ଆଜି ମହିଳା ବିଶ୍ୱକପ୍ ଫାଇନାଲ ! ମିତାଲିଙ୍କ ଦଳ ପାଇଁ ମାଇଲଖୁଂଟ ସ୍ଥାପନ ସୁଯୋଗ

30

କନକ ବ୍ୟୁରୋ : ଆଜି ଅନୁଷ୍ଠିତ ହେବ ଆଇସିସି ମହିଳା ବିଶ୍ୱକପ ଫାଇନାଲ ମ୍ୟାଚ । ଚଳିତ ମହିଳା କ୍ରିକେଟ୍‌ ବିଶ୍ୱକପର ଫାଇନାଲରେ ରବିବାର ଆୟୋଜକ ଇଂଲଣ୍ଡକୁ ଆତ୍ମବିଶ୍ୱାସ ଭରା ଭାରତୀୟ କ୍ରିକେଟ୍‌ ଦଳ ଭେଟିବ । କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲର୍ଡସ ପଡ଼ିଆରେ ଖେଳା ଯିବାକୁ ଥିବା ଏହି ପ୍ରତୀକ୍ଷିତ ମୁକାବିଲାରେ ଭାରତ ପାଖରେ ପୁରୁଣା ଧାରା ବଦଳାଇବାର ସୁଯୋଗ ରହିବ । ଆସନ୍ତାକାଲି ବିଜୟୀ ହେଲେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ପରେ ବିଶ୍ୱକପ୍‌ ଜିତିବାରେ ଭାରତ ପ୍ରଥମ ଦେଶ ହେବ । ୧୯୭୩ ମସିହାରେ (ପୁରୁଷ ବିଶ୍ୱକପର ଦୁଇ ବର୍ଷ ପୂର୍ବରୁ) ଆରମ୍ଭ ହେବା ପରଠାରୁ ମହିଳା କ୍ରିକେଟ୍‌ ବିଶ୍ୱକପରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଆଧିପତ୍ୟ ବିସ୍ତାର କରି ଆସିଛନ୍ତି ।

ନ୍ୟୁଜିଲାଣ୍ଡ (୨୦୦୦) ଥରେ ବିଶ୍ୱ ବିଜୟୀ ହୋଇଥିଲା ବେଳେ ଏହି ଦୁଇ ଦେଶ ଅନ୍ୟ ଦଶଟି ସଂସ୍କରଣକୁ ମିଳିତ ଭାବେ ଜିତି ନେଇଛନ୍ତି । ଭାରତ ଚଳିତ ଥର ନିଜ ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ୩୫ ରନରେ ହରାଇଥିଲା । ସେମିଫାଇନାଲରେ ୬ ଥର ବିଜେତା ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ସେଥିପାଇଁ ରବିବାରର ଲର୍ଡସ ଲଢ଼େଇରେ ବିଜୟୀ ହୋଇ ମିତାଲି ରାଜଙ୍କ ଦଳ ଭାରତୀୟ ମହିଳା କ୍ରିକେଟ୍‌ରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ପ୍ରଶଂସକମାନେ ଆଶା କରିଛନ୍ତି । ଏହା ହୋଇ ପାରିଲେ ଭାରତୀୟ ମହିଳା କ୍ରିକେଟ୍‌ରେ ଏହି ବିଜୟ ଦୀର୍ଘ ଦିନ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ମାଇଲଖୁଣ୍ଟ ହୋଇ ରହିବ। ଅସ୍ଥିତ୍ୱ ବଜାୟ ରଖିବା ଲାଗି ସଂଘର୍ଷ କରୁଥିବା ମହିଳା କ୍ରିକେଟ୍‌ର ମୋଡ଼ ବି ବଦଳିଯିବ।

ଲର୍ଡସରେ ଉଭୟ ୧-୧
ଲର୍ଡସ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ୧-୧ ସମାନ ସ୍ତରରେ ରହିଛନ୍ତି । ଏହି ଐତିହାସିକ ପଡ଼ିଆରେ ଉଭୟ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ଲର୍ଡସରେ ୨୦୦୬ରେ ଭାରତକୁ ୧୦୦ ରନରେ ଇଂଲଣ୍ଡ ହରାଇଥିଲା ବେଳେ ୨୦୧୨ରେ ଭାରତ ୫ ଓ୍ଵିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ୨୦୧୪ରେ ଖେଳା ଯିବାକୁ ଥିବା ଦିନିକିଆ ଲଗାଣ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା । ସେଥିପାଇଁ ରବିବାର ଲଢ଼େଇ ବେଶ୍‌ ରୋମାଞ୍ଚଭରା ରହିବ ବୋଲି ଆଶା କରାଯାଉଛି । ଅନ୍ୟ ପରିସଂଖ୍ୟାନଗୁଡ଼ିକ ଉପରେ ନଜର ପକାଇଲେ ଜଣାପଡ଼େ ଯେ ମିତାଲି ରାଜ ପ୍ରଥମ ଅଧିନାୟିକା ଭାବେ ଦୁଇ ଥର ଭାରତକୁ ବିଶ୍ୱକପର ଫାଇନାଲ୍‌ (୨୦୦୫, ୨୦୧୭) ନେଇଛନ୍ତି। ୧୯ ବର୍ଷୀୟା ଦୀପ୍ତି ଶର୍ମା ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ୱକପରେ ୨୦୦ ରନ୍‌ କରିବା ସହ ୧୦ ଓ୍ଵିକେଟ୍‌ ନେଇଛନ୍ତି ।

୧୨ ବର୍ଷ ପରେ ଟ୍ରଫି ଜିତିବା ସୁଯୋଗ
ପ୍ରଥମ ମହିଳା କ୍ରିକେଟ୍‌ ବିଶ୍ୱକପ୍‌ ପୁରୁଷ କ୍ରିକେଟ୍‌ ବିଶ୍ୱକପ୍‌ ଆୟୋଜନ ହେବାର ଦୁଇ ବର୍ଷ ପୂର୍ବରୁ ଖେଳା ଯାଇଥିଲା । ପୁରୁଷ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ୧୯୭୫ରେ ଖେଳା ଯାଇଥିଲା । ଅନ୍ୟ ପକ୍ଷରେ ପ୍ରଥମ ମହିଳା ବିଶ୍ୱକପ୍‌ ୧୯୭୩ ମସିହାରେ ଆୟୋଜିତ ହୋଇଥିଲା । ପ୍ରଥମ ସଂସ୍କରଣରେ କିନ୍ତୁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଅଂଶ ଗ୍ରହଣ କରି ନଥିଲା । ୫ ବର୍ଷ ପରେ ଅର୍ଥାତ୍‌ ୧୯୭୮ରେ ଖେଳା ଯାଇଥିବା ଦ୍ୱିତୀୟ ସଂସ୍କରଣରେ ହିଁ ଭାରତୀୟ ମହିଳା ଦଳ ପ୍ରଥମ ଥର ଅଂଶ ଗ୍ରହଣ କରିଥିଲା । ଏଥିରେ ଚତୁର୍ଥ ସ୍ଥାନରେ ରହିଥିଲା । ୧୯୮୨ର ଦ୍ୱିତୀୟ ସଂସ୍କରଣରେ ମଧ୍ୟ ଭାରତ ସେହି ସଫଳତା ଦୋହରାଇଥିଲା ।

୧୯୮୮ର ତୃତୀୟ ବିଶ୍ୱକପ୍‌ରେ ଭାରତ ଅଂଶ ଗ୍ରହଣ କରି ନଥିଲା । ହେଲେ ୧୯୯୩ରେ ଖେଳି ସେହି ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ୧୯୯୭ର ପଞ୍ଚମ ସଂସ୍କରଣଠାରୁ ଭାରତୀୟ ଦଳର ପ୍ରଦର୍ଶନରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ୧୯୯୭ ଏବଂ ତା’ ପର ବିଶ୍ୱକପ୍‌ ଅର୍ଥାତ୍‌ ୨,୦୦୦ରେ ଭାରତ ସେମିଫାଇନାଲ୍‌ ଖେଳିଥିଲା । ୨୦୦୫ରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ର ଫାଇନାଲ୍‌ ଖେଳି ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା । ଫଳରେ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।  ୨୦୦୯ରେ ତୃତୀୟ ସ୍ଥାନରେ ରହିବା ପରେ ୨୦୧୩ରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ସପ୍ତମ ସ୍ଥାନରେ ରହିଥିଲା ।

୫୦ ଲକ୍ଷ ଲେଖାଏଁ ଦେଲା ବିସିସିଆଇ
ଭାରତୀୟ ମହିଳା କ୍ରିକେଟ୍‌ ଦଳ ନିଜ ପରିଶ୍ରମର ଫଳ ପାଇଛି। ଚଳିତ ବିଶ୍ୱକପ୍‌ରେ ଭାରତୀୟ ମହିଳା ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ବିସିସିଆଇ ସେମାନଙ୍କୁ ପୁରସ୍କୃତ କରିଛି। ରବିବାରର ଫାଇନାଲ୍‌ ପୂର୍ବରୁ ଖେଳାଳିଙ୍କ ମନୋବଳ ବଢ଼ାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ଲାଗି ବିସିସିଆଇ ପ୍ରତ୍ୟେକ ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦେବାକୁ ଘୋଷଣା କରିଛି। ସେହିଭଳି ପ୍ରଶିକ୍ଷକ ମଣ୍ଡଳର ପ୍ରତି ସଦସ୍ୟଙ୍କୁ ମଧ୍ୟ ବିସିସିଆଇ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବ ବୋଲି କହିଛି। ଫାଇନାଲରେ ବିଜୟୀ ହେଲେ ଏହି ରାଶି ବଢ଼ିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି।