ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଉଦ୍ୟମ! ନିଲମ୍ବିତ ହେଲେ ଆଇଏଏସ ଅଫିସର, ଜାଣନ୍ତୁ ଏହା ପଛର କାରଣ?

5,088

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଉଦ୍ୟମ କରି ନିଲମ୍ବନ ହେଲେ ଆଇଏଏସ ଅଫିସର । ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କର୍ଣ୍ଣାଟକ କ୍ୟାଡର ଆଇଏଏସ ଅଧିôକାରୀ ମହମ୍ମଦ ମହସିନଙ୍କୁ ନିଲମ୍ବନ କରାଯାଇଛି । ଏସପିଜି ସୁରକ୍ଷା ବଳୟରେ ଥିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେଉଁ ବ୍ୟବସ୍ଥା ରହିଛି, ତାକୁ ଉଲଂଘନ କରାଯାଇଥିବା ଅଭିଯୋଗରେ ମହମ୍ମଦ ମହସିନଙ୍କୁ ନିଲମ୍ବନ କରାଯାଇଛି । ଗତକାଲି ମୋଦୀଙ୍କ ସମ୍ବଲପୁର ଗସ୍ତ ବେଳେ ନିର୍ବାଚନ କମିସନଙ୍କ ଯେଉଁ ଗାଇଡଲାଇନ୍ ରହିଛି, ତାକୁ ପାଳନ କରା ଯାଇନଥିବା ଅଭିଯୋଗ ହୋଇଛି । ଏ ନେଇ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ରିପୋର୍ଟ କରିଥିଲେ । ଏବଂ ସମ୍ବଲପୁର ଜିଲ୍ଲା ନିର୍ବାଚନ ଅଧିକାରୀ, ସମ୍ବଲପୁର ଡିଆଇଜି ମଧ୍ୟ ଏ ନେଇ ରିପୋର୍ଟ କରିଥିଲେ ।

ଏହା ପରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ଯାଂଚ ପାଇଁ ସମ୍ବଲପୁରରେ ପହଁଚିଥିଲେ ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ଅଧିକାରୀ । ତଦନ୍ତ ପରେ ଜେନେରାଲ ଅବଜରଭର ମହମ୍ମଦ ମହସିନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି । ମହମ୍ମଦ ମହସିନ ୧୯୯୬ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡର ଆଇଏଏସ ଅଫିସର ।

ଗତକାଲି ସମ୍ବଲପୁରର ରେମେଡ୍ ଛକ ନିକଟରେ ପ୍ରାୟ ଦିନ ୧୧ଟାରେ ଅବତରଣ କରିଥିଲା ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର । ଏହା ପରେ ସିଧା ସମାବେଶରେ ଯୋଗ ଦେଇଥିଲେ ମୋଦୀ । ଚର୍ଚ୍ଚା ହେଉଛି, ସଭା ସାରି ଫେରିବା ପରେ ହେଲିକପ୍ଟର ଯାଂଚ ପାଇଁ ପହଁଚିଥିଲେ ଫ୍ଲାଇଂ ସ୍କ୍ୱାର୍ଡର ଟିମ୍ । ହେଲିକପ୍ଟର ଯାଂଚ ଯୋଗୁଁ କ୍ଷୁବ୍ଧ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଆଉ ଏଥିପାଇଁ ନିର୍ବାଚନ କମିସନ ତନାଘନା କରିବା ସହ ଘଟଣାର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରାଥମିକ ତଦନ୍ତ ପରେ ନିର୍ବାଚନ କମିସନଙ୍କ ଗାଇଡଲାଇନ୍ ଉଲଂଘନ ହୋଇଥିବା ଜଣାପଡିଥିଲା । ଜେନେରାଲ ଅବଜରଭର ମହମ୍ମଦ ମହସିନ୍ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ କମିସନ୍ ।