ଗୁରୁବାରରୁ ନୂଆ କ୍ରିକେଟ୍ ନିୟମ ! ବ୍ୟାଟ୍ ଆକାର ଉପରେ ଅଙ୍କୁଶ, ବଦମାସି କଲେ ବିଦାହେବେ ଖେଳାଳି

88

କନକ ବ୍ୟୁରୋ: ଦିନକ ପରେ ବଦଳିଯିବ କ୍ରିକେଟର କେତେକ ପ୍ରଚଳିତ ନୀତି ନିୟମ । ଆଇସିସି ତା’ର ପ୍ରସ୍ତାବିତ ନୂଆ ନିୟମକୁ ଗୁରୁବାରରୁ ଆନୁଷ୍ଠାନିକ ଭାବେ ଲାଗୁ କରିବ । ଏହା ହେଲେ ରନ୍ ଆଉଟ୍, ବ୍ୟାଟର ମୋଟେଇ, ଡିଆରଏସ୍, କ୍ୟାଚ୍ ଆଦିର ନିୟମ ଆଂଶିକ କିମ୍ବା ପୂରା ବଦଳିଯିବ । ପଡ଼ିଆ ଭିତରେ ଖେଳାଳିଙ୍କ ଆଚାର ବ୍ୟବହାର ନେଇ ମଧ୍ୟ ଆଇସିସି ନୂଆ ନିୟମ ଆଣିବ ।

ବ୍ୟାଟର ସର୍ବାଧିକ ମୋଟେଇ ୬୭ ମିଲିମିଟର

ବ୍ୟାଟ୍ ଏବଂ ବଲ୍ ଭିତରେ ସନ୍ତୁଳନ ରକ୍ଷା କରିବା ଲାଗି ବ୍ୟାଟ୍ ଧାରର ମୋଟେଇ ସର୍ବାଧିକ ୪୦ ମିଲିମିଟର ହୋଇ ପାରିବ । ସେହିଭଳି ବ୍ୟାଟର ସର୍ବାଧିକ ମୋଟେଇ ୬୭ ମିଲିମିଟରରୁ ଅଧିକ ହୋଇ ପାରିବ ନାହିଁ । ବ୍ୟାଟର ଲମ୍ବ ଏବଂ ଓସାରରେ କିନ୍ତୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହା ପୂର୍ବ ନିୟମ ମୁତାବକ ହିଁ ରହିବ । ବ୍ୟାଟର ମୋଟେଇ ମାପିବା ଲାଗି ଅମ୍ପାୟାରଙ୍କୁ ସ୍ୱତନ୍ତ୍ର ଉପକରଣ ପ୍ରଦାନ କରାଯିବ । ସେହିଭଳି ପଡ଼ିଆ ଭିତରେ ଖେଳାଳିଙ୍କ ଆଚରଣକୁ ନିୟନ୍ତ୍ରଣରେ ରଖିବା ଲାଗି ପ୍ରଥମ ଥର ଲାଗି ଅମ୍ପାୟାରଙ୍କୁ ଆଇସିସି ଅଖଣ୍ଡ କ୍ଷମତା ପ୍ରଦାନ କରିବାକୁ ଯାଉଛି । ସେହି ଅନୁସାରେ ଖେଳାଳି ସୀମା ବାହାରକୁ ଗଲେ ଅମ୍ପାୟାର ସେମାନଙ୍କୁ ପଡ଼ିଆ ବାହାରକୁ ପଠାଇ ଦେଇ ପାରିବେ ।

ଏଭଳି ଖେଳାଳି ସଂପୃକ୍ତ ମ୍ୟାଚରେ ଆଉ ଖେଳିବାର ସୁଯୋଗ ପାଇବେ ନାହିଁ । ଆଇସିସିର ଏହି ନିୟମ ପରେ ଅମ୍ପାୟାରଙ୍କୁ ଗାଳି ଗୁଲଜ ଏବଂ ପେଲା ଠେଲା କରୁଥିବା ସହ ପ୍ରତିପକ୍ଷ ଖେଳାଳିଙ୍କୁ ଧକ୍କା ଦେଇ ତାଙ୍କୁ ଅଶୋଭନୀୟ ଆଚରଣ କରୁଥିବା ଖେଳାଳିମାନେ ଆଉ ବର୍ତ୍ତି ପାରିବେ ନାହିଁ । ଏହାକୁ ଆଇସିସି ଆଚରଣ ସଂହିତାର ଚତୁର୍ଥ ସ୍ତରୀୟ ଅପରାଧ ଭାବେ ବିଚାର କରାଯାଇ କଠୋର ଦଣ୍ଡ ବିଧାନ କରାଯିବ । କ୍ରିକେଟର ତିନିଟି ଯାକ ରୂପ ଯଥା ଟେଷ୍ଟ, ଦିନିକିଆ ଏବଂ ୨୦-୨୦ରେ ଏହାକୁ ଲାଗୁ କରାଯିବ ।

୨୦-୨୦ରେ ଡିଆରଏସ୍

ଡିଆରଏସ୍ ନିୟମେରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହେବ । ‘ଅମ୍ପାୟାର କଲ୍’ରେ ନିଷ୍ପତ୍ତି ନ ବଦଳିଲେ ଏଣିକି ଆଉ ରିଭ୍ୟୁ ହରାଇବାକୁ ପଡ଼ିବ ନାହିଁ । ଅର୍ଥାତ୍ ଯଦି ଅମ୍ପାୟାର ଆଉଟ୍ ଦେଇ ଥାଆନ୍ତି ଏବଂ ରିଭ୍ୟୁରେ ଏହା ଅମ୍ପାୟାର କଲ୍ ହୁଏ, ତାହାଲେ ରିଭ୍ୟୁ କାୟମ ନ ରହିଲେ ମଧ୍ୟ ମୂଳ ରିଭ୍ୟୁ ସଂଖ୍ୟାରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଟେଷ୍ଟ କ୍ରିକେଟରେ ୮୦ ଓଭର ପରେ ମିଳୁଥିବା ଅତିରିକ୍ତ ରିଭ୍ୟୁକୁ ବି ଉଠାଇ ଦିଆଯାଇଛି । ଅର୍ଥାତ୍ ଏଣିକି ଗୋଟିଏ ଦଳ ଗୋଟିଏ ପାଳିରେ କେବଳ ଦୁଇଟି ରିଭ୍ୟୁ କରି ପାରିବ । ଅନ୍ୟ ଏକ ଭଲ ଖବର ଭାବେ ଏଣିକି ୨୦-୨୦ରେ ମଧ୍ୟ ଡିଆରଏସକୁ ଅନୁମତି ମିଳିଛି । ଗୁରୁବାରରୁ ଦିନିକିଆ ଓ ଟେଷ୍ଟ ଭଳି ୨୦-୨୦ରେ ବି ରିଭ୍ୟୁ କରିବାର ସୁଯୋଗ ମିଳିବ । ହେଲେ ଏଥିରେ ପ୍ରତି ଦଳକୁ ମାତ୍ର ଗୋଟିଏ ରିଭ୍ୟୁ ମିଳିବ ।

ସୀମା ରେଖା କ୍ୟାଚ୍ ନିୟମରେ ପରିବର୍ତ୍ତନ

ରନ୍ ଆଉଟ୍ ନିୟମରେ ମଧ୍ୟ କେତେକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ତଦନୁୟାୟୀ ଯଦି ଜଣେ ବ୍ୟାଟ୍ସମ୍ୟାନ ଆଗକୁ ଡାଇଭ୍ ମାରି କ୍ରିଜ୍ ପଛରେ ବ୍ୟାଟ୍ ରଖି ସାରିଛନ୍ତି । କିନ୍ତୁ ବେଲ୍ ଖସିଲା ବେଳକୁ କୌଣସି କାରଣରୁ ଚଟାଣ ସହ ତାଙ୍କର ସଂପର୍କ ତୁଟି ଯାଇଛି । ତାହାଲେ ତାଙ୍କୁ ଆଉଟ୍ ଘୋଷଣା କରାଯାଇ ପାରିବ ନାହିଁ । ଷ୍ଟମ୍ପିଂ ବେଳେ ମଧ୍ୟ ଏହି ନିୟମକୁ ଅନୁସରଣ କରାଯିବ । ଅନ୍ୟ ପକ୍ଷରେ ସୀମାରେଖାରେ କ୍ୟାଚ୍ ନେଲା ବେଳେ ଖେଳାଳିମାନଙ୍କୁ ଏଣିକି ବଲକୁ ପ୍ରଥମ ଥର ସୀମା ରେଖା ଭିତରେ ଧରିବାକୁ ପଡ଼ିବ । ସୀମା ରେଖା ବାହାରୁ ବଲକୁ ଭିତରକୁ ଫିଙ୍ଗି ଦ୍ୱିତୀୟ ଥରରେ କ୍ୟାଚ୍ ଧରିଲେ ଏହାକୁ ଛକା ଭାବେ ପରିଗଣିତ କରାଯିବ । ସେହିଭଳି ଏଣିକି କ୍ଷେତ୍ରରକ୍ଷକ କିମ୍ବା ଓ୍ଵିକେଟ୍ ରକ୍ଷକଙ୍କ ହେଲମେଟରେ ବଲ୍ ବାଜି ପ୍ରତିଫଳିତ ହେଲେ ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍, ଷ୍ଟମ୍ପ୍ ଓ କ୍ୟାଚ୍ ଆଉଟ୍ ହୋଇ ପାରିବେ ।

ଦକ୍ଷିଣ ଆଫ୍ରିକା-ବାଂଲାଦେଶ, ପାକିସ୍ତାନ-ଶ୍ରୀଲଙ୍କା ଶୃଙ୍ଖଳାରୁ ଶୁଭାରମ୍ଭ

ଆଇସିସିର ନୂଆ କ୍ରିକେଟ୍ ନିୟମ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ଏବଂ ପାକିସ୍ତାନ-ଶ୍ରୀଲଙ୍କା ଶୃଙ୍ଖଳାରୁ ଲାଗୁ କରାଯିବ । ଏହି ଦୁଇ ଟେଷ୍ଟ ନୂଆ ନିୟମରେ ହିଁ ଖେଳାଯିବ । ହେଲେ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ପୁରୁଣା ନିୟମରେ ଆୟୋଜିତ ହେବ । ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ପୂର୍ବରୁ ଆରମ୍ଭ ହୋଇ ସାରିଥିବାରୁ ଶୃଙ୍ଖଳା ମଝିରେ ନୂଆ ନିୟମ ଲାଗୁ କରାଯିବ ନାହିଁ ବୋଲି ଆଇସିସି ସ୍ପଷ୍ଟ କରି ଦେଇଛି । ଉଭୟ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ଏବଂ ପାକିସ୍ତାନ-ଶ୍ରୀଲଙ୍କା ଶୃଙ୍ଖଳା ଗୁରୁବାରରୁ ଆରମ୍ଭ ହେବ । ପ୍ରଥମଟି ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରମ୍ ଏବଂ ଦ୍ୱିତୀୟ ୟୁଏଇରେ ଖେଳାଯିବ ।