ଆନ୍ଧ୍ର ଓଡିଶା ସୀମାନ୍ତ ଇଛାପୁରମରେ ଭୀଷଣ ବର୍ଷା : ରାଜରାସ୍ତା ପାଲଟିଲା ଭରା ନଈ, ରାସ୍ତାରେ ବୋଟ ଚଲାଇ ଫସିଥିବା ଲୋକଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍

62

କନକ ବ୍ୟୁରୋ : ତିତଲି ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ସକାଳରୁ ଆରମ୍ଭ ହୋଇଛି ପ୍ରବଳ ବର୍ଷା । ଭୀଷଣ ବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ସୀମାନ୍ତ ଇଛାପୁରମର ରାଜରାସ୍ତା ଉପରେ ୬ରୁ ୭ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଛି । ଓଡ୍ରାଫ୍ ଟିମ ଘଟଣାସ୍ଥଳରେ ପହଂଚି ବୋଟ ସହାୟତାରେ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ସେହିପରି ରାସ୍ତା ଉପରେ ଛିଡାହୋଇଥିବା ଏକ ଟ୍ରକକୁ ପବନ ଓଲଟେଇ ଦେଇଥିବା ଦେଖିବାକୁ ମିଳିଛି ।

Ichhapuram

ବାତ୍ୟା ତିତଲି ଦ୍ୱାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆନ୍ଧ୍ରପ୍ରଦେଶର ବିଜୟନଗରମ୍, ବିଶାଖାପଟ୍ଟନମ୍ ଓ ଶ୍ରୀକାକୁଲମ୍ । ଆନ୍ଧ୍ରରେ ଏହି ଝଡ ଏତେ ଭୀଷଣ ହୋଇଥିଲା ଯେ ସବୁ ସତର୍କତା ସତ୍ୱେ ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ହେବା ସହ ଖୁବ୍ ଜୋରରେ ପବନ ବହିଛି । ଅନେକ ଘର ଭାଙ୍ଗି ଯାଇଛି । ବଡ ବଡ ଗଛ ସହ ବିଦ୍ୟୁତ୍ ଖୁଂଟ ଓ ଟେଲିଫୋନ୍ ଖୁଂଟ ଉପୁଡି ପଡିଛି । ରାସ୍ତା ଘାଟ ବନ୍ଦ ହୋଇଯାଇଛି । ଶ୍ରୀକାକୁଲମରେ ପ୍ରାୟ ୬ ହଜାରରୁ ୭ ହଜାର ବିଦ୍ୟୁତ୍ ଖୁଂଟ ଉପୁଡି ପଡିଛି । ଯେଉଁଥି ପାଇଁ ପ୍ରାୟ ୪ ଲକ୍ଷରୁ ୫ ଲକ୍ଷ ଲୋକଙ୍କ ପାଖକୁ ବିଦ୍ୟୁତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ବୋଲି ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛ । ତେବେ ଏନଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଦଳ ଗଛ ଗୁଡିକ କାଟି ସଫା କରିବା ସହ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି । କିନ୍ତୁ ବାତ୍ୟା ପରେ ସେହି ଅଂଚଳରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ବେହାଲ ହୋଇପଡିଛି ।

ସେପଟେ ବାତ୍ୟା ତିିତଲି ମୋଡ ବଦଳାଇ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଆଡକୁ ମୁହାଁଉଛି । ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ତିତଲି ଏବେ ଉତର ଓଡିଶାରେ ରହିଛି । ଏହାର ପ୍ରଭାବରେ ଘଂଟାପ୍ରତି ୯୦ରୁ ୧୦୦କିମି ବେଗରେ ପବନ ବହୁଛି । ତିତଲି ଧୀରେ ଧୀରେ ଦୁର୍ବଳ ହେଉଛି । ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଅନ୍ୟପଟେ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି । ସେହିପରି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।