ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ ! ୬୦ ତମ ସ୍ଥାନରେ ଓଡିଶାର ଅନ୍ୟା ଦାସ୍, ୧୧୮ ର‌୍ୟାଙ୍କରେ ସୌମ୍ୟରଂଜନ ରାଉତ ଓ ୧୧୯ରେ ଉପାସନା ମହାପାତ୍ର

398

କନକ ବ୍ୟୁରୋ : ପ୍ରକାଶ ପାଇଛି ଭାରତୀୟ ପ୍ରଶାସନିକ ସେବା ୨୦୧୮ ର ପରୀକ୍ଷା ଫଳ । ଏଥର ଟପ୍ପର ହୋଇଛନ୍ତି କନିଷ୍କ କଟାରିଆ । ସେହିପରି ମହିଳା ଟପ୍ପର ହୋଇଛନ୍ତି ସୃଷ୍ଟି ଜୟନ୍ତ ଦେଶମୁଖ । ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍କ କଟାରିଆ ଆଇଆଇଟି ମୁମ୍ବାଇରୁ କମ୍ପ୍ୟୁଟର ସାଇନ୍ସସରେ ଇଞ୍ଜିନିୟରିଂ ଶେଷ କରି ସାରିଛନ୍ତି । ତେବେ ଗଣିତ ବିଷୟ ନେଇ ସେ ଆଇଏଏସ ପରୀକ୍ଷା ଦେଇଥିଲେ । ସେହିପରି ମହିଳାମାନଙ୍କ ମଧ୍ୟରେ ଟପ୍ପର ହୋଇଥିବା ସୃଷ୍ଟି ଜୟନ୍ତ ଦେଶମୁଖ ପୁରା ତାଲିକାରେ ରହିଛନ୍ତି ପଂଚମ ସ୍ଥାନରେ । ଭୋପାଳର ରାଜୀବ ଗାନ୍ଧି ବୈଷୟିକ ବିଦ୍ୟାଳୟରୁ ସେ କେମିକାଲ ଇଞ୍ଜିନିୟରିଂ କରିସାରିଛନ୍ତି ।

ତାଲିକାର ୬୦ତମ ସ୍ଥାନରେ ରହିଛନ୍ତି ଓଡିଶାର ଅନ୍ୟା ଦାସ । ଜଗତସିଂହପୁରର ସାହିତ୍ୟିକ ଇନ୍ଦୁ ଭୂଷଣ ଦାସଙ୍କ ଝିଅ ଅନ୍ୟା ଦାସ୍ । ସେହିପରି ୧୧୮ ତମ ସ୍ଥାନରେ ସୌମ୍ୟରଂଜନ ରାଉତ, ୧୧୯ ତମ ସ୍ଥାନରେ ଅଛନ୍ତି ଉପାସନା ମହାପାତ୍ର । ୨୦୧୮ ସେପ୍ଟେମ୍ବର-ଅକ୍ଟୋବରରେ ଏହି ପରୀକ୍ଷା ହୋଇଥିଲା । ଏହାପରେ ୨୦୧୯ ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ପର୍ସନାଲିଟି ଟେଷ୍ଟ ଏବଂ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା । ୨୦୧୮ରେ ସର୍ବଭାରତୀୟ ପରୀକ୍ଷାରେ ସାରାଦେଶରୁ ୭୫୯ ଜଣ ଉତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୫୭୭ ଜଣ ପୁରୁଷ ଏବଂ ୧୮୨ ଜଣ ମହିଳା । ପ୍ରଥମ ୨୫ ଜଣଙ୍କ ମଧ୍ୟରେ ୧୫ ଜଣ ପୁଅ ଓ ୧୦ ଜଣ ଝିଅ ରହିଥିବା ଜଣାପଡିଛି ।