ବିଶ୍ୱକପ ୨୦୧୯: ଲର୍ଡ୍ସରେ ହେବ ହାଇଭୋଲଟେଜ୍ ମ୍ୟାଚ୍, ଆଜି ମୁହାଁମୁହିଁ ହେବେ ପାରମ୍ପାରିକ ପ୍ରତିଦ୍ୱନ୍ଦି ଇଂଲଣ୍ଡ-ଅଷ୍ଟ୍ରେଲିଆ ।

180

କନକ ବ୍ୟୁରୋ: ବିଶ୍ୱକପରେ ମଙ୍ଗଳବାର ଦୁଇ ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ଫେଭରାଇଟ ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। କାରଣ ଆୟୋଜକ ଇଂଲଣ୍ଡ ପାଇଁ ଏହି ମ୍ୟାଚ୍ ଜିତିବା ବେଶି ଜରୁରୀ ହୋଇପଡିଛି। ଇଂଲଣ୍ଡ ୬ଟି ମ୍ୟାଚ୍ ଖେଳି ୪ ବିଜୟ ଓ ୨ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଥିବାବେଳେ, ଅଷ୍ଟ୍ରେଲିଆ ମଧ୍ୟ ୬ଟି ମ୍ୟାଚ୍ ଖେଳି ୫ ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।

ପ୍ରଥମେ ପାକିସ୍ତାନଠାରୁ ହାରିବା ପରେ ଇଂଲଣ୍ଡ ଗତ ଶୁକ୍ରବାର ଶ୍ରୀଲଙ୍କାଠାରୁ ୨୦ ରନରେ ପରାସ୍ତ ହୋଇଥିଲା। ଫଳରେ ପ୍ରତିଯୋଗିତାର ଆଜିର ମ୍ୟାଚ୍ ବେଶ୍ ଗୁରୁପୂର୍ଣ୍ଣ ରହୁଛି । ଗତ ମ୍ୟାଚ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ଶାନଦାର ବୋଲିଂ କରି ଇଂଲଣ୍ଡର ବିପର୍ଯ୍ୟୟ ଘଟାଇଥିଲେ। ଦୁଇଟି ପରାଜୟ ସତ୍ତ୍ୱେ ଇଂଲଣ୍ଡ ପଏଣ୍ଟ ତାଲିକାର ଶ୍ରେଷ୍ଠ ୪ଟି ସ୍ଥାନରେ ନିଜ ସ୍ଥିତି ବଜାୟ ରଖି ସେମିଫାଇନାଲ ଦୌଡ଼ରେ ସାମିଲ ରହିଛି।

ସେପଟେ ଅପରପକ୍ଷରେ ଅଷ୍ଟ୍ରେଲିଆ କେବଳ ଭାରତଠାରୁ ପରାସ୍ତ ହୋଇଥିବା ବେଳେ ଆଉ ବାକି ସବୁ ମ୍ୟାଚ୍ରେ ବିଜୟୀ ହୋଇ ଶାନଦାର ଫର୍ମରେ ରହିଛି। ଦୁଇ ଓପନର ଡେଭିଡ ଓ୍ବାର୍ନର ଓ ଅଧିନାୟକ ଆରୋନ ଫିଞ୍ଚ୍ ବେଶ୍ ଭଲ ପ୍ରଦର୍ଶନ କରି ସେମିଫାଇନାଲ୍ ଦୌଡରେ ରହିଛି । ମିଚେଲ ଷ୍ଟାର୍କ ୧୫ଟି ଉଇକେଟ ନେଇ ଇଂଲଣ୍ଡର ଜୋଫ୍ରା ଆର୍ଚର ଓ ପାକିସ୍ତାନର ମହମ୍ମଦ ଅମୀରଙ୍କ ସହ ଯୁଗ୍ମ ଶୀର୍ଷ ସ୍ଥାନରେ ରହିଛନ୍ତି।

ସମ୍ଭାବ୍ୟ ଏକାଦଶ

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍ (ଅଧିନାୟକ), ଜାସନ ବେହରନଡୋର୍ଫ, ଆଲେକ୍ସ କେରୀ, ନାଥନ କୁଲ୍ଟର-ନାଇଲ, ପ୍ୟାଟ୍ କୁମିନ୍ସ, ଉସ୍ମାନ ଖ୍ବାଜା, ନାଥନ ଲିୟନ, ଶନ ମାର୍ସ, ଗ୍ଲେନ୍ ମ୍ୟାକ୍ସଓ୍ବେଲ, କେନ୍ ରିଚାର୍ଡସନ୍, ଷ୍ଟିଭେନ ସ୍ମିଥ୍, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।

ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ଜୋସ ବଟଲର, ମୋଇନ ଅଲି, ଜୋଫ୍ର ଆର୍ଚର, ଜନୀ ବେୟାରଷ୍ଟୋ, ଟମ୍ କୁରାନ, ଲିଅମ ଡସନ, ଲିଅମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ୍, ଜାସନ ରୟ, ବେନ୍ ଷ୍ଟୋକ୍ସ, ଜେମ୍ସ ଭିନ୍ସ, କ୍ରିସ୍ ଓ୍ବକ୍ସ ଓ ମାର୍କ ଉଡ୍।