ଛତିଶଗଡ଼ର ଛଳନା । ଉପରମୁଣ୍ଡରେ ବନ୍ଧ ବାନ୍ଧିଲା, ଓଡିଶାର ଇବ୍ ନଦୀ ମରୁଭୂମି ପାଲଟିଲା ।

192

କନକ ବ୍ୟୁରୋ : ପଡୋଶୀ ରାଜ୍ୟ ଛତିଶଗଡର ଛଳନାରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲା ସୁନ୍ଦରଗଡ ଶୁଖିଗଲାଣି । ଛତିଶଗଡ ଷଡଯନ୍ତ୍ର କରି ସୁନ୍ଦରଗଡର ଲାଇଫ ଲାଇନ୍ କୁହାଯାଉଥିବା ଇବ୍ ନଦୀର ପାଣି ଅଟକାଇବା ଫଳରେ ଜିଲ୍ଲାରେ ଏବେ ଉକ୍ରଟ ଜଳ ସମସ୍ୟା ଦେଖିବାକୁ ମିଳିଛି । ପୂର୍ବରୁ ଜଳପୂର୍ଣ୍ଣ ହୋଇ ରହୁଥିବା ଇବ୍ ନଦୀ ଏବେ ମରୁଭୂମିର ଭ୍ରମ ସୃଷ୍ଟି କରୁଛି ।

ସୁନ୍ଦରଗଡର ଲାଇଫ୍ ଲାଇନ୍ କୁହାଯାଉଥିବା ଇବ୍ ନଦୀ ଏବେ ମରୁଭୂମି । ଯେଉଁଆଡେ ଦେଖିଲେ ଖାଲି ବାଲି ଆଉ ବାଲି । ମୃତପ୍ରାୟ ହୋଇଗଲାଣି ଇବ୍ ନଦୀ । ଆଉ ଏହା ପଛର ମୁଖ୍ୟ ଖଳନାୟକ ସାଜିଛି ଛତିଶଗଡ । ବିଜୁଳି ଉତ୍ପାଦନ ପାଇଁ ଇବ ନଦୀ ଉପର ମୁଣ୍ଡ ଯଶପୁର ଜିଲ୍ଲା ଗୁଲ୍ଲୁ ଠାରେ ହାଇଡ୍ରୋ ପାଓାର ପ୍ରୋଜେକ୍ଟ କରି ନଦୀର ଗତି ପଥକୁ ପରିବର୍ତନ କରି ଟନେଲ ମାଧ୍ୟମରେ ପାଣିକୁ ପାହାଡ ଉପର ନେଇ ଯାଉଛି ଛତିଶଗଡ । ସେଠାରେ ଟରୱାନିରେ ପକାଇ ବିଜୁଳି ଉତ୍ପାଦନ କରୁଛି । ଛତିଶଗଡ ଇବ୍ ନଦୀର ପାଣିକୁ ପାହାଡ ଉପରକୁ ନେଇ ଯାଉଥିବାରୁ ତଳ ମୁଣ୍ଡକୁ ଯେତିକି ପାଣି ଆସୁଥିଲା ଆଉ ଆସୁନାହିଁ । କେବଳ ଏତିକିରେ ସରିନାହିଁ ପଡୋଶୀର ଧୋକାବାଜି । ବେନେ ଠାରେ ଆଉ ଏକ ଡ୍ୟାମ୍ କରି ବଳକା ପାଣିିକୁ ମଧ୍ୟ ଅଟକାଇ ଦେଇଛି । ଅନ୍ୟପଟେ ଓଡିଶା ବୋର୍ଡର ଛତିଶଗଡର ସମଡମା ଠାରେ ଆଉ ଏକ ଆନିକଟ କରିବା ପାଇଁ ଟେଣ୍ଡର ପ୍ରକ୍ରିୟାକୁ ମଧ୍ୟ ଶେଷ କରିଛି ଛତିଶଗଡ । ଆଉ ପଡୋଶୀର ଏହି କାର୍ଯ୍ୟକଳାପର ଯନ୍ତ୍ରଣା ଭୋଗୁଛି ଓଡିଶାର ସୁନ୍ଦରଗଡ ଜିଲ୍ଲା ।

ବର୍ଷା ଦିନରେ ଇବ୍ ନଦୀରେ ଯାହା ପାଣି ଆସେ ତାହାକୁ ହିଁ ସୁନ୍ଦରଗଡବାସୀ ବର୍ଷ ସାରା ପିଇବା ସହ ଚାଷ ପାଇଁ ବ୍ୟବହାର କରିଥାନ୍ତି । ଜିଲ୍ଲାର ୩ ଟି ବ୍ଲକର ୧୨୦ରୁ ଅଧିକ ଗାଁ ଓ ସୁନ୍ଦରଗଡ ସହର ବାସୀଙ୍କ ଲାଇଫ୍ ଲାଇନ୍ ଇବ୍ ନଦୀ । ହେଲେ ଗୋଟିଏ ପଟେ ପଡୋଶୀ ରାଜ୍ୟର ଛଳନା ସାଙ୍ଗକୁ ଅନ୍ୟ ପଟେ ରାଜ୍ୟ ସରାକାର ଓ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ଅଭାବ ଯୋଗୁଁ ଜଳଶୂନ୍ୟ ହୋଇ ପଡିଛି ସୁନ୍ଦରଗଡ । ଜାନୁୟାରୀ ମାସରୁ ଜଳ ପ୍ରବାହ ବନ୍ଦ ହୋଇଯାଇଥିବା ବେଳେ ଏବେ ସୁନ୍ଦରଗଡରେ ପିଇବା ପାଇଁ ଘୋର ସଂକଟ ଦେଖାଦେଇଛି । ସୁନ୍ଦରଗଡବାସୀଙ୍କୁ ପିଇବା ପାଇଁ ପାଣି ଯୋଗାଇବା ଜନସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଇବ୍ ନଦୀରେ ଗୋଟିଏ ଗାତ ଖୋଳି କିଛି ପାଣିକୁ ଅଟକାଯାଇଛି । ସେଥିରେ ଲୋକମାନେ ଗାଧୁଆ ପାଧୁଆ କରିବା ସହ ସେହି ଠାରୁ ହିଁ ପାଣି ନେଇ ସହରରେ ପିଇବା ପାଣି ଯୋଗାଉଛି ପ୍ରଶାନସନ । ତାହା ବି ୩ରୁ ୪ ଦିନକୁ ଥରେ । ଆଉ ଏଭଳି ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ସ୍ଥିତିର ସମୀକ୍ଷା କରିବା ପରେ ଖୁବଶୀଘ୍ର ସହରବାସୀଙ୍କୁ ଜଳ ନ ମିଳିଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।

ତେବେ ପ୍ରଶ୍ନ ଉଠୁଛି
୧. ସୁନ୍ଦରଗଡ ବାସୀଙ୍କ ଏଭଳି ସଙ୍ଗୀନ ଯନ୍ତ୍ରଣା ବିଷୟରେ ଅବଗତ ଅଛନ୍ତି କି ରାଜ୍ୟ ସରକାର?
୨. ଯଦି ଅଛନ୍ତି ତେବେ ଇବ୍ ଉପରେ ବ୍ୟାରେଜ୍, ଡ୍ୟାମ ଓ ଆନିକଟ କରିବା ପାଇଁ ବାରମ୍ବାର ସର୍ଭେ କରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉ ଥିଲେ ବି ଆଜି ଯାଏଁ ହୋଇପାରିନାହିଁ କାହିଁକି?
୩. ପଡୋଶୀ ଛତିଶଗଡ ଇବ୍ ନଦୀର ପାଣିକୁ ଅଟକାଇବା ପ୍ରସଙ୍ଗରେ ଅବଗତ ଅଛନ୍ତି କି ରାଜ୍ୟ ସରାକାର ?
୪. ଯଦି ଅଛନ୍ତି ତେବେ କ’ଣ ରହିବ ରାଜ୍ୟର ପଦକ୍ଷେପ?

ଏମତି ଅନେକ ପ୍ରଶ୍ନ ସୁନ୍ଦରଗଡ ବାସୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ସୁନ୍ଦରଗଡ ଜିଲ୍ଲପାଳ ରଶ୍ମିତା ପଣ୍ଡା କହିଛନ୍ତି ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ । ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ବ୍ୟବସ୍ଥା କରାଯାଉଛି, ମୌସୁମୀ ଆସିଲା ପରେ ସ୍ଥିତି ସ୍ୱଭାବିକ ହେବ ।