ଆଜିଠୁ ରାଜଧାନୀରେ ଇଆଟୋ ସମ୍ମିଳନୀ : ଓଡ଼ିଶା ପର୍ଯ୍ୟଟନକୁ ମିଳିବ ବିସ୍ତୃତ ବଜାର

57

କନକ ବ୍ୟୁରୋ : ନୂଆ ପର୍ଯ୍ୟଟନସ୍ଥଳୀ ପରିଚିତି ପାଇବ । ଐତିହ୍ୟ ପର୍ଯ୍ୟଟନ ସାଙ୍ଗକୁ ବେଳାଭୂମି, ପରିବେଶ ପର୍ଯ୍ୟଟନସ୍ଥଳୀ, ଆଦିବାସୀ ପର୍ଯ୍ୟଟନସ୍ଥଳୀ ଓ ନୂଆ ବୌଦ୍ଧ ପର୍ଯ୍ୟଟନସ୍ଥଳୀରେ ବି ପର୍ଯ୍ୟଟକଙ୍କ ସମାଗମ ହେବ । ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବ। ଏଇ ଆକାଂକ୍ଷାକୁ ସାକାର କରିବ ଓଡ଼ିଶାରେ ୭ରୁ ୧୦ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ‘ଇଣ୍ଡିଆନ ଆସୋସିଏସନ୍‌ ଅଫ୍‌ ଟୁର୍‌ ଅପରେଟର୍ସ (ଇଆଟୋ) ସମ୍ମିଳନୀ’। ଦୀର୍ଘ ୯ ବର୍ଷ ପରେ ଓଡ଼ିଶା ପୁଣି ଏପରି ଏକ ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇଛି । ତେଣୁ ଓଡ଼ିଶା ପର୍ଯ୍ୟଟନକୁ ନେଇ ଆଶା ଜାଗିଛି ।

ରାଜ୍ୟ ପର୍ଯ୍ୟଟନ ବିଭାଗର ସହଯୋଗରେ ମେ ଫେୟାରରେ ଆୟୋଜିତ ହେବାକୁ ଯାଉଥିବା ୩୩ତମ ଇଆଟୋ ସମ୍ମିଳନୀର ଏଥର ଥିମ୍‌ ରହିଛି ‘ଭାରତ ପର୍ଯ୍ୟଟନ: ନୂଆ ଢଙ୍ଗରେ ଉପସ୍ଥାପନ କରିବାର ସମୟ’। ଏଥିରେ ୧ହଜାର ଟୁର୍‌ ଅପରେଟର୍ସ, ଟ୍ରାଭେଲ୍‌ ଲେଖକ, ହୋଟେଲ ଶିଳ୍ପ ସହ ଜଡ଼ିତ ବ୍ୟବସାୟୀ, ପର୍ଯ୍ୟଟକ ଅଂଶଗ୍ରହଣ କରିବେ। ଏହା ମଧ୍ୟରେ ୩୦୦ ହୋଟେଲ୍‌ ବ୍ୟବସାୟୀ ରହିଥିବାବେଳେ ଟୁରିଷ୍ଟ୍‍ ଗାଇଡ୍‌ମାନେ ବି ଭାଗ ନେବେ । ଏ ସମସ୍ତ ଅଂଶଗ୍ରହଣକାରୀଙ୍କୁ ରାଜ୍ୟର ଐତିହ୍ୟ ପର୍ଯ୍ୟଟନସ୍ଥଳୀ ସମେତ ନୂଆ ପର୍ଯ୍ୟଟନସ୍ଥଳୀ, ବେଳାଭୂମି, ଜୈବ ବିବିଧ ପର୍ଯ୍ୟଟନସ୍ଥଳୀ, ବୌଦ୍ଧ ପର୍ଯ୍ୟଟନସ୍ଥଳୀ ଆଦି ବୁଲାଇ ନିଆଯିବ ।

ଦେଶର ୬୦ ପ୍ରତିଶତ ପର୍ଯ୍ୟଟକ ବୁଲାବୁଲି କରିବା ପାଇଁ ଟୁର୍‌ ଅପରେଟରଙ୍କ ସହଯୋଗ ନିଅନ୍ତି । ତେଣୁ ରାଜ୍ୟର ପର୍ଯ୍ୟଟନକୁ ସୁଦୃଢ଼ କରିବାରେ ଏହା ବେଶ୍‌ ସହାୟକ ହେବ ବୋଲି କହିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା । ସଂପ୍ରତି ରାଜ୍ୟକୁ ପର୍ଯ୍ୟଟକ ଆଗମନ ହାର ୯ ପ୍ରତିଶତ ବୃଦ୍ଧି ପାଇଛି । ଯାହା କି ବିଶ୍ୱର ପର୍ଯ୍ୟଟନ ଆଗମନ ହାର ୪ ପ୍ରତିଶତଠାରୁ ଅଧିକ । ତେଣୁ ଏହି ଇଆଟୋ ସମ୍ମିଳନୀ ଓଡ଼ିଶା ପାଇଁ ଆହୁରି ସୁଯୋଗ ଆଣିବ ବୋଲି ପର୍ଯ୍ୟଟନ ନିର୍ଦେଶକ ନିତିନ ଭାନୁଦାସ ଜଓ୍ଵାଲେ କହିଛନ୍ତି । ଏଥର ୫୦ ପ୍ରତିଶତ ଆଲୋଚନା ଉପସ୍ଥିତ ଅଂଶଗ୍ରହଶକାରୀଙ୍କ ସହ କରାଯାଇ ଏହାକୁ ଗୁରୁତ୍ୱ ଦିଆଯିବ।

ଇଆଟୋର ସଭାପତି ପ୍ରଣବ ସରକାରଙ୍କ କହିବା ମୁତାବକ କନ୍ଧମାଳରେ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ ପରେ ଆଦିବାସୀ ପର୍ଯ୍ୟଟନସ୍ଥଳୀରେ ଯେଉଁ କଟକଣା ଲାଗିଥିଲା ତାହା କୋହଳ ହୋଇଛି। ଖାଲି ସେତିକି ନୁହେଁ, ନୂଆନୂଆ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଉଛି। ୫୦ ଇକୋ ଟୁରିଜ୍‌ମ ସ୍ଥାନଗୁଡ଼ିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହା ନିଶ୍ଚିତ ଭାବେ ପର୍ୟ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ସହାୟକ ହେବ ବୋଲି ସେ କହିଥିଲେ । ଇଆଟୋ ସମ୍ମିଳନୀର ଅଧ୍ୟକ୍ଷ ରାଜୀବ ମେହେର କହିଲେ, ଏହା ଜରିଆରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ବିସ୍ତତ ବଜାର ମିଳିପାରିବ । ଇଆଟୋ ଓ ଏହାର ସଭ୍ୟଙ୍କ ଜରିଆରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ପର୍ୟ୍ୟଟନ ଚିତ୍ର ବି ସୁଦୂରପ୍ରସାରୀ ହେବ ।

ଟ୍ରାଭେଲ୍‌ ଲେଖକମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବାକୁ ଥିବାରୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଏହା ନୂଆ ଆଲୋକ ପ୍ରଦାନ କରିବ ବୋଲି ସମ୍ମିଳନୀର ଉପାଧ୍ୟକ୍ଷ ଲଲ୍ଲି ମ୍ୟାଥ୍ୟୁସ୍‌ କହିଛନ୍ତି । ଇଆଟୋ ପୂର୍ବାଞ୍ଚଳ ସଭାପତି ତଥା ବିଶିଷ୍ଟ ହୋଟେଲ୍‌ ବ୍ୟବସାୟୀ ଜେକେ ମହାନ୍ତିଙ୍କ କହିବା ମୁତାବକ ଯେଉଁଠି ଇଆଟୋ ସମ୍ମିଳନୀ ହୋଇଛି ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ପରବର୍ତୀ ସମୟରେ ଦ୍ୱିଗୁଣିତ ହୋଇଛି । ତେଣୁ ଏହାର ସୁଫଳ ଆମେ ନିକଟ ଭବିଷ୍ୟତରେ ପାଇପାରିବା । ଆଜି ଏନେଇ ଅନୁଷ୍ଠିତ ଏକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ରାଜୀବ କୋହ୍‌ଲି ଓ ଗଗନ ସାରଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।