‘କଲେକ୍ଟର’ଙ୍କ ମୁହଁରେ କିଡନାପ୍ କାହାଣୀ ! ୭ବର୍ଷ ପରେ ଅପହରଣ ଘଟଣାରୁ ପରଦା ହଟାଇଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ

45

କନକ ବ୍ୟୁରୋ : ୭ବର୍ଷ ତଳର ରହସ୍ୟ ଉପରୁ ଉଠିଲା ପରଦା । ନିଜ ମୁହଁରେ ଅପହରଣର କାହାଣୀ ବଖାଣିଲେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଭିନୀଲ କ୍ରିଷ୍ଣା । କେମିତି ଥିଲା ଅପହରଣର ସେଇ ୯ ଦିନ । ମାଓଗଡ଼ରେ କେମିତି ବିତିଥିଲା ରାତି । ଆଜି କନକ ନ୍ୟୁଜ୍ କନକ୍ଲେଭରେ ପ୍ରଥମ ଥର ପାଇଁ ପୁରା କାହାଣୀ କହିଛନ୍ତି ଭିନୀଲ କ୍ରିଷ୍ଣା । ଯାହା ପୁଣି ଥରେ ୭ ବର୍ଷ ତଳର ଘଟଣାକୁ ତାଜା କରିଦେଇଛି ।

ଅପହରଣ ଘଟଣାରେ ଜବନିକା ପଡ଼ି ସରିଥାଏ । ଦୀର୍ଘ ୯ ଦିନର ଆଶା-ଆଶଙ୍କା ଭିତରେ ମାଓଗଡ଼ର ମୁକ୍ତି ପାଇ ଫେରୁଥାନ୍ତି ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଭିନୀଲ କ୍ରିଷ୍ଣା । ଖଟିଆରେ ଜିଲ୍ଲାପାଳଙ୍କୁ ବୋହି ଆଣିବାର ଦୃଶ୍ୟ ହିଁ ବୟାନ୍ କରୁଥାଏ ଲୋକଙ୍କ ଭିତରେ ଥିବା ଉତ୍ସାହର ଚିତ୍ର । ଫେବୃୟାରୀ ୧୬ରୁ ଫେବୃୟାରୀ ୨୪, ୯ ଦିନପରେ ମିଳିଥାଏ ମୁକ୍ତି ।ଦୀର୍ଘ ୭ବର୍ଷ ପରେ ଅପହରଣର ଅନୂଭୁତି ବଖାଣିଛନ୍ତି, ତତ୍କାଳୀନ ମାଲକାନଗିର ଜିଲ୍ଲାପାଳ । ସେସମୟରେ କେମିତି ଥିଲା ସେଇ ମୁହୂର୍ତ୍ତ । କ’ଣ ଥିଲା ଅପହରଣର କାହାଣୀ ?

ସେ କହିଛନ୍ତି ମାଓଗଡ଼ରେ ଥିବାବେଳେ କେମିତି ମୁକ୍ତ ପାଇବି ସେକଥା ଚିନ୍ତା କରୁଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା ସେମାନେ ତାଙ୍କୁ କିଛି ନକରି ଅକ୍ଷତ ଅବସ୍ଥାରେ ଛାଡ଼ି ଦେଇଥିବାରୁ ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ମଧ୍ୟ । ମାଓଙ୍କ କବଳରେ ଥିବାବେଳେ ପରିବାର ଲୋକଙ୍କ କଥା ଚିନ୍ତା କରୁଥିଲେ ବୋଲି ପ୍ରକାଶ କରିଛନ୍ତି । ମାଓ କବଳରୁ ମୁକୁଳିବା ଥିଲା ସବୁଠୁ ବଡ ଚ୍ୟାଲେଂଜ ।

ଜୀବନ-ମୃତ୍ୟୁର ଏହି ଆଶା-ଆଶଙ୍କାର ଘଡିିରେ କିନ୍ତୁ ଭିନୀଲଙ୍କ ସମକ୍ଷରେ ସୃଷ୍ଟି ହୋଇଥିଲା ଜନମତ । କାହିଁକି ନା’ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ପାଖରେ ପହଂଚିଥିଲେ ଜିଲ୍ଲାପାଳ । କେବଳ ସ୍ଥାନୀୟ ବାସିନ୍ଦା କାହିଁକି ମାଓ କଂଗ୍ରେସକୁ ମଧ୍ୟ ଏହି ଘଟଣା ବିବ୍ରତ କରିଥିଲା । କାରଣ ଜିଲ୍ଲାପାଳଙ୍କ ଅପହରଣ ସେମାନଙ୍କ ପାଇଁ ଏକ ବିଫଳତା ହୋଇ ସାମ୍ନାକୁ ଆସିଥିଲା । ଆଉ ଯେତେବେଳେ କନକ ନ୍ୟୁଜ୍ ଟିମ୍ ତାଙ୍କୁ ପଚାରିଥିଲା ଏହି ଘଟଣା ତାଙ୍କୁ କେଉଁ ଶିକ୍ଷା ଦେଇଥିଲା । ହାଲୁକା ଅନ୍ଦାଜରେ ରଖିଥିଲେ ଜୀବନର ଏକ ମହତ୍ୱପୂର୍ଣ୍ଣ ଦିଗ ।

ମୃତ୍ୟୁର ମୁହଁରୁ ବଂଚି ଆସିବା ପରେ ଆଇଏଏସ୍ ଭିନୀଲ କ୍ରିଷ୍ଣା, ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶଙ୍କ ସଚିବ ହୋଇ ଦିଲ୍ଲୀ ଚାଲିଗଲେ । ଆଉ ନକ୍ସଲଙ୍କ ସହ ଜଙ୍ଗଲ ଭିତରର ସେହି କାହାଣୀ ସେମିତି ରହସ୍ୟମୟ ହୋଇ ରହିଥିଲା । ୭ବର୍ଷ ପରେ କନକ ନ୍ୟୁଜ୍ କନକ୍ଲେଭରେ ନିଜର ଅନଭୂତି କହିଥିଲେ ଭିନୀଲ କ୍ରିଷ୍ଣା ।