ପାକିସ୍ତାନ କ୍ଷତରେ ଲୁଣ ପକାଇଲା ଆଇସିସି । କହିଲା, ବିରାଟ ବାହିନୀକୁ ଭାରତୀୟ ସେନାର ଟୋପି ପିନ୍ଧିବାକୁ ଆମେ ଦେଇଥିଲୁ ଅନୁମତି

1,294

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚରେ ଆର୍ମି ଟୋପି ପିନ୍ଧି ଭାରତୀୟ ଟିମ୍ ପଡିଆକୁ ଓହ୍ଲାଇଥିବା ବେଳେ ଏହାକୁ ନେଇ ଆଇସିସି ଆଗରେ ଫେରାଦ ହୋଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ । ତେବେ ପାକିସ୍ତାନକୁ ଏନେଇ କଡା ଜବାବ ଦେଇଛି ଆଇସିସି । ମ୍ୟାଚରେ ଭାରତୀୟ ସେନାର ଟୋପି ପିନ୍ଧିବା ପାଇଁ ଟିମ ଇଣ୍ଡିଆ ଆମ ଠାରୁ ଅନୁମତି ନେଇଥିଲା ବୋଲି କହିଛି ଆଇସିସି । ଆଉ ଆଇସିସିର ଏଭଳି ଉତ୍ତର ପାକିସ୍ତାନର ମୁହଁ ଚୁପ କରି ଦେଇଛି ।

୮ ମାର୍ଚ୍ଚରେ ରାଞ୍ଚିରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବିରାଟ ବାହିନୀ ଭାରତୀୟ ସେନାର ସ୍ୱତନ୍ତ୍ର ଟୋପି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଏପରିକି ଗୋଟିଏ ମ୍ୟାଚର ଫି ମଧ୍ୟ ରାଷ୍ଟ୍ରୀୟ ସୁରକ୍ଷା କୋଷକୁ ଦାନ କରିଥିଲେ ଟିମ୍ ଇଣ୍ଡିଆର ଖେଳାଳି । ଯାହାକୁ ନେଇ ଆପତ୍ତି ଉଠାଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ ଓ ପାକିସ୍ତାନ ବୈଦଶିକ ମନ୍ତ୍ରୀ ।

ପିସିବି ମୁଖ୍ୟ କହିଥିଲେ, ଭାରତୀୟ ଟିମ୍ ଅନ୍ୟ ଉଦ୍ଦେଶ୍ୟରେ ଟୋପିର ବ୍ୟବହାର ପାଇଁ ଆଇସିସି ଠାରୁ ଅନୁମତି ନେଇଥିଲେ, କିନ୍ତୁ ଏହାର ବ୍ୟବହାର ଅନ୍ୟ ଉଦ୍ଦେଶ୍ୟରେ କରିଥିଲା ଟିମ୍ ଇଣ୍ଡିଆ । ଯାହା ଆଦୌ ଗ୍ରହଣୀୟ ନୁହେଁ । ସେହିଭଳି ପାକିସ୍ତାନ ବୈଦଶିକ ମନ୍ତ୍ରୀ କହିଥିଲେ, ପୂରା ବିଶ୍ୱ ଦେଖିଲା ଭାରତୀୟ ଟିମ୍ ନିଜ ଖେଳ ଟୋପି ବଦଳରେ ଭାରତୀୟ ସେନାର ଟୋପି ପିନ୍ଧି ପଡିଆକୁ ଓହ୍ଲାଇଥିଲା । କଣ ଏହାକୁ ଆଇସିସି ଦେଖିପାରୁନାହିଁ ।

ତେବେ ଏହାର ଜବାବରେ ଆଇସିସି ମହାପ୍ରବନ୍ଧକ କ୍ଲେରୀ ଫୁଲୋର୍ଗ କହିଛନ୍ତି, ବିସିସିଆଇ ସହିଦ ଯବାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ସ୍ୱତନ୍ତ୍ର ଟୋପି ପିନ୍ଧିବାକୁ ଆଇସିସିକୁ ଅନୁମତି ମାଗିଥିଲା । ଏବଂ ଭାରତୀୟ ଟିମକୁ ଏହାର ଅନୁମତି ମଧ୍ୟ ଦେଇଥିଲା ଆଇସିସି । ଏହି ବୟାନ ଆସିବା ପରେ ପାକିସ୍ତାନର ମୁହଁ ପୁଣିଥରେ ଚୁପ ହୋଇଯାଇଛି ।