ଜିଲ୍ଲାପାଳ ହେବ ତ ଏମିତି । ହାତରେ ଧରିଲେ ଓଦା କପଡା, ସର୍ବ ସମ୍ମୁଖରେ କାନ୍ଥରୁ ପୋଛିଲେ ପାନଛେପ

70

ଯେତେବେଳେ ଜଣେ ଆଇଏଏସ ଅଫିସର ସର୍ବ ସମ୍ମୁଖରେ କାନ୍ଥରେ ପଡିଥିବା ପାନ ଛେପକୁ ସଫା କଲେ ସେତେବେଳେ ଏହା ଦେଖି ସମସ୍ତେ ଆଶ୍ଚଯ୍ୟ ହୋଇଯାଇଥିଲେ । ଏଭଳି ଏକ ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ଜିଲ୍ଲାପାଳ ଅସ୍ତିକ କୁମାର ପାଣ୍ଡେଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି ।ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି ।

ମଙ୍ଗଳବାର ମଧ୍ୟାହ୍ନ । ମହାରାଷ୍ଟ୍ରର ଅକୋଲା ଜିଲ୍ଲାର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ ଆସି ପହଞ୍ଚିଥିଲେ ଜିଲ୍ଲାପାଳ ଅସ୍ତିକ କୁମାର ପାଣ୍ଡେ । କିନ୍ତୁ ସେଠାରେ ପହଞ୍ଚିବା ପରେ ଯାହା ଦେଖିଲେ ତାହା ତାଙ୍କୁ ବାଧ୍ୟ କଲା ହାତରେ କପଡା ଧରି ସଫା କରିବା ପାଇଁ । କାରଣ ପୂର୍ତ୍ତ ବିଭାଗର କାର୍ଯ୍ୟାଳୟରେ ବୁଲୁଥିବା ବେଳେ ହଠାତ ତାଙ୍କ ନଜର କାନ୍ଥ ଉପରେ ପଡିଥିଲା । ପୂରା କାନ୍ଥ ପାନ ଛେପରେ ଭର୍ତ୍ତି ହୋଇ ଯାଇଥିଲା । ଆଉ ଏହା ଦେଖିବା ପରେ ନିଜ ସହଯୋଗୀଙ୍କୁ ବାଲଟି ଓ କପଡା ଆଣିବାକୁ କହିଥିଲେ ଜିଲ୍ଲାପାଳ ।

ବାଲଟି ଓ କପଡା ହାତକୁ ଆସିବା ପରେ ସଫେଇ କାମରେ ଲାଗି ଯାଇଥିଲେ ଜିଲ୍ଲାପାଳ । ଏପରିକିି ଏହି କାମ ପାଇଁ ଆଉ କାହାକୁ ମଧ୍ୟ ଡାକିନଥିଲେ ଜିଲ୍ଲାପାଳ । ଆଉ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟ ଦେଖି ଅନ୍ୟ ଅଫିସରଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ନଇଁ ଯାଇଥିଲା । ଅଧିକାରୀମାନେ ନିଜେ କାନ୍ଥକୁ ସଫା କରିବେ ବୋଲି କହିବା ପରେ ଜିଲ୍ଲାପାଳ ସଫା କରିବା ବନ୍ଦ କରିଥିଲେ । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଜିଲ୍ଲାପାଳ ଅନ୍ୟ ବିଭାଗ ବୁଲୁଥିବା ବେଳେ କାର୍ଯ୍ୟାଳୟ ପରିସରରେ ଗୋବର ପଡିଥିବାର ଦେଖି ଝାଡୁରେ ମଧ୍ୟ ସଫା କରିଥିଲେ । ଆଉ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।