ବାପା ଆଇଏଏସ ଅଫିସର କିନ୍ତୁ ଝିଅ କରୁଛି ଚାଷ! ଜାଣନ୍ତୁ କାହିଁକି

77

ସମୟ ବଦଳିଛି, ଆଉ ବଦଳିଛି ଯୁବଗୋଷ୍ଠୀଙ୍କ ମାନସିକତା । ଆଉ ଚାକିରି ପଛରେ ନ ଧାଇଁ ଚାକିରି ଦେବାକୁ ଅଧିକ ପସନ୍ଦ କରୁଛନ୍ତି ଆଜି କାଲିର ଯୁବଗୋଷ୍ଠୀ । ଆଉ ଏଥିପାଇଁ ବଡ଼ ବଡ଼ କମ୍ପାନିରେ ଚାକିରୀ ଛାଡ଼ି ନିଜ ନିଜର ବ୍ୟବସାୟ ଆରମ୍ଭ କରୁଛନ୍ତି । ଯେଉଁଠି ଚାଷ କାମ କରିବାକୁ ଗାଁ ଗହଳିର ଯୁବକ ମାନେ ନାକ ଟେକୁଛନ୍ତି । ସେଭଳି ସ୍ଥଳେ ଶିକ୍ଷିତ ଯୁବକ ଯୁବତୀ ମାନେ ଚାଷ କ୍ଷେତକୁ ନିଜର ନୂଆ କର୍ମଭୂମି ଭାବେ ବାଛି ନେଉଛନ୍ତି । ଏପରିକି ଶିକ୍ଷିତ ଯୁବତୀ ମାନେ ମଧ୍ୟ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଯାହା ଏବେ ଭାରତରେ ଚାଷକୁ ଏକ ନୂଆ ଦିଶା ଦେଖାଇଛି । ଆଉ ସେହିଭଳି ଜଣେ ସଫଳ ମହିଳା ଚାଷୀ ହେଉଛନ୍ତି ବୈର୍ଷ୍ଣବି ସିହ୍ନା ।

ଉତ୍ତର ପ୍ରଦେଶର ବୈର୍ଷ୍ଣବି ସିହ୍ନା । ଜଣେ ପ୍ରଫେସନାଲ ଗଲ୍ଫ ପ୍ଲେୟାର ଭାବେ ପୂରା ଭାରତରେ ଜଣାଶୁଣା । ଆମେରିକାରେ ରହୁଥିବା ସମୟରେ ବୈଷ୍ଣବୀଙ୍କ ପରିଚୟ ଗଲ୍ଫ ଖେଳାଳି ଥିଲା । କିନ୍ତୁ ଭାରତରେ ପାଦ ଦେବା ପରେ ବୈର୍ଷ୍ଣବୀଙ୍କ ପରିଚୟ ବଦଳିଯାଇଛି । ଭାରତରେ ବୈଷ୍ଣବୀଙ୍କୁ ଗଲ୍ଫ ଖେଳାଳୀ ନୁହେଁ ବରଂ ଜଣେ ସଫଳ ଚାଷୀ ଭାବେ ଏବେ ପୂରା ଦେଶ ଜାଣୁଛି । ୨୮ ବର୍ଷିୟା ବୈଷ୍ଣବୀ ୧୯୯୦ରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ବାପା ଆଇଏଏସ ଅଫିସର ହୋଇଥିବାରୁ ବୈର୍ଷ୍ଣବୀଙ୍କ ପିଲାଦିନ ବେଶ ଆରାମରେ କଟିଥିଲା ।

ଯୁକ୍ତ ଦୁଇ ପାଠପଢ଼ା ଶେଷ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ଚିକାଗୋ ଚାଲି ଯାଇଥିଲେ ବୈଷ୍ଣବୀ । ୫ ବର୍ଷ ପାଠ ପଢ଼ା ମଧ୍ୟରେ ଗଲ୍ଫ ଖେଳିବା ଆରମ୍ଭ କରିଥିଲେ ବୈଷ୍ଣବୀ । ଗଲ୍ଫ କୋର୍ଟରେ କଠିନ ପରିଶ୍ରମ କରିବା ପରେ ୨୦୧୩ରେ ପ୍ରଫେସନାଲ ଗଲ୍ଫ ଖେଳାଳି ଭାବେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଥିଲେ ବୈଷ୍ଣବୀ । ତେବେ ୨୦୧୫ରେ ଭାରତକୁ ଆସିବା ପରେ ବୈଷ୍ଣବୀଙ୍କ ଜୀବନରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା । ସାନ ଭଉଣୀ ସହ ମିଶି କିଛି ଦିନ ଇ-କମର୍ସ ବ୍ୟବସାୟରେ କାମ କରିବା ଆରମ୍ଭ କରିଥିଲେ । ହେଲେ ବନ୍ଦ କୋଠରୀରେ ବସି କାମ କରିବାକୁ ଆଦୌ ଚାହୁଁନଥିଲେ ବୈଷ୍ଣବୀ । କିଛି ନୂଆ କରିବାକୁ ଦେଖାଇବାକୁ ବୈଷ୍ଣବୀଙ୍କର ଇଚ୍ଛା ଥିଲା ।

ଆଉ ବୈଷ୍ଣବୀଙ୍କର ଏହି ଇଚ୍ଚାକୁ ପୂରଣ କରିବାକୁ ଆଗେଇ ଆସିଥିଲେ ଆଇଏଏସ ବାପା । ବୈଷ୍ଣବୀଙ୍କ କହିବା ଅନୁଯାୟୀ, ବାପାଙ୍କ ସାଙ୍ଗକ ୪୦ ଏକର ଜମିରେ ଚାଷ କରିବାକୁ ଆଇଡ଼ିଆ ଦେଇଥିଲେ ତାଙ୍କ ବାପା । ଆଉ ଏଇଠୁ ଆରମ୍ଭ ହୋଇଥିଲା ବୈଷ୍ଣବୀଙ୍କ ନୂଆ ଯାତ୍ରା । ଗୋଟିଏ ବର୍ଷ ଜିରୋ ବଜେଟ ଚାଷ ଉପରେ ପ୍ରଶିକ୍ଷଣ ନେବା ପରେ ଆରମ୍ଭ କରିଥିଲେ ଚାଷ କାମ । ଯେହେତୁ ବାପାଙ୍କୁ ଦେଶୀ ଗାଈ ବହୁତ ପସନ୍ଦ ଥିଲା ତେଣୁ ଗାଈ ଫାର୍ମ କରି ବ୍ୟବସାୟ ଆରମ୍ଭ କରିବାକୁ କହିଥିଲେ । ୨୦୧୭ ମସିହାରେ ମାତ୍ର ୧୦ଟି ଗାଈ କିଣି ଫାର୍ମ ଆରମ୍ଭ କରିଥିଲେ ବୈର୍ଷ୍ଣବୀ । ଯାହା ଏବେ ୨୧ରେ ପହଞ୍ଚିଛି । ପ୍ରତି ଗାଈ ଦିନକୁ ୫୦ରୁ ୬୦ ଲିଟର କ୍ଷୀର ଦେଉଛନ୍ତି ।

ଗୋ-ପାଳନ ସହ ଜିରୋ ବଜେଟ ଚାଷ କାମ ମଧ୍ୟ କରୁଛନ୍ତି ବୈର୍ଷ୍ଣବୀ । ଏବେ ଗାଈ ଗୋବରରୁ ଜୈବିକ ସାର ପ୍ରସ୍ତୁତ କରି ପ୍ରାକୃତିକ ଉପାୟରେ ଚାଷ କାମ କରୁଛନ୍ତି ବୈର୍ଷ୍ଣବୀ । ୨୦୧୮ରେ ଗାଈ ସଂଖ୍ୟା ୧୨୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୧ କୋଟି ୪୦ ଲକ୍ଷ୍ୟ ଟଙ୍କାର ବ୍ୟବସାୟ କରିବାକୁ ଟାର୍ଗେଟ ରଖାଯାଇଛି । ବୈର୍ଷ୍ଣବୀଙ୍କ କହିବା ଅନୁଯାୟୀ, ଆଗକୁ ମଧ୍ୟ ଜୈବିକ ଉପାୟରେ ଚାଷ କାର୍ଯ୍ୟକୁ ଆଗକୁ ବଢ଼ାଇବେ । ଏହି କାମରେ ମୋ ବାପା ମା’ ଖୁସି ଅଛନ୍ତି କିନ୍ତୁ ଜେଜେ ବାପା ଓ ଜେଜେ ମା’ ଆଦୌ ଖୁସି ନାହାନ୍ତି । ମୋର ଚାଷ କାର୍ଯ୍ୟ ଓ ଗୋ-ପାଳନ କାମ ତାଙ୍କୁ ଆଦୌ ପସନ୍ଦ ନୁହେଁ ବୋଲି ବୈର୍ଷ୍ଣବୀ କହିଛନ୍ତି । ଚାଷ କାମ ବୈଷ୍ଣବୀଙ୍କ ପାଇଁ ନୂଆ ହୋଇଥିଲେ ମଧ୍ୟ ହାର ନ ମାନି ଲକ୍ଷ୍ୟ ସ୍ଥଳରେ ଆଗେଇ ଚାଲିଛନ୍ତି । ସବୁଠୁ ବଡ଼ କଥା ହେଲା, ଏସି ରୁମରୁ ଚାଷ କ୍ଷେତକୁ ଓହ୍ଲାଇ ବୈଷ୍ଣବୀ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଖାସକରି ସେହି ଯୁବଗୋଷ୍ଠୀଙ୍କ ପାଇଁ ଯେଉଁମାନେ ଚାଷ କାମ କରିବାକୁ ନାକ ଟେକୁଛନ୍ତି ।