ମହଙ୍ଗା ଯୁଗରେ ଶସ୍ତା ବାହାଘର ! ୫୦୦ ଟଙ୍କାରେ ବିବାହ କଲେ ଆଇଏଏସ୍ ଦମ୍ପତି

55

ମାତ୍ର ୫୦୦ ଟଙ୍କାରେ ବାହାଘର! ତା ପୁଣି ବର୍ତ୍ତମାନର ବିମୁଦ୍ରାକରଣ ସମୟରେ । ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ହେଲେ କଥାଟା ଏକ ଦମ୍ ସତ । ଯେତେବେଳେ ବେଲାରୀରେ ବିବାଦୀୟ ନେତା ଜନାର୍ଦ୍ଦନ ରେଡ୍ଡିଙ୍କ ଝିଅ ବାହାଘରରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ଚର୍ଚ୍ଚାରେ ଅଛି, ସେତେବେଳେ ମାତ୍ର ୫୦୦ ଟଙ୍କାରେ ବିବାହ କରି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଏକ ଦମ୍ପତି ।

ଏ ନବଦମ୍ପତି ହେଉଛନ୍ତି- ଦୁଇ ଆଏଏସ୍ ଅଫିସର । ବର୍ତମାନର ବିମୁଦ୍ରାକରଣ ସମୟରେ ନୋଟ୍ ଅଭାବ ଯୋଗୁଁ ବାହାଘରରେ ସମସ୍ୟା ହେଉଛି ବୋଲି ଅନେକ ରିପୋର୍ଟ ଆସୁଛି । ଲୋକେ ଖର୍ଚ୍ଚ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ପାରୁନାହାଁନ୍ତି । ସରକାରୀ କଟକଣା ଜାରି ରହିଛି ।

ଏମିତି ସମୟରେ ମାତ୍ର ୫୦୦ ଟଙ୍କାରେ ବିବାହ କରି ଏହି ଆଇଏଏସ୍ ଦମ୍ପତି ଏକ ବାର୍ତ୍ତା ଦେବାପାଇଁ ଚେଷ୍ଟା କରିଛନ୍ତି । ଯେ ବିବାହ ଏକ ପବିତ୍ର ବନ୍ଧନ । ଏଠି ଆଡା ଚୌଡା, ବାଜାରୋଷଣୀ ଭୋଜିଭାତର ଆବଶ୍ୟକତା ନାହିଁ । ବିବାହ କେବଳ ଦୁଇଟି ମନର ମିଳନ ।

ଆନ୍ଧ୍ରପ୍ରଦେଶ ବିଜୟୱାଡାର ଆଇଏଏସ୍ ଅଧିକାରୀ ତଥା ଡକ୍ଟର ସଲୋନି ସିଦନା ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ୍ ଅଧିକାରୀ ଆଶିଷ ବସିସ୍ତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ନିଜ ବିବାହକୁ ନିରାଡମ୍ବରଭାବେ କରିବାକୁ ସେମାନେ ନିଷ୍ପତି ନେଇଥିଲେ । ୫ଶହ ଟଙ୍କାର କୋର୍ଟ ଫି ଦେଇ ରେଜେଷ୍ଟ୍ରି ବିବାହ କରିଛନ୍ତି । କେବଳ ସେତିକି ନୁହେଁ ବିବାହର ୪୮ ଘଂଟା ମଧ୍ୟରେ ସିଦନା ପୁଣି ତାଙ୍କ କାର୍ଯ୍ୟରେ ଯୋଗ ଦେଇ ତାଂକ କର୍ତବ୍ୟନିଷ୍ଠାର ପରିଚୟ ଦେଇଛନ୍ତି ।

ଏହା ସହ ଦେଖନ୍ତୁ ବିମୁଦ୍ରାକରଣ ନେଲା ନବବଧୂର ଜୀବନ !