍ଟେନ୍ସିଭ୍ କେୟାର ୟୁନିଟରେ ଥିବା ଜଣେ ଗୁରୁତର ରୋଗୀ, କିଭଳି ପାଂଚ ମହଲାରୁ କାଚ ଭାଙ୍ଗି ତଳକୁ ଡେଇଁଲେ, ତାକୁ ନେଇ ଉପୁଜିଛି ସନ୍ଦେହ । ଏପଟେ ହସ୍ପିଟାଲ କର୍ମଚାରୀଙ୍କ ଅବହେଳାର ଅଭିଯୋଗ କରି ଥାନରେ ଫେରାଦ ହୋଇଛନ୍ତି ପରିବାର ଲୋକ ।

ପାରିବାରିକ ସମସ୍ୟାକୁ ନେଇ ପ୍ରବଳ ମାନସିକ ଚାପରେ ଥିବା ଭଦ୍ରକର ସୁରେଶ କାଣ୍ଡି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଉ ଏକମାତ୍ର ପୁଅର ଜୀବନ ବଂଚାଇବା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ- କିମ୍ସରେ ଭର୍ତ୍ତି କରିଥିଲେ ପରିବାର ଲୋକ । ୩ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୁରେଶ ସୁସ୍ଥ ହୋଇଆସୁଥିବାବେଳେ ଆଜି ହଠାତ ୫ ମହଲାରୁ ତଳକୁ ଡେଇଁ ପଡିଥିଲେ । ଆଇସିୟୁରୁ ଡେଇଁ କରିଥିଲେ ଆତ୍ମହତ୍ୟା । ଜୀବନ ହାରିଦେବାକୁ ଆଇସିୟୁ କାଚ ଭାଙ୍ଗି ତଳକୁ ଲମ୍ଫ ଦେଇଥିଲେ ।

ସୁରେଶଙ୍କ ଏଭଳି ଆକସ୍ମିତ ଆତ୍ମହତ୍ୟାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।

୧- ଆଇସିୟୁରେ ଭର୍ତ୍ତି ଗୁରୁତର ରୋଗୀ କିଭଳି ୫ମହଲାରୁ ତଳକୁ ଡେଇଁଲେ?
୨- କର୍ମଚାରୀଙ୍କ ୨୪ ଘଂଟିଆ ଉପସ୍ଥିତି ସତ୍ୱେ କେମିତି ଆତ୍ମହତ୍ୟା କଲେ ସୁରେଶ?
୩- ୫ମ ମହଲାରୁ ଡେଇଁବାକୁ ସକ୍ଷମ ରୋଗୀଙ୍କୁ ଆଇସିୟୁରେ କାହିଁକି ରଖାଗଲା?

ଏପଟେ ପୁଅର ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ । ଚିକିତ୍ସା ପାଇଁ ପ୍ରାୟ ୧ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିବେଳେ ପୁଅ ସୁସ୍ଥ ହୋଇ ଘରକୁ ଫେରିବ ବୋଲି ଆଶା କରିଥିଲେ । ଏବେ ପୁଅର ମୃତ୍ୟୁ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟି କରି ଭୁବନେଶ୍ୱର ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଆମେ କିମ୍ସ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ବି ତାହା ସମ୍ଭବ ହୋଇନାହିଁ ।