ହାତରେ ଆଘାତ ଲାଗିଥିବାରୁ ବିଶ୍ୱକପରୁ ବଂଚିତ ହେଲେ ଶିଖର ଧୱନ। ୩ ସପ୍ତାହ ପାଇଁ ଖେଳିବେ ନାହିଁ ମ୍ୟାଚ୍

1,694

କନକ ବ୍ୟୁରୋ: ଟିମ୍ ଇଣ୍ଡିଆକୁ ଝଟକା । ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶଜନକ ଖବର । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଦମଦାର ଶତକ କରି ପ୍ରଶଂସା ପାଇଥିବା ଓପନର ଶିଖର ଧୱନ ଆହତ ହୋଇଛନ୍ତି । ତାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ତାଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ତିନି ସପ୍ତାହ ପର୍ଯ୍ୟନ୍ତ ସେ କୌଣସି ମ୍ୟାଚ ଖେଳିପାରିବେ ନାହିଁ । ଯାହା ଟିମ ଇଣ୍ଡିଆର ପ୍ରଶଂସକଙ୍କୁ ନିରାଶ କରିଛି ।

ଅର୍ଥାତ୍ ଜୁନ ୧୩ତାରିଖରେ ନ୍ୟୁଜିଲାଣ୍ଡ ଓ ୧୬ଜୁନରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ବିପକ୍ଷ ମ୍ୟାଚରେ ଶିଖର ଖେଳିବେ ନାହିଁ । ଏହି ଦୁଇଟି ବଡ ମ୍ୟାଚରେ ଶିଖର ଧୱନଙ୍କ ଭଳି ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ଅନୁୁପସ୍ଥିତି କୋହଲି ବାହିନୀ ପାଇଁ ଶକ୍ତ ଝଟକା ବୋଲି କୁହାଯାଉଛି । ଗତ ରବିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିରୋଧ ମ୍ୟାଚରେ ପେସ ବୋଲର ନାଥନ କୁଲଟରଙ୍କ ବଲରେ ଆହତ ହୋଇଥିଲେ । ଏବେ ଶିଖର ଧୱନଙ୍କ ସ୍ଥାନରେ କେଏଲ ରାହୁଲ ରୋହିତ ଶର୍ମାଙ୍କ ସହ ଟିମ ଇଣ୍ଡିଆର ପାଳି ଆରମ୍ଭ କରିପାରନ୍ତି ।