ବହୁ ଚର୍ଚ୍ଚିତ ଓଆରଏଚଡିସି ଦୁର୍ନୀତି ମାମଲା : ଏନବିଡବ୍ଲ୍ୟୁ ଜାରି ପରେ ଆତ୍ମସମର୍ପଣ କଲେ ଆଇଏଏସ ବିନୋଦ କୁମାର

27

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଓଆରଏଚଡିସି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଇଏସ୍ ବିନୋଦ କୁମାର ଆତ୍ମସମର୍ପଣ କରିଛନ୍ତି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବିନୋଦ କୁମାର । ପୂର୍ବରୁ କୋର୍ଟ ବିନୋଦଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ବିନୋଦଙ୍କ ନାଁରେ ୨୧ଟି ମାମଲା ରହିଛି । ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍ ଡେଭେଲୋପମେଂଟ କର୍ପୋରେସନ୍ ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ ପରେ ବରିଷ୍ଠ ଆଇଏଏସ ଅଫିସର ବିନୋଦ କୁମାରଙ୍କ ନାଁରେ ଜାରି ହୋଇଥିଲା ନନ୍ ବେଲେବୁଲ୍ ୱାରେଂଟ । ଏହାସହ ତାଙ୍କୁ ଗିରଫ କରିବାକୁ କମିସନରେଟ୍ ପୋଲିସ ଓ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ମିଳିଥିବା ସୂଚନା ଅନୁଯାୟୀ, ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର (ଆଇଏଏସ) ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ , ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଓ ଚିତ୍ତରଞ୍ଜନ ମଲ୍ଲିକଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ପରେ ଏ ନେଇ ଆଇଏଏସ ବିନୋଦ କୁମାର ହାଇକୋର୍ଟର ଦ୍ୱାରସ୍ଥ ହୋଇ ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପ ପରୱାନାକୁ ଉଠାଇଦେବାକୁ ନିବେଦନ କରିଥିଲେ। ହାଇକୋର୍ଟ ୨ଟି ପର୍ଯ୍ୟାୟରେ ଅଗଷ୍ଟ ୧୦ ତାରିଖ ଯାଏ ବିନୋଦ କୁମାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଥିଲେ। ଆଜି ହାଇକୋର୍ଟଙ୍କ ଠାରୁ ମିଳିଥିବା ସୁରକ୍ଷା ଅବଧି ଶେଷ ହେବା ପରେ ଆଇଏଏସ ବିନୋଦ କୁମାର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।