ବଡ଼ଦିଅଁର ଭାବରୁ ନିଜକୁ ଦୂରେଇ ପାରିନାହାନ୍ତି ବିଦେଶୀ ! ବିଦେଶରେ ମଧ୍ୟ ଜାକଜକମରେ ପାଳିତ ହୁଏ ରଥଯାତ୍ରା

213

ଭାବର ଠାକୁର ହେଉଛି କାଳିଆ ଠାକୁର । ଯେ ଯେମିତି ଡାକିଲା ସେ ବଡଦିଅଁ ତାକୁ ସେ ଭଳି ଦର୍ଶନ ଦିଅନ୍ତି । ଶ୍ରୀଜିଉଙ୍କ ଭାବ ଏମିତି ଯେ କାହିଁ କେଉଁ ବିଦେଶରୁ ଭକ୍ତ କାଳିଆକୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଚାଲିଆସନ୍ତି । ଆମେରିକା,ସାନ୍ ଫ୍ରାନ୍ସିସ୍କୋ,ଲଣ୍ଡନ,ଲସ୍ ଏଞ୍ଜେଲସ୍,ଟୋକିୟୋ ଏବଂ ଋଷିଆର ଛୋଟ ଛୋଟ ସହରରେ ମଧ୍ୟ ରଥଯାତ୍ରାକୁ ବିଦେଶୀ ଭକ୍ତମାନେ ପାଳନ କରିଥାନ୍ତି । ଜୟ ଗୌରାଙ୍ଗ,ଜୟ ଜଗନ୍ନାଥ,ହରେ କୃଷ୍ଣ ହରେ ରାମ ଧ୍ୱନିରେ ବିଦେଶ ରାସ୍ତାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଯାତ୍ରା ବାହାର କରାଯାଏ । ଶ୍ରୀକ୍ଷେତ୍ର ପୁରୀ ବ୍ୟତିତ ବିଶ୍ୱର କିଛି ସ୍ଥାନ ଯେଉଁଠି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜିତ ହୋଇଥାଏ ।

୧ . ସାନ୍ ଫ୍ରାନ୍ସିସ୍କୋ , ଆମେରିକା : ୪୯ ବର୍ଷ ତଳେ ଅର୍ଥାତ୍ ୧୯୬୭ ମସିହାରେ ଭାରତ ବାହାରେ ପ୍ରଥମ ରଥଯାତ୍ରା ଆୟୋଜିତ ହୋଇଥିଲା । ସେହି ସ୍ଥାନ ଥିଲା ସାନ୍ ଫ୍ରାନ୍ସିସ୍କୋ । ଏବେ ପର୍ଯ୍ୟନ୍ତ ଏଠାରେ ଖୁବ୍ ଆଡମ୍ବରରେ ରଥଯାତ୍ରା ପାଳନ କରାଯାଏ ।

୨. ପ୍ରାଗ୍ , ଚେକ୍ ରିପବ୍ଲିକ୍ : ପ୍ରତିବର୍ଷ ରଥଯାତ୍ରା ସମୟରେ ଚେକ୍ ରିପବ୍ଲିକ୍ ପ୍ରାଗର ସଡକରେ ଜଗନ୍ନାଥ ପ୍ରେମୀଙ୍କୁ ୪୦ ଲମ୍ବର ଦଉଡି ଟାଣି ନେଉଥିବା ଦୃଶ୍ୟ ଦେଖାଯାଏ । ଶହ ଶହ ଲୋକ ଶ୍ରୀ ଜଗନ୍ନାଥ , ମାତା ସୁଭଦ୍ରା ଏବଂ ପ୍ରଭୂ ବଳଭଦ୍ରଙ୍କ ରଥକୁ ଦଉଡିରେ ଟାଣି ନେଉଥିବା ଏବଂ ଭାବବିହ୍ୱଳ ହୋଇ ନୃତ୍ୟ କରୁଥିବା ମଧ୍ୟ ଦେଖାଯାଏ । ସଂଗୀତ,ନୃତ୍ୟ ଏବଂ ତାଳ ସହ ପ୍ରଭୁଙ୍କ ରଥଯାତ୍ରା ହୁଏ ।

 

୩ . ଦୁରବାନ୍ , ଦକ୍ଷିଣ ଆଫ୍ରିକା : ରଥଯାତ୍ରା ଦକ୍ଷିଣ ଆଫ୍ରିକାର ଦୁରବାନରେ ମଧ୍ୟ ଅନୁଷ୍ଠିତ ହୁଏ । ୧୯୮୮ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପ୍ରତିବର୍ଷ ପାଳନ କରାଯାଏ । ଏହି ଧାର୍ମିକ ଦିବସରେ ଗୀତ ନାଚର ସମ୍ଭାର ନେଇ ବିଦେଶୀ କଳାଠାକୁରଙ୍କ ରଥଯାତ୍ରା ବାହାର କରିଥାନ୍ତି ।

 

୪ . ରୋମ୍ , ଇଟାଲୀ : ଇଟାଲୀର ରୋମ୍ ରେ ମଧ୍ୟ ଶ୍ରୀଜିଉଙ୍କ ଭକ୍ତ ରହିଛନ୍ତି । ରଥଯାତ୍ରା ଅବସରରେ ସଂକୀର୍ତ୍ତନ ସହ ନୃତ୍ୟ ପରିବେଷଣ କରି ରଥଯାତ୍ରା କରିଥାନ୍ତି । ୧୯୮୧ ମସିହାରେ ପ୍ରଥମେ ରୋମ୍ ରେ ରତଯାତ୍ରା ଆରମ୍ଭ ହୋଇଥିଲା ।

୫ . ବ୍ରିସବେନ୍ , ଅଷ୍ଟ୍ରେଲିଆ : ପୁଷ୍ପବର୍ଷା ସହ ନୃତ୍ୟସଂଗୀତ,ସଂକୀର୍ତ୍ତନର ଭାବରେ ରଥଯାତ୍ରା ପାଳନ କରନ୍ତି ବ୍ରିସବେନ୍ ବାସୀ । ଏଠାକାର ବିଦେଶୀ ନଳନା ଓଡିଶୀନୃତ୍ୟ କରି ରଥଯାତ୍ରାର ଶୋଭାକୁ ବଢାଇଥାନ୍ତି ।

୬ . ମସ୍କୋ , ଋଷିଆ : ହାଡଭଙ୍ଗା ଶୀତ ତଥା ମାଇନସ୍ ୨୦ ଡିଗ୍ରୀ ସେଲସିୟସ୍ ରେ ରଥଯାତ୍ରା ପାଳନ କରିବାକୁ ଭୁଲନ୍ତି ନାହିଁ ମସ୍କୋବାସୀ । ୨୦୦ ଋଷିୟାନ୍ ଭକ୍ତ ମିଶି ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଳନ କରିଥାନ୍ତି ।