ଟେଷ୍ଟ୍‍ ଓ ଦିନିକିଆ ଲିଗକୁ ସବୁଜ ସଙ୍କେତ

3

କନକ ବ୍ୟୁରୋ : ଟେଷ୍ଟ୍ କ୍ରିକେଟ୍ ଓ ଦିନିକିଆ କ୍ରିକେଟର ରୋମାଞ୍ଚକୁ ସୁରକ୍ଷିତ ରଖିବା ଏବଂ ଏହାକୁ ଅଧିକ ଗ୍ରହଣୀୟ କରିବା ଲକ୍ଷ୍ୟରେ ଆଇସିସି ବଡ଼ ନିଷ୍ପତ୍ତି ନେଇଛି । ଏହି ଉଭୟ ଶ୍ରେଣୀୟ କ୍ରିକେଟରେ ଲିଗ୍ ଆରମ୍ଭ କରିବା ଲାଗି ଶୁକ୍ରବାର ନୀତିଗତ ନିଷ୍ପତ୍ତି ନେଇଛି ଆଇସିସି ବୋର୍ଡ । ଏ ସମ୍ପର୍କରେ ଅନେକ କିଛି ଚିନ୍ତା କରିବା ପରେ ଚୂଡାନ୍ତ ରୂପରେଖ ହେବାକୁ ଥିଲେ ମଧ୍ୟ ୨୦୧୯ ବିଶ୍ୱକପ୍ ପରେ ପରେ ଦୁଇ ବର୍ଷିଆ ଟେଷ୍ଟ୍ ଲିଗ୍ ଏବଂ ୨୦୨୧ ମସିହାରୁ ଦିନିକିଆ ଲିଗ୍ ଖେଳାଯିବ ବୋଲି ସୂଚନା ଦିଆଯାଇଛି । ଟେଷ୍ଟ୍ ଲିଗରେ ମାନ୍ୟତାପ୍ରାପ୍ତ ୧୨ ଦଳ ମଧ୍ୟରୁ ଜିମ୍ବାୱେ, ଆଫଗାନିସ୍ତାନ ଓ ଆୟର୍ଲାଣ୍ଡକୁ ପ୍ରାରମ୍ଭିକ ଅବସ୍ଥାରେ ବାଦ୍ ଦେଇ ୯ ଦଳ ଭାଗନେବେ । ପ୍ରତ୍ୟେକ ଦଳ ନିର୍ଦ୍ଧାରିତ ୨ ବର୍ଷ ଭିତରେ ଘରେ-ବାହାରେ ଭିତ୍ତିରେ ୩-୩ ଟେଷ୍ଟ୍ ଶୃଙ୍ଖଳା ଖେଳିବେ । ୨୦୨୧ ଏପ୍ରିଲ୍ ବେଳକୁ ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍ ଖେଳିବେ । ସେହିଭଳି ୨୦୨୧ ମସିହାରୁ ଆରମ୍ଭ ହେବାକୁ ଥିବା ୩ ବର୍ଷିଆ ଦିନିକିଆ ଲିଗରେ ୧୩ ଦେଶ ଭାଗନେବେ ।

ବର୍ତ୍ତମାନ ୧୨ ଦେଶ ଦିନିକିଆ ମାନ୍ୟତା ପାଇଥିବାବେଳେ ଦୁଇ ବର୍ଷ ପରେ କେଉଁ ଦଳ ବିଶ୍ୱକପ୍ ଯୋଗ୍ୟତା ଅର୍ଜନ କରୁଛି ତାହା ତ୍ରୟୋଦଶ ଦଳ ନିର୍ଦ୍ଧାରିତ ହେବ। ଏଥି ସହ ଆଇସିସି ବୋର୍ଡ ମଧ୍ୟ ୪ ଦିନିଆ ଟେଷ୍ଟ୍ର ପରୀକ୍ଷା ନିରୀକ୍ଷା ପାଇଁ ସମ୍ମତି ଦେଇଛି। ଡିସେମ୍ବର ୨୬ରେ ଜିମ୍ବାୱେ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ୪ ଦିନିଆ ଟେଷ୍ଟ୍ ଖେଳିବ। ଶୁକ୍ରବାର ଅକଲାଣ୍ଡରେ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ରିଚାର୍ଡସନ୍ କହିଛନ୍ତି, ଉଭୟ ଲିଗ୍ ସମ୍ପର୍କରେ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ଟେଷ୍ଟ୍ ଶୃଙ୍ଖଳା ଗୁଡ଼ିକ ଅନ୍ୟୁନ ୨ ମ୍ୟାଚରୁ ସର୍ବାଧିକ ୫ ମ୍ୟାଚ୍ ବିଶିଷ୍ଟ ହେବ ।

ଆଇସିସି ବୋର୍ଡ ଖୁବ୍ ଶୀଘ୍ର ଖେଳସୂଚୀ ଚୂଡାନ୍ତ କରିବ। ପଏଣ୍ଟ ବ୍ୟବସ୍ଥା, ଆୟୋଜନ ଏବଂ ପ୍ରତିଯୋଗିତା ନିୟମ ଆଦି ଚୂଡାନ୍ତ ହେବ। ସେହିଭଳି ୪ ଦିନିଆ ଟେଷ୍ଟ୍ ବ୍ୟବସ୍ଥା ନୂଆ ମାନ୍ୟତା ପାଇଥିବା ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ ଭଳି ଦେଶଗୁଡ଼ିକୁ ଦକ୍ଷତା ଦେଖାଇବାର ସୁଯୋଗ ଦେବ ବୋଲି ରିଚାର୍ଡସନ୍ କହିଥିଲେ। ଟେଷ୍ଟ୍ ଲିଗ୍ କିନ୍ତୁ ୫ ଦିନିଆ ବିଶିଷ୍ଟ ହେବ। ଟେଷ୍ଟ୍ କ୍ରିକେଟ୍ର ବିକାଶ, ବ୍ୟବସ୍ଥା, ଢ଼ାଞ୍ଚାକୁ ନେଇ ସବୁ କ୍ରିକେଟ ରାଷ୍ଟ୍ର ଏକମତ ହୋଇଥିବାରୁ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ଖୁସୀ ଜାହିର କରିଛନ୍ତି। ନୂଆ ନୀତିଗତ ନିଷ୍ପତ୍ତି ଅନ୍ତର୍ଜାତୀୟ କ୍ରିକେଟର ଭବିଷ୍ୟତକୁ ଅଧିକ ଉଜ୍ୱଳ କରିବ ବୋଲି ମନୋହର ଆଶା ପ୍ରକାଶ କରିଛନ୍ତି । କିନ୍ତୁ ସମ୍ଭବ ହୋଇ ପାରୁନଥିବା ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ଶୃଙ୍ଖଳା ଭଳି ଅନେକ ପ୍ରସଙ୍ଗ ଉପରେ ଆଇସିସି କୌଣସି ଟିପ୍ପଣୀ ରଖିନାହିଁ ।

ଅକଲାଣ୍ଡରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ଦୁଇ ଲିଗ୍ ବ୍ୟତୀତ ଅନ୍ୟ କିଛି ପ୍ରସଙ୍ଗରେ ମଧ୍ୟ ନିଷ୍ପତ୍ତି ହୋଇଥିଲା। ୨୦୧୮ରେ ମାର୍ଚରେ ଜିମ୍ବାୱେରେ ଆଇସିସି ବିଶ୍ୱକପ୍ ଯୋଗ୍ୟତା ପର୍ୟ୍ୟାୟ ଖେଳାଯିବ । ସେହିଭଳି ୨୦୧୮ ଫେବ୍ରୁଆରିରେ ନାମ୍ବିଆରେ ଆଇସିସି ବିଶ୍ୱ କ୍ରିକେଟ୍ ଲିଗର ଡିଭିଜନ୍-୨ ଖେଳାଯିବ । ସମାନ ସମୟରେ ନେଦରଲାଣ୍ଡରେ ଆଇସିସି ମହିଳା ୨୦-୨୦ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ। ଜାତୀୟ ଦଳରୁ ଖେଳିବାକୁ ଯୋଗ୍ୟତା ଲାଗି ପୂର୍ବରୁ ଥିବା ନିୟମରେ କୌଣସି ପରିବର୍ତନ କରାଯାଇ ନାହିଁ । ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ ପାଇଁ ଏହାକୁ ସମ୍ପୃକ୍ତ ଦେଶରେ ଅନ୍ୟୁନ ୩ ବର୍ଷର ଆବାସିକ ପ୍ରମାଣ (ପାସପୋର୍ଟ/ଜନ୍ମ) ଦେବାକୁ ହେବ । ଥରେ କୌଣସି ଦେଶ ପାଇଁ ଯୋଗ୍ୟ ହୋଇଗଲେ ପରବର୍ତୀ ସମୟରେ ସେ ବିନା ପ୍ରତିବଂଧକରେ ସେ ଦେଶ ପାଇଁ ଖେଳିପାରିବେ । ସେହିଭଳି ପାକିସ୍ତାନ ବିପକ୍ଷରେ ଆୟର୍ଲାଣ୍ଡ୍ ନିଜ ଟେଷ୍ଟ୍ ପଦାର୍ପଣ କରିବ ବୋଲି ସ୍ପଷ୍ଟ ହୋଇଛି ।

 

Comments are closed.