କେରଳରେ ଉପୁଜିଥିବା ବନ୍ୟା ପରିସ୍ଥିତି ଏବେ ବିନାଶକାରୀ ରୂପ ନେବାରେ ଲାଗିଛି । ବର୍ଷା ଜନିତ ବନ୍ୟାରେ ଏଯାବତ୍ ୧୦୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ୧୦୦ବର୍ଷ ଇତିହାସରେ କେରଳରେ ଏପରି ଭୟାନକ ପରିସ୍ଥିତି ଉପୁଜି ନଥିବା ଜଣାପଡ଼ିଛି । ବନ୍ୟାରେ ପ୍ରଭାବିତ ହୋଇ ପାଖାପାଖି ୩୨୪ଜଣ ଲୋକ ମୃତ୍ୟୁବରଣ କରି ସାରିଥିବା ବେଳେ ଏହାର ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । ପାଣିପାଗ ବିଭାଗ ତରଫରୁ କେରଳର ୧୪ଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଉଥିବା ଦେଖାଯାଇଛି ।

ଏଭଳି ପରିସ୍ଥିତିରେ ଦୁଇ ଜଣ ଆଇଏଏସ୍ ଅଧିକାରୀଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଫଟୋରେ ଦୁଇ ଆଇଏଏସ୍ ଅଧିକାରୀ ଟ୍ରକରୁ ଚାଉଳ ବସ୍ତାକୁ କାନ୍ଧରେ ବୋହି ଆଣୁଥିବା ଦେଖା ଯାଇଛି । ଟ୍ରକରୁ ଚାଉଳ ବସ୍ତା ନେଇ ସେ ସହାୟତା କ୍ୟାମ୍ପରେ ପହଞ୍ଚାଉଥିବା ଦେଖାଯାଇଛି ।

ସୂଚନା ମୁତାବକ, ଗୁରୁବାର ରାତି ୯.୩୦ରେ ଏକ ଟ୍ରକ୍ ରିଲିଫ୍ ସାମଗ୍ରୀ ନେଇ ଜିଲ୍ଲା କାର୍ୟ୍ୟାଳୟରେ ପହଞ୍ଚିଥିଲା । କିନ୍ତୁ ରାତି ହୋଇ ଯାଇଥିବାରୁ ଅଫିସରେ କମ୍ ଲୋକ ଉପସ୍ଥିତ ରହିଥିଲେ । କର୍ମଚାରୀ କମ ଥିବା ଦେଖି ଦୁଇ ଆଇଏଏସ୍ ଅଧିକାରୀ ନିଜେ ଟ୍ରକରୁ ଚାଉଳ ଆଣି ଭିତରେ ରଖିଥିଲେ । ଯାହା ଦ୍ୱାରା ଶୀଘ୍ର ଲୋକମାନଙ୍କ ପାଖରେ ସାହାଯ୍ୟ ପହଞ୍ଚିପାରିବ । ଏହି ସମୟରେ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଦୁଇ ଆଇଏଏସ୍ ଅଧିକାରୀଙ୍କୁ ପ୍ରଶଂସା କରାଯାଇଥିବା ଦେଖା ଯାଇଛି ।