ମଝି ସମୁଦ୍ରର କାହାଣୀ! ବୁଡି ଯାଉଥିବା ପିଲାଙ୍କ ପାଇଁ ଦେବଦୂତ ସାଜି ଉଭା ହେଲେ ଆଇସ୍କ୍ରିମ ବାଲା, ବଞ୍ଚିଗଲା ୩ ଛାତ୍ରଙ୍କ ଜୀବନ

840

କନକ ବ୍ୟୁରୋ : ପିକନିକ୍ କରିବାକୁ ଆସି ୩ ଜଣଙ୍କ ସମୁଦ୍ରରେ ସଲିଳ ସମାଧି । ଅସ୍ତରଙ୍ଗ ପୀର ଜାହାନିଆ ପୀଠରେ ପିକନିକ କରିବାକୁ ଆସିଥିବା ୩ଜଣ ଇଂଜିନିୟରିଂ ଛାତ୍ର ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ଭୁବନେଶ୍ୱର ପଟିଆସ୍ଥିତ ସିଲିକନ୍ ଏକାଡେମୀ ଇଂଜିନିୟରିଂ କଲେଜର ୨୭ ଜଣ ଛାତ୍ରଛାତ୍ରୀ ଆଜି ଅସ୍ତରଙ୍ଗର ପୀର ଜାହାନିଆ ପୀଠ ବୁଲିବାକୁ ଯାଇଥିଲେ । ୬ଜଣ ଛାତ୍ର ସମୁଦ୍ରରେ ଗାଧୋଉଥିବାବେଳେ ଅଚାନକ ଭାସିଯାଇଥିଲେ । ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ସମର୍ଥ ହୋଇଥିବାବେଳେ ଅନ୍ୟ ୫ଜଣ ସମୁଦ୍ରରେ ଅତି ଭିତରକୁ ଚାଲିଯାଇଥିଲେ । ଏପରିକି ସମୁଦ୍ର କୂଳଠାରୁ ପ୍ରାୟ ଦେଢ କିଲୋମିଟର ଭିତରେ ଭାସିବାକୁ ଲାଗିଲେ । ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ହେଲେ ଦୁଇଜଣଙ୍କ ପତା ମିଳିନଥିଲା । ବହୁ ଖୋଜାଖୋଜି ପରେ ଠାବ ହେଲାବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା । ଘଟଣାରେ ମୋଟ୍ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି ।

୬ଜଣ ଛାତ୍ର ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଦେବଦୂତ ସାଜି ଉଭା ହୋଇଥିଲେ ରାଜେଶ ବାରିକ । ସମୁଦ୍ରକୂଳରେ ଏକ ସାଧାରଣ ଆଇସ୍କ୍ରିମ୍ ଦୋକାନ ଦେଇଥିବା ରାଜେଶ, ଦେଖାଇଥିଲେ ଅସଧାରଣ ସାହସ । ତାଙ୍କରି ଉଦ୍ୟମରେ ନୂଆ ଜୀବନ ପାଇଥିଲେ ୩ଜଣ ଇଂଜିନିୟରିଂ ଛାତ୍ର ।

ଅସ୍ତରଙ୍ଗ ଜାହାନିଆ ପିରରେ ପିକନିକ କରିବାକୁ ଆସିଥିବାବେଳେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ସାଙ୍ଗରେ ଆସିଥିବା ଅନ୍ୟ ଇଂଜିନିୟରିଂ ଛାତ୍ରଛାତ୍ରୀ ପିକନିକର ମଜା ନେଉଥିବାବେଳେ ସମୁଦ୍ରରେ ଗାଧୋଇବାକୁ ଯାଇ ଅଚାନକ ଭାସିଗଲେ ୬ ଜଣ । କୂଳରେ ଛିଡା ହୋଇଥିବା ଅନ୍ୟ ସାଥୀମାନେ ଖୁବ ଜୋରରେ ପାଟି କରିବାକୁ ଲାଗିଲେ । ହେଲେ କେହି ସମୁଦ୍ର ଭିତରକୁ ଯିବା ପାଇଁ ସାହସ ଜୁଟାଇ ପାରୁନଥିଲେ । ସ୍ଥାନୀୟ ଲୋକେ ସାହସ ଦେଖାଇ କୂଳରୁ ଜଣଙ୍କୁ ଉଦ୍ଧାର କରିଥିଲେ । ହେଲେ ଅନ୍ୟ ୫ଜଣ ଛାତ୍ରଙ୍କୁ ଟାଣିନେଇଥିଲା ସମୁଦ୍ର ଲହଡି । ଆଉ କେହି କିଛି ବୁଝିବା ଆଗରୁ କୂଳଠାରୁ ୧ରୁ ଦେଢ କିଲୋମିଟର ପାଣି ଭିତରେ ଭାସିବାକୁ ଲାଗିଲେ ସମସ୍ତେ । କେହି କିଛି ବାଟ ପାଉନଥିଲେ । ସମୁଦ୍ରର ସୁଉଚ୍ଚ ଲହଡି ଛାତିରେ ଛନକା ଭରି ଦେଉଥିଲା ।

ଆଉ ଏତିକିବେଳେ ସାହସ ଦେଖାଇଥିଲେ ସେହି ସମୁଦ୍ର କୂଳରେ ଆଇସ୍କ୍ରିମ୍ ଦୋକାନ ଦେଇଥିବା ଜଣେ ଯୁବକ ରାଜେଶ ବାରିକ । ନିଜ ଜୀବନକୁ ଖାତିର ନକରି ସମୁଦ୍ର ଭିତରକୁ ଲମ୍ଫ ଦେଇଥିଲେ । ଉଚ୍ଚ ଲହଡିକୁ ଚିରି ତିନି ଜଣ ଛାତ୍ରଙ୍କ ପାଖରେ ପହଂଚିଗଲେ । ବହୁ ଚେଷ୍ଟା କରି ସବୁ ପ୍ରତିକୂଳ ପରିସ୍ଥିତି ସତ୍ୱେ ପହଂରି ପହଂରି ତିନି ଜଣଙ୍କୁ କୂଳକୁ ଆଣିଥିଲେ । ହେଲେ ଅନ୍ୟ ଦୁଇ ଜଣଙ୍କ ପତା ମିଳିନଥିଲା ।

ଅସ୍ତରଙ୍ଗର ଜାହାନିଆ ପୀର ପୀଠରେ ଦୀର୍ଘଦିନ ହେଲା ଏକ ଆଇସ୍କ୍ରିମ ଦୋକାନ ଦେଇଛନ୍ତି ରାଜେଶ ବାରିକ । ନୂଆବର୍ଷ ଆରମ୍ଭରୁ ଏହି ସମୁଦ୍ରକୂଳକୁ ଲୋକଙ୍କ ସୁଅ ଛୁଟିଛି । ପ୍ରତିଦିନ କେତେ ପିକନିକ୍ ପାର୍ଟି ଏଠାକୁ ଆସନ୍ତି । ମୌଜ ମଜଲିସ କରନ୍ତି, ସମୁଦ୍ରରେ ଗାଧୁଆ ପାଧୁଆ ସାରି ଫେରିଯାଆନ୍ତି । କାହାରିକୁ ଚିହ୍ନନ୍ତି ନାହିଁ ରାଜେଶ । ସେମାନେ ବି ରାଜେଶଙ୍କୁ ମନେ ରଖିଥିବେ ଏଥିରେ ସନ୍ଦେହ ରହିଛି । ହେଲେ କିଛି ଅଚିହ୍ନା ଯୁବକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲେ ରାଜେଶ । ସମୁଦ୍ର କୂଳରେ ଦୋକାନଟିଏ ଦେଇ ଅତି ସାଧାରଣ ଜୀବନ ଯାପନ କରୁଥିବା ରାଜେଶ ଦେଖାଇଛନ୍ତି ଅସାଧାରଣ ସାହସ । ଏଥିପାଇଁ ଆଜି କାହାଣୀର ସେ ହିଁ ହିରୋ । ତାଙ୍କର ଏହି ଅଦମ୍ୟ ସାହସ ପାଇଁ ସେ ସବୁଦିନ ପାଇଁ ମନେରହିବେ । ହୁଏତ ଏହି ଖବର ଦେଖିବା ପରେ ଅସ୍ତରଙ୍ଗର ପୀର ଜାହାନିଆ ପୀଠ ବୁଲିଆସୁଥିବା ପର୍ଯ୍ୟଟକ ରାଜେଶ ବାରିକଙ୍କୁ ନିଶ୍ଚିୟ ଖୋଜିବେ ।

ବୁଡି ଯାଉଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବା ଲାଗି ଅନ୍ୟ ସ୍ଥାନୀୟ ଲୋକେ ମଧ୍ୟ ଖୁବ ସହଯୋଗ କରିଛନ୍ତି । ବିଶେଷ କରି ଦୀର୍ଘ ସମୟ ଧରି ନିଖୋଜ ଦୁଇ ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ । ଏପରିକି ରାଜେଶଙ୍କୁ ବି ଏକ ଟ୍ୟୁବ ଦେଇ ପୁଣି ସମୁଦ୍ର ଭିତରକୁ ପଠାଯାଇଥିଲା । ହେଲେ ନିଖୋଜ ଦୁଇ ଛାତ୍ରଙ୍କ ପତା ମିଳିଲା ବେଳକୁ ସେମାନଙ୍କ ଦେହରେ ଆଉ ଜୀବନ ନଥିଲା ।