ଆଇଏଏସଙ୍କ ଦବଙ୍ଗଗିରି ! ବିଦ୍ୟୁତ କାଟ ପାଇଁ ଥାନାରେ ଅଟକ ରହିଲେ ୱେସ୍କୋ ଅଧିକାରୀ, ଜିଲ୍ଲାପାଳଙ୍କୁ ଭେଟିଲେ ସଂଘ କର୍ମକର୍ତ୍ତା

42

କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ହରଡଘଣାରେ ୱେସ୍କୋ ଅଧିକାରୀ । ଆଉ ଏଥିରେ ଜଣେ ଆଇଏଏସଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଣାଇ ଉପଜିଲ୍ଲାପାଳ ଆଇଏଏସ୍ ସ୍ୱଧା ଦେବଙ୍କ ଏତଲାରେ ବନ୍ଧା ହେଲେ ୱେସ୍କୋର ଏସଡିଓ , ଜେଇ ଏବଂ ଜଣେ କର୍ମଚାରୀ । ଆଜି ଏହାର ପ୍ରତିବାଦ କରି ୱେସ୍କୋ ସର୍ଭିସ୍ ଇଂଜିନିୟର୍ସ ଆସୋସିଏସନର ଏକ ପ୍ରତିନିଧି ଦଳ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଭେଟି ଘଟଣାକୁ ନିନ୍ଦା କରିଛନ୍ତି ।

ଅଭିଯୋଗ ଅନୁସାରେ , ଘଟଣା ହେଉଛି ବଣାଇର ଗତ ୧୩ ତାରିଖ ସନ୍ଧ୍ୟାର । ଜୋରରେ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ବିଦ୍ୟୁତ୍ କଟିଯାଇଥିଲା । ସେଦିନ ରାତି ତମାମ ଅନେକ ଚେଷ୍ଟା ପରେ ବି ବିଦ୍ୟୁତ ସରବରାହରେ ଠିକ୍ ହୋଇପାରିନଥିଲା । ବଣାଇକୁ ଯାଇତିବା ଦୁଇଟି ଫିଡର ମଧ୍ୟରୁ ରାଉଲକେଲା ପଟରୁ ଯାଇଥିବା ୫୦ କିଲୋମିଟର ଫିଡରର ବ୍ରାହ୍ମଣୀ ନଦୀରେ ୮୦୦ ମିଟର ଯାଇଥିବା ତାର ଛିଣ୍ଡିଯିବା ସହ ବାରକୋଟ ପଟରୁ ଆସିଥିବା ଫିଡରେ ବହୁ ସ୍ଥାନରେ ଫଲଟ ହୋଇଥିିଲା । ରାଉରକେଲା ପଟରୁ ଆସିଥିବା ଫିଡରକୁ ଆଉ ଦିନ ଓପିଟିସିଏଲ୍ ର ଠିକାଦାରଙ୍କ ସହ ଯୋଗରେ ଠିକ୍ କରାଯିବା ସହିତ ବାରକୋଟ ପଟରୁ ଆସିଥିବା ଫିଡରର ଗୋଟେ ଗୋଟେ ଫଲଟ ଖୋଜି ଖୋଜି ଠିକ୍ କରୁକରୁ ଦୁଇ ଦିନ ବିତିଯାଇଥିଲା । ଦିନରାତି କାମ କଲାପରେ ସବୁ ଅଂଚଳରେ ବିଜୁଳି ଆସିଲା ପରେ ୧୫ ତାରିଖ ସକାଳୁ ବଣାଇ ଥାନା ଅଧିକାରୀ କାମ ଅଛି କହି ଥାନାକୁ ଡକାଇ ଗିରଫ କରି ଉପଜିଲ୍ଲାପାଳଙ୍କ ଅଫିସରେ ହାଜର କରାଇଥିଲେ । ଏବଂ ବ୍ୟକ୍ତିଗତ ମୁଲଚାଲରେ ଏହି ଅଧିକାରୀଙ୍କୁ ଜାମିନରେ ଛଡା ଯାଇଥିଲା ।

ତେବେ ଅଭିଯୋଗ ଅନୁସାରେ ବଣାଇ ଉପଜିଲ୍ଲାପାଳଙ୍କ ଦବଙ୍ଗଗିରିର ସୀମା ସେତିକିବେଳେ ଟପିଯାଇଥିଲା , ଯେତେବେଳେ ୱେସ୍କୋର ଏହି ଅଧିକାରୀ ଥାନାରେ ଦିନ ତମାମ ଥିବାବେଳେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ଖାଇବା ପିଇବା ପୁରା ବନ୍ଦ କରିଦିଆଯାଇଥିଲା । ଏନେଇ ଆଜି ୱେସ୍କୋ ସର୍ଭିସ୍ ଇଂଜିନିୟର୍ସ ଆସୋସିଏସନର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି କ୍ଷୋଭ ପ୍ରକାଶ କରିବା ସହିତ ଦିନରାତି ଲୋକଙ୍କୁ ସେବା ଯୋଗାଇବା ସତ୍ୱେ ଯେଉଁଠି ପ୍ରଶାସନର ସହ ଯୋଗ ଆବଶ୍ୟକ ସେପରି ସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କର ଏପରି ଆଚରଣ ସମସ୍ତଙ୍କୁ ମର୍ମାହତ କରିଥିବା କହିଛନ୍ତି । ଅନ୍ୟପଟେ ଜିଲ୍ଲାପାଳ ମଧ୍ୟ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ତାପାଇଁ ଆଶ୍ୱାସନା ଦେଇଥିବାବେଳେ କ୍ୟାମେରା ସମ୍ମୁଖରେ କିଛି ବି କହିବା ପାଇଁ ମନା କରିଦେଇଥିଲେ ।