ରାଜନୈତିକ ଚାନ୍ଦାରେ ଅଙ୍କୁଶ !  ଆଉ ହେବନି ଟଙ୍କା କାରବାର 

52

କନକ ବ୍ୟୁରୋ: ନିର୍ବାଚନ ପାଣ୍ଠି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଇଲେକ୍ଟୋରାଲ୍ (ନିର୍ବାଚନୀ) ବଣ୍ଡ୍ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି । କୌଣସି ବ୍ୟକ୍ତି ବା ସଂସ୍ଥା ରାଜନୈତିକ ଦଳଙ୍କୁ ଚାନ୍ଦା ଦେବାକୁ ଚାହିଁଲେ ସେମାନେ ଟଙ୍କା ବଦଳରେ ବଣ୍ଡ ଦେବେ । ଏହି ବଣ୍ଡ ସେମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନିର୍ଦିଷ୍ଟ ଶାଖାରୁ କିଣିପାରିବେ । ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଟଲି ଗତକାଲି ଲୋକସଭାରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜନୈତିକ ଦଳଙ୍କ ନିର୍ବାଚନୀ ପାଣ୍ଠିରେ କଳାଧନର ପ୍ରବେଶକୁ ଅଟକାଇବା ଲାଗି ଏହି ପଦକ୍ଷେପ ନିଆଯାଇଛି । ୨୦୧୭-୧୮ ବର୍ଷ ଲାଗି ବଜେଟ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ ଏପରି ବଣ୍ଡ ସଂପର୍କରେ ସୂଚନା ଦେଇଥିଲେ। ଗତକାଲି ଏସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପ୍ରକାଶ କରିଛନ୍ତି ।

ସେ କହିଲେ ଯେ, ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବାକୁ ଚାହୁଁଥିବା ବ୍ୟକ୍ତି କିମ୍ବା ସଂସ୍ଥା, ଇଲେକ୍ଟ୍ରୋରାଲ୍ ବଣ୍ଡକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନିର୍ଦିଷ୍ଟ କେତେକ ଶାଖାରୁ କିଣିପାରିବେ। ବଣ୍ଡ୍ରେ ଥିବା ଅର୍ଥରାଶି ପାଇବାକୁ ହେଲେ ରାଜନୈତିକ ଦଳକୁ ମଧ୍ୟ ନିର୍ଦିଷ୍ଟ ଏକ ବ୍ୟାଙ୍କ ଖାତା ନମ୍ବର ପ୍ରଦାନ କରିବାକୁ ପଡ଼ିବ । ଏହି ବଣ୍ଡ୍ ପ୍ରତିବର୍ଷର ଜାନୁଆରି, ଏପ୍ରିଲ୍, ଜୁଲାଇ ଏବଂ ଅକ୍ଟୋବରରେ ଉପଲବ୍ଧ ହେବ। ଏହି ସବୁ ମାସରେ ୧୦ ଦିନ ପାଇଁ ବଣ୍ଡ୍ ଉପଲବ୍ଧ ହେବ । ସାଧାରଣ ନିର୍ବାଚନ ହେବାକୁ ଥିବା ବର୍ଷରେ କିନ୍ତୁ ଏହା ୩୦ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେବ । ବଣ୍ଡଗୁଡ଼ିକ ୧୫ ଦିନ ପର୍ଯ୍ୟନ୍ତ ବୈଧ ରହିବ। ଖରିଦ କରିଥିବା ବ୍ୟକ୍ତିଙ୍କ ନାମ ବଣ୍ଡରେ ରହିବ ନାହିଁ। କିନ୍ତୁ ଏହି ବଣ୍ଡ୍ ପାଇବାକୁ ହେଲେ ଆବଶ୍ୟକ କାଗଜପତ୍ର (କେଓ୍ଵାଇସି) ଦାଖଲ କରିବାକୁ ପଡ଼ିବ । ଯଦିଓ ଏହାକୁ ବଣ୍ଡ୍ କୁହାଯାଉଛି କିନ୍ତୁ ଏହା ଉପରେ କୌଣସି ପ୍ରକାର ସୁଧ ମିଳିବ ନାହିଁ । ଏହା ଏକ ପ୍ରମିସନରି ନୋଟ୍ ଭଳି କାମ କରିବ ।

ବର୍ତ୍ତମାନ ଦେଶରେ ରାଜନୈତିକ ଦଳଗୁଡ଼ିକୁ ନଗଦ ଅର୍ଥ ଆକାରରେ ଚାନ୍ଦା ଦିଆଯାଉଛି। ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ଇଲେକ୍ଟୋରାଲ୍ ବଣ୍ଡ୍ ଜାରି କରାଯିବ। ଇଲେକ୍ଟୋରାଲ୍ ବଣ୍ଡ୍ କେବଳ ପଞ୍ଜୀକୃତ ହୋଇଥିବା ସେହି ରାଜନୈତିକ ଦଳଗୁଡ଼ିକୁ ମିଳିବ ଯେଉଁମାନେ ଶେଷ ନିର୍ବାଚନରେ ଅତିକମରେ ୧% ଭୋଟ୍ ହାସଲ କରିଥିବେ । ଦଳ ପକ୍ଷରୁ ଅତି କମରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ନିର୍ବାଚନ କମିସନଙ୍କୁ ପ୍ରଦାନ କରିବାକୁ ପଡ଼ିବ। କେବଳ ଭାରତୀୟ ନାଗରିକ ଏବଂ ଭାରତରେ ପ୍ରତିଷ୍ଠା କରାଯାଇଥିବା ସଂସ୍ଥା ଏହି ବଣ୍ଡ୍ ଖରିଦ କରିପାରିବେ । ୧୦୦୦ ଟଙ୍କା, ୧୦ ହଜାର ଟଙ୍କା, ଲକ୍ଷେ ଟଙ୍କା, ୧୦ ଲକ୍ଷ ଟଙ୍କା ଏବଂ ୧ କୋଟି ଟଙ୍କାର ଗୁଣିତକ ହିସାବରେ ଇଲେକ୍ଟୋରାଲ୍ ବଣ୍ଡ୍ ଖରିଦ କରାଯାଇପାରିବ ।

ଜେଟଲି କହିଛନ୍ତି ଯେ ଯେଉଁମାନେ ରାଜନୈତିକ ଦଳକୁ ଚାନ୍ଦା ଦେବେ ସେମାନେ ସବିଶେଷ ତଥ୍ୟ ସେମାନଙ୍କ ବାଲାନ୍ସ ସିଟରେ ମଧ୍ୟ ପ୍ରଦର୍ଶନ କରିବ। ଏଥିରୁ ଜଣାପଡ଼ିବ ଯେ ରାଜନୈତିକ ଦଳ ପାଖକୁ ଆସିଥିବା ଅର୍ଥ ହେଉଛି ସ୍ୱଚ୍ଛ । ବର୍ତ୍ତମାନ କେଉଁ ଦଳ କେତେ ଟଙ୍କାର ପାଣ୍ଠି କାହା ପାଖରୁ ପାଉଛନ୍ତି ତାହା ଜାଣିବାର କୌଣସି ନିର୍ଦିଷ୍ଟ ବ୍ୟବସ୍ଥା ନାହିଁ । ବଣ୍ଡ୍ ଜାରି ହେବା ପରେ ଚାନ୍ଦା ଦେଉଥିବା ବ୍ୟକ୍ତି କିମ୍ବା ସଂସ୍ଥା ଜାଣିପାରିବେ ତାଙ୍କ ଟଙ୍କା କେଉଁ ଦଳକୁ ଯାଇଛି । ପାଣ୍ଠି ହାସଲ କରିଥିବା ରାଜନୈତିକ ଦଳକୁ ନିର୍ବାଚନ କମିସନଙ୍କ ପାଖରେ ରିଟର୍ଣ୍ଣ ଫାଇଲ୍ କରିବାକୁ ପଡ଼ିବ ।